ମୌଳିକ ସୁବିଧାରୁ ବଞ୍ଚିତ ସହରବାସୀ: ଖରାଦିନେବି ରାସ୍ତା ଉପରେ ଲହଡ଼ି ମାରୁଛି ନର୍ଦ୍ଦମା ପାଣି


#କଟକ(ଏନ୍‌.ଏମ୍‌.): କଟକ ମହାନଗର ନିଗମ ପକ୍ଷରୁ ସହରବାସୀଙ୍କୁ ଉନ୍ନତ ସେବା ଯୋଗାଇ ଦିଆଯାଉଥିବା ଡିଣ୍ଡିମ ପିଟାଯାଉଥିବାବେଳେ ଏହା କେବଳ ଧୂଆଁବାଣ ସାବ୍ୟସ୍ତ ହୋଇଛି । କଟକ ସହରର ବିକାଶ ପାଇଁ ରାଜ୍ୟସରକାର କୋଟି କୋଟି ଟଙ୍କା ବ୍ୟୟ କରିଥିଲେ ମଧ୍ୟ ଏହାର ସୁଫଳ ସହରବାସୀଙ୍କୁ ମିଳିପାରୁନଥିବା ଅଭିଯୋଗ ହୋଇଛି । ସିଏମସି ଅନ୍ତର୍ଗତ ହାତଗଣତି କେତୋଟି ୱାର୍ଡ଼କୁ ଛାଡ଼ିଦେଲେ ଅନ୍ୟ ୱାର୍ଡ଼ରେ ଲୋକ ମୌଳିକ ସୁବିଧାରୁ ବଞ୍ଚିତ ହେବା ଦେଖିବାକୁ ମିଳିଛି । କେଉଁଠି ରାତିରେ ଷ୍ଟ୍ରିଟ ଲାଇଟ ଜଳୁନାହିଁ ତ ଆଉ କେଉଁଠି ସରକାରଙ୍କ ଡ୍ରିଙ୍କ ଫ୍ରମ ଟ୍ୟାପ ଯୋଜନା ବିଫଳ ହୋଇଥିବା ଦେଖିବାକୁ ମିଳିଛି । କେବଳ ସେତିକି ନୁହେଁ ସହରରେ ସ୍ୱାସ୍ଥ୍ୟ ଓ ପରିମଳ ବିଭାଗ ମଧ୍ୟ ସ୍ଥାଣୁ ପାଲଟିଥିବା କୁହାଯାଉଛି । ସହରର ନାଳନର୍ଦ୍ଦମା ଅବସ୍ଥା ଶୋଚନୀୟ ହୋଇପଡ଼ିଛି । ସିଏମସି କର୍ତ୍ତୃପକ୍ଷ କେବଳ ବକ୍ସଡ୍ରେନ କଥା କହି ସହରବାସୀଙ୍କୁ ବିକାଶର ଚିତ୍ର ଦେଖାଉଥିବାବେଳେ ଗ୍ରୀଷ୍ମ ପ୍ରବାହ ସମୟରେ ରାସ୍ତା ଉପରେ ଲହଡ଼ିମାରୁଛି ନର୍ଦ୍ଦମା ପାଣି । ତେବେ ବର୍ଷା ଦିନେ ଏହି ଅଞ୍ଚଳର ଅବସ୍ଥା କିଭଳି ହେବ ତାହା ଆଜି ଠାରୁ ଜଳଜଳ ହୋଇ ଦିଶୁଛି । ସିଏମସି ଅନ୍ତର୍ଗତ ୫୦ ଓ ୫୧ନମ୍ବର ୱାର୍ଡ଼ରେ ଅଞ୍ଚଳବାସୀଙ୍କୁ ନର୍କ ଯନ୍ତ୍ରଣା ଭୋଗିବାକୁ ପଡ଼ୁଛି । ଖରାଦିନେ ବି ମୁଖ୍ୟରାସ୍ତାରେ ନର୍ଦ୍ଦମା ପାଣି ପ୍ରବାହିତ ହେବା ସିଏମସି କର୍ତ୍ତୃପକ୍ଷଙ୍କ ପାରିବା ପଣିଆକୁ ପଦାରେ ପକାଇଛି । ବିଶେଷ କରି ଦୀର୍ଘ ଦିନ ଧରି ଉକ୍ତ ଅଞ୍ଚଳରେ ନାଳ ନର୍ଦ୍ଦମା ସଫେଇ ନହେବା ତଥା ବର୍ଜ୍ୟଜଳ ନିଷ୍କାସନ ବ୍ୟବସ୍ଥା ହୋଇ ନଥିବା ଯୋଗୁଁ ଆଜି ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା କୁହା ଯାଉଛି । ଏହି ଅଞ୍ଚଳର ନୂଆପଡ଼ା ଗୋପିନାଥ ଲେନ ରେଳ ଫାଟକ ନିକଟ ଗ୍ରାମର ମୁଖ୍ୟରାସ୍ତାରେ ଏଭଳି ନର୍ଦ୍ଦମା ପାଣି ପ୍ରବାହିତ ହୋଇ ପରିସ୍ଥିତି ଶୋଚନୀୟ ହୋଇ ପଡ଼ିବା ଯୋଗୁଁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ପୁନଶ୍ଚ ସହରରେ ମଶାମରା ଅଭିଯାନ ମଧ୍ୟ ଦିଗହରା ହୋଇଥିବା ଭଳି ସାଂଘାତିକ ଅଭିଯୋଗ ଉଠିଛି । ନିୟମିତ ବ୍ୟବଧାନରେ ମଶା ଧୂଆଁ ଦିଆଯିବା, ନାଳନର୍ଦ୍ଦମାରେ ମଶା ତେଲ ପକାଯିବା ଭଳି କାର୍ଯ୍ୟ ଠିକ ଭାବେ ହେଉନଥିବାବେଳେ ବୁସ କଟିଂ ମଧ୍ୟ ହୋଇ ନାହିଁ । ଫଳରେ ମଶା ବଂଶ ବୃଦ୍ଧି ପାଇଁ ଅନୁକୂଳ ପରିସ୍ଥିତି ସୃଷ୍ଟି ହେଉଛି । ସଂଧ୍ୟାହେଲେ ମଶା ଯୋଗୁଁ ସହରବାସୀ ଅତିଷ୍ଠ ହୋଇ ପଡ଼ୁଛନ୍ତି । ତେବେ ସହରରେ ଜନସାଧାରଣଙ୍କୁ ମୌଳିକ ସୁବିଧା ଯୋଗାଇବାରେ ସିଏମସି କର୍ତ୍ତୃପକ୍ଷ ବିଫଳ ହୋଇଛନ୍ତି । ଯଦି ଆଗାମୀ ଦିନରେ ଏସବୁ ସମସ୍ୟାର ତୁରନ୍ତ ସମାଧାନ ନହୁଏ ତେବେ ଏହାର ପ୍ରତିଫଳନ ସାଧାରଣ ନିର୍ବାଚନରେ ଦେଖିବାକୁ ମିଳିବ ବୋଲି ସହରବାସୀ ଚେତାବନୀ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *