News by B.Mishra (BBSR)

ମୌସୁମୀ ଅଧିବେଶନ ଆରମ୍ଭ: ୨୮,୨୦୦କୋଟି ଟଙ୍କାର ଅତିରିକ୍ତ ବଜେଟ୍ ଉପସ୍ଥାପିତ

News by B.Mishra (BBSR)

#ଭୁବନେଶ୍ୱର(ଏନ୍‌.ଏମ୍‌.):୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଆଜି ବିଧାନସଭାରେ ୨୮,୨୦୦କୋଟି ଟଙ୍କାର ପ୍ରଥମ ଅତିରିକ୍ତ ବଜେଟ୍ ଉପସ୍ଥାପିତ ହୋଇଛି । ୨୦୨୩-୨୪ ଆର୍ଥିକ ବର୍ଷର ମୂଳ ବଜେଟ ୨.୩୦ଲକ୍ଷ କୋଟି ଟଙ୍କା ଥିବାବେଳେ ଏହାର ପ୍ରାୟ ୧୨.୧୭ ପ୍ରତିଶତ ଅର୍ଥାତ୍ ୨୮୨୦୦କୋଟି ଟଙ୍କା ଅତିରିକ୍ତ ବଜେଟରେ ବ୍ୟବସ୍ଥା ହୋଇଛି । ଏହାସହିତ ୨୦୨୩-୨୪ ଆର୍ଥିକ ବର୍ଷର ବଜେଟ୍ ଆକାର ୨ଲକ୍ଷ ୫୮ହଜାର ୨୦୦କୋଟି ଟଙ୍କାକୁ ବୃଦ୍ଧି ପାଇଛି । ଅତିରିକ୍ତ ବଜେଟରେ ପଞ୍ଚାୟତିରାଜ ବିଭାଗ ପାଇଁ ସର୍ବାଧିକ ୪୦୮୩କୋଟି ଟଙ୍କା ବ୍ୟୟବରାଦ ହୋଇଛି । ବିଧାନସଭାର ମୌସୁମୀ ଅଧିବେଶନ ଆଜିଠୁ ଆରମ୍ଭ ହୋଇଥିବାବେଳେ ଦ୍ୱିତୀୟାର୍ଦ୍ଧରେ ଗୃହକାର୍ଯ୍ୟ ଆରମ୍ଭ ହେବାମାତ୍ରେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏହି ଅତିରିକ୍ତ ବଜେଟ ଆଗତ କରିଥିଲେ । ଏହି ଅତିରିକ୍ତ ବଜେଟରେ ୨୮୬୪କୋଟି ଟଙ୍କା ପ୍ରଶାସନିକ ଖର୍ଚ୍ଚ,୨୦୧୦୦କୋଟି ଟଙ୍କା କାର୍ଯ୍ୟକ୍ରମ ଖର୍ଚ୍ଚବାବଦରେ ଆବଣ୍ଟିତ ହୋଇଥିବାବେଳେ ୪୬୬୪କୋଟି ଟଙ୍କା ବିପର୍ଯ୍ୟୟ ପରିଚାଳନା ପାଣ୍ଠି ଓ ୫୭୨କୋଟି ଟଙ୍କା ରାଜ୍ୟ ସରକାରଙ୍କ ଦ୍ୱାରା ପଞ୍ଚାୟତ ଓ ପୌର ସଂସ୍ଥାକୁ ହସ୍ତାନ୍ତର ବାବଦରେ ଆବଣ୍ଟିତ ହୋଇଛି । ଅତିରିକ୍ତ ବଜେଟରେ ସର୍ବାଧିକ ୪୦୮୩କୋଟି ଟଙ୍କା ପଞ୍ଚାୟତିରାଜ ବିଭାଗ ପାଇଁ ବ୍ୟୟବରାଦ ହୋଇଥିବାବେଳେ ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ୨୮୮୨କୋଟି ଟଙ୍କା, ଜଳସମ୍ପଦ ବିଭାଗକୁ ୨୪୦୭କୋଟି ଟଙ୍କା, ଅନୁସୂଚିତ ଜାତି ଓ ଜନଜାତି ବିଭାଗକୁ ୧୩୫୫କୋଟି ଟଙ୍କା, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ୧୩୨୭କୋଟି, ଓ ନଗର ଉନ୍ନୟନ ବିଭାଗ ପାଇଁ ୧୦୮୮କୋଟି ଟଙ୍କା, ଉଚ୍ଚଶିକ୍ଷା ପାଇଁ ୮୪୨କୋଟି, ଗ୍ରାମ୍ୟ ଉନ୍ନୟନ ୮୯୭କୋଟି ଟଙ୍କା, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପାଇଁ ୭୮୭କୋଟି ଟଙ୍କା, ପରିବହନ ବିଭାଗ ୭୪୮ କୋଟି, ଓ ମିଶନ ଶକ୍ତି ବିଭାଗ ପାଇଁ ୭୮୩କୋଟି ଟଙ୍କାର ବ୍ୟୟବରାଦ ଲକ୍ଷ୍ୟ ରଖାଯାଇଛି । ତେବେ ଅତିରିକ୍ତ ବଜେଟରେ ସାଧାରଣ ଉଦ୍ୟୋଗ, ସାଧାରଣ ଅଭିଯୋଗ ଓ ପେନସନ ପ୍ରଶାସନ ଓ ବିଧାନସଭା ପାଇଁ କୌଣସି ଅର୍ଥ ବରାଦ ହୋଇନଥିବା ଜଣାପଡ଼ିଛି ।
ଅର୍ଥମନ୍ତ୍ରୀ ଶ୍ରୀ ଆରୁଖ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ଅଧୀନରେ ଚାଲୁ ରହିଥିବା ବିଭିନ୍ନ ପ୍ରକଳ୍ପଗୁଡ଼ିକୁ ସମ୍ପୂର୍ଣ୍ଣ ନିମନ୍ତେ ଅତିରିକ୍ତ ପାଣ୍ଠିର ଆବଶ୍ୟକତା ରହିଛି । ପ୍ରଚଳିତ କେନ୍ଦ୍ର ଯୋଜନା ଓ କେନ୍ଦ୍ର ପ୍ରବର୍ତ୍ତିତ ଯୋଜନା ପାଇଁ ଅତିରିକ୍ତ ବ୍ୟୟବରାଦ ହୋଇଛି । ଓଡ଼ିଶା ଆକସ୍ମିକ ପାଣ୍ଠିରୁ ନିଆଯାଇଥିବା ଅଗ୍ରୀମ ଅର୍ଥର ଭରଣା ମଧ୍ୟ ଅତିରିକ୍ତ ବଜେଟରେ କରାଯାଇଛି । ସାଧାରଣ ଲୋକଙ୍କ ଆଶା ଓ ଆକାଂକ୍ଷାକୁ ଆଖିଷର ରଖି ଉପଲବ୍ଧ ସମ୍ବଳର ପୁନଃବିନିଯୋଗ ତଥା ବିଭିନ୍ନ ସୂତ୍ରରୁ ସହବନ୍ଧିତ ସମ୍ବଳ ପ୍ରାପ୍ତି ମାଧ୍ୟମରେ ଅତିରିକ୍ତ ବଜେଟ୍ ପାଇଁ ବ୍ୟୟବରାଦ କରାଯାଇଛି ।
ବଜେଟରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ପାଇଁ ୧୩୦୨କୋଟି ଟଙ୍କା, ଲକ୍ଷ୍ମୀ ଯୋଜନାରେ ୫୫୬କୋଟି, ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀ ପରିଧାନ ପାଇଁ ୧୧୦କୋଟି, ଓଡ଼ିଶା ମେଟ୍ରୋ ରେଳ ପରିବହନ ପାଇଁ ୨୧୦କୋଟି, ବ୍ଲକସ୍ତରରେ ବସଷ୍ଟାଣ୍ଡଗୁଡ଼ିକର ରକ୍ଷଣାବେକ୍ଷଣ ପାଇଁ ୧୪କୋଟି, ପଞ୍ଚାୟତିରାଜ ସଂସ୍ଥା ମାଧ୍ୟମରେ ସ୍କୁଲଗୁଡ଼ିକର ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣ ପାଇଁ ୧୫୩କୋଟି ଟଙ୍କା, ପଞ୍ଚାୟତକୁ ଆଇଟି ସଂଯୋଗୀକରଣ ପାଇଁ ୨୫୨କୋଟି ଟଙ୍କା, ଲିଙ୍ଗଭିତ୍ତିକ ହିଂସା ପୀଡ଼ିତା ମହିଳାଙ୍କ ସୁରକ୍ଷା ଓ ସଶକ୍ତିକରଣ ପାଇଁ ୩୮କୋଟି ଟଙ୍କା, ବୟନିକା ଓ ସମ୍ବଲପୁରୀ ବସ୍ତ୍ରାଳୟକୁ ୱାର୍କିଂ କ୍ୟାପିଟାଲ ପାଇଁ ୨୦କୋଟି ଟଙ୍କା ଲେଖାଏଁ ବ୍ୟୟବରାଦ ହୋଇଛି । ଯାଜପୁର ଓ କଳାହାଣ୍ଡିରେ ନୂଆ ମେଡିକାଲ କଲେଜ ଓ ହସ୍ପିଟାଲ ପାଇଁ ୨୭କୋଟି ଟଙ୍କାର ବ୍ୟୟବରାଦ ହୋଇଛି । ମଧୁବାବୁ ପେନସନ ଯୋଜନାରେ ୫୦୦କୋଟି, ଭିନ୍ନକ୍ଷମ କଲ୍ୟାଣ ପାଇଁ୨୧୪କୋଟି ଟଙ୍କାର ବ୍ୟବସ୍ଥା ହୋଇଛି । ସେହିପରି ମୋ’ ସ୍କୁଲ ଅଭିଯାନକୁ ୨୧୨କୋଟି ଟଙ୍କା ଏବଂ ଓଡ଼ିଶା ଆଦର୍ଶ ସ୍କୁଲ ପାଇଁ ୧୦୫.୫୪କୋଟି ଟଙ୍କା, ବେସରକାରୀ ହାଇସ୍କୁଲ ପାଇଁ ୬୦୦କୋଟି, ସରକାରୀ ହାଇସ୍କୁଲ ପାଇଁ ୬୪କୋଟି ଟଙ୍କା, ବିଶ୍ୱବିଦ୍ୟାଳୟ ଓ କଲେଜର ଭିତ୍ତିଭୂମି ବିକାଶ ପାଇଁ ୨୩୦କୋଟି ଟଙ୍କା, ବେସରକାରୀ କଳେଜଗୁଡ଼ିକ ଜିଆଇଏ ବାବଦରେ ୩୦୮କୋଟି ଟଙ୍କାର ବ୍ୟବସ୍ଥା ହୋଇଛି ।

Leave a Reply

Your email address will not be published. Required fields are marked *