News by Padmalochan Mishra (Cuttack)

ମୟୂରଭଞ୍ଜରେ ପାନୀୟ ଜଳ ସମସ୍ୟା ନେଇ ଜନସ୍ୱାର୍ଥ ମାମଲା: ପଦକ୍ଷେପ ସମ୍ପର୍କରେ ସତ୍ୟପାଠ ଦାଖଲ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

News by Padmalochan Mishra (Cuttack)

#କଟକ(ଏନ୍‌.ଏମ୍‌.): ମୟୂରଭଞ୍ଜ ଜିଲ୍ଲା କୁଳିଅଣା ଥାନା ଅନ୍ତର୍ଗତ ଡୁବୁକୁସାହିରେ ପାନୀୟ ଜଳ ସମସ୍ୟା ପ୍ରସଙ୍ଗ ନେଇ ରୁଜୁ ହୋଇଥିବା ଜନସ୍ୱାର୍ଥ ମାମଲାରେ ମାମଲାରେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ କୋର୍ଟ ସତ୍ୟପାଠ ଦାଖଲ ନିର୍ଦ୍ଦେଶ ଦେଇଛନ୍ତି । ଆବେଦନକାରୀ ଶ୍ରଦ୍ଧାସୁମନ ସିଂଙ୍କ ପକ୍ଷରୁ ଦାଖଲ ଜନସ୍ୱାର୍ଥ ମାମଲାର ଶୁଣାଣି କରି ବିଚାରପତି ସଙ୍ଗମ କୁମାର ସାହୁ ଓ ବିଚାରପତି ଏମ.ଏସ.ରମଣଙ୍କୁ ନେଇ ଗଠିତ ଅବକାଶକାଳୀନ ଖଣ୍ଡପୀଠ ରାଜ୍ୟ ସରକାରଙ୍କୁ ଏପରି ଆଦେଶ ଦେଇଛନ୍ତି । ରାଜ୍ୟ ସରକାର ଉକ୍ତ ଅଞ୍ଚଳରେ ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ସରକାରୀ କର୍ତୃପକ୍ଷ କଣ ପଦକ୍ଷେପ ଗ୍ରହଣ କରିଛନ୍ତି ସେ ସମ୍ପର୍କରେ ଦାଖଲ ସତ୍ୟପାଠରେ ତଥ୍ୟ ରଖିବାକୁ ହାଇକୋର୍ଟ କହିଛନ୍ତି । ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଭିତରେ ସାରା ରାଜ୍ୟ ଆଉଟୁପାଉଟୁ ହେଉଥିବାବେଳେ ମୟୂରଭଞ୍ଜ ଜିଲ୍ଲା କୁଳିଅଣା ଥାନା ଅନ୍ତର୍ଗତ ଡୁବୁକୁସାହି ମଧ୍ୟ ଏଥିରୁ ବାଦ୍ ପଡିନାହିଁ । ଏ ସମ୍ପର୍କରେ ସ୍ଥାନୀୟ ବାସିନ୍ଦା ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ ଗତ ଏପ୍ରିଲ ୧୨ରେ ସ୍ମାରକପତ୍ର ପ୍ରଦାନ କରିଥିଲେ ମଧ୍ୟ କର୍ତୃପକ୍ଷ ଏ ସମ୍ପର୍କରେ ପଦକ୍ଷେପ ନେଇ ନାହଁନ୍ତି । ଫଳରେ ସ୍ଥାନୀୟ ବାସିନ୍ଦା ପାନୀୟ ଜଳ ନିମନ୍ତେ ବହୁବିଧ ଅସୁବିଧାର ସମ୍ମୁଖୀନ ହେଉଥିବା ଦର୍ଶାଇ ହାଇକୋର୍ଟରେ ଆବେଦନ କରିଥିଲେ । ଏହି ମାମଲାରେ ଆବେଦନକାରୀ ମୟୂରଭଞ୍ଜ ଜିଲ୍ଲାପାଳ ଓ ଅନ୍ୟମାନଙ୍କୁ ପକ୍ଷଭୁକ୍ତ କରାଯାଇଥିବା ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *