ଯୁଗ୍ମ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୬ ଦଫା ଦାବି ନେଇ ଧାରଣା

ଯୁଗ୍ମ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୬ ଦଫା ଦାବି ନେଇ ଧାରଣା

ଫଟୋ- ପଦ୍ମଲୋଚନ ମିଶ୍ର

କଟକ(ଏନ୍‌.ଏମ୍‌.): ଓଡ଼ିଶା ସରକାରଙ୍କ ଶ୍ରମ ବିଭାଗର ଅସହଯୋଗ, ନିଷ୍କ୍ରିୟତା, ପାତର ଅନ୍ତର ନୀତି ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ବିଭିନ୍ନ ସ୍ତରରେ ଚର୍ଚ୍ଚା ଆଲୋଚନା ବିଫଳ ହେବା ପରେ ଭାରତୀୟ ମଜଦୁର ସଂଘ ପକ୍ଷରୁ ୬ ଦଫା ଦାବି ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରାଯାଇଛି । ରାଜ୍ୟର ସମସ୍ତ ଯୁଗ୍ମ ଶ୍ରମ ଆୟୁକ୍ତଙ୍କ ଜରିଆରେ ଶ୍ରମ ଆୟୁକ୍ତ, ଓଡ଼ିଶା ସରକାରଙ୍କୁ ପ୍ରଦାନ କରାଯାଉଥିବାବେଳେ ଆଜି କଟକ ପୁୁରୁଣା ସେକ୍ରେଟିଏଟ୍‌ସ୍ଥିତ ଯୁଗ୍ମ ଶ୍ରମଆୟୁକ୍ତ, କଟକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦିବା ୧୧ ଘଟିକା ସମୟରେ ଭାରତୀୟ ମଜଦୁର ସଂଘ, ଓଡ଼ିଶା ରାଜ୍ୟ ପକ୍ଷରୁ ଧାରଣା ଦିଆଯାଇଥିଲା । ଏହି ଧାରଣା କାର୍ଯ୍ୟକ୍ରମରେ କଟକ ଜିଲ୍ଲା, କେନ୍ଦ୍ରାପଡ଼ା ଜିଲ୍ଲା ଓ ଜଗତ୍‌ସିଂହପୁର ଜିଲ୍ଲାର କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ । ୬ ଦଫା ଦାବିପତ୍ରଗୁଡ଼ିକ ମଧ୍ୟରେ ନୂତନ ୟୁନିୟନ ପଞ୍ଜିକରଣରେ ଜାଣିଶୁଣି ବିଳମ୍ବକୁ ବନ୍ଦ କରାଯିବା, ଭାରତୀୟ ମଜଦୁର ସଂଘ ସଂଲଗ୍ନ ଶ୍ରମ ସଂଗଠନକୁ ଆକ୍ରୋଶମୂଳକ ଡି-ରେଜିଷ୍ଟ୍ରେସନ୍ କରାଇବା ବନ୍ଦ ହେବା, ବନ୍ଦ ହୋଇ ପଡ଼ିରହିଥିବା କାରଖାନାକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ଏବଂ ପୂର୍ବରୁ ଥିବା ସ୍ଥାୟୀ ଓ ଅସ୍ଥାୟୀ ଶ୍ରମିକମାନଙ୍କୁ ପୁନଃ ନିଯୁକ୍ତି ପ୍ରଦାନ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବା, ବିଭିନ୍ନ ଖଣି ଓ କାରଖାନାରେ ବନ୍ଦ କରାଯାଇଥିବା ଗୋପନୀୟ ମତଦାନ (ସିକ୍ରେଟ୍ ବାଲଟ୍‌) ତୁରନ୍ତ କାର୍ଯ୍ୟକାରୀ କରାଯିବା, ଶ୍ରମ ବିଭାଗରେ ଖାଲି ପଡ଼ିଥିବା ପଦବୀଗୁଡ଼ିକ ତୁରନ୍ତ ପୂରଣ କରାଯିବା, ଦୀର୍ଘ ଦିନରୁ ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ପଡ଼ିରହିଥିବା ନିର୍ମାଣ ଶ୍ରମିକଙ୍କ ସହାୟତା ରାଶି ଓ ନୂତନ ପଞ୍ଜିକରଣକୁ ତୁରନ୍ତ କାର୍ଯ୍ୟକାରୀ କରାଯିବା ଅର୍ନ୍ତଭୁକ୍ତ ଅଟେ । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଭାରତୀୟ ମଜଦୁର ସଂଘ ରାଜ୍ୟ ଡେପୁଟି ଜେନେରାଲ୍ ସେକ୍ରେଟାରୀ ଶାନ୍ତନୁ କୁମାର ମହାପାତ୍ର, ବରଷ୍ଟ ଶ୍ରମିକ ନେତା ବସନ୍ତ କୁମାର ସାହୁ, ଜଗତ୍‌ସିଂହପୁର ଜିଲ୍ଲା ସଭାପତି ଅକ୍ଷୟ କୁମାର ଦାସ, କେନ୍ଦ୍ରାପଡ଼ା ଜିଲ୍ଲା ସମ୍ପାଦକ ପ୍ରଶାନ୍ତ କୁମାର ତ୍ରିପାଠୀ, କଟକ ଜିଲ୍ଲା ସମ୍ପାଦକ ଭାଗୀରଥି ବେହେରା, ସଭାପତି ଗୌରାଙ୍ଗ ଚରଣ ରଥ, ଉପସଭାପତି ଅଶୋକ କୁମାର ସ୍ୱାଇଁ, କୋଷାଧ୍ୟକ୍ଷ ସନ୍ତୋଷ କୁମାର ଭୁୟାଁ ପ୍ରମୁଖ ଯୋଗ ଦେଇ ଶ୍ରମିକମାନଙ୍କ ପ୍ରତି ସରକାରଙ୍କ ବୈମାତୃକ ମନୋଭାବ ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *