ମୋ କଲେଜ ଅଭିଯାନ ଅଧୀନରେ ୧୯ଟି ଉଚ୍ଚଶିକ୍ଷାନୁଷ୍ଠାନରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ଲାଗି ୨ କୋଟି ୪୦ ଲକ୍ଷ ଟଙ୍କା ମଞ୍ଜୁରୀ

ମୋ କଲେଜ ଅଭିଯାନ ଅଧୀନରେ ୧୯ଟି ଉଚ୍ଚଶିକ୍ଷାନୁଷ୍ଠାନରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ଲାଗି ୨ କୋଟି ୪୦ ଲକ୍ଷ ଟଙ୍କା ମଞ୍ଜୁରୀ


ଭୁବନେଶ୍ୱର(ଏନ୍‌.ଏମ୍‌.): “ମୋ କଲେଜ’ ଅଭିଯାନ ଅଧୀନରେ ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟର ସାମଗ୍ରିକ ବିକାଶ ଲାଗି ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି । ଏହି କ୍ରମରେ ସୋମବାର ଦିନ ରେଭେନ୍ସା ବିଶ୍ୱବିଦ୍ୟାଳୟ ସହିତ ୧୮ଟି ମହାବିଦ୍ୟାଳୟରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ନିର୍ମାଣ ଲାଗି ରାଜ୍ୟ ସରକାର ୨ କୋଟି ୪୦ ଲକ୍ଷ ଟଙ୍କାର ଆର୍ଥିକ ଅନୁଦାନ ପ୍ରଦାନ କରିଛନ୍ତି । “ମୋ କଲେଜ’ ଅଭିଯାନ ଅଧୀନରେ ୨୦୨୧ ଅକ୍ଟୋବର ମାସରେ ପ୍ରଥମ ପର୍ଯ୍ୟାୟରେ ୧୨ଟି ମହାବିଦ୍ୟାଳୟ ଏବଂ ୨ଟି ବିଶ୍ୱବିଦ୍ୟାଳୟ ପାଇଁ ଆର୍ଥିକ ଅନୁଦାନ ମିଳିଥିଲା । ଆଜି ଦ୍ୱିତୀୟ ପର୍ଯ୍ୟାୟ ଅନୁଦାନ ପ୍ରଦାନ ବେଳେ ରାଜ୍ୟର ୧୯ଟି ଉଚ୍ଚଶିକ୍ଷାନୁଷ୍ଠାନକୁ ସାମିଲ କରାଯାଇଛି ।
ମୋ କଲେଜ ସର୍ତ୍ତାବଳୀ ଅନୁଯାୟୀ, ପୁରାତନ ଛାତ୍ରଛାତ୍ରୀଙ୍କଠାରୁ ଯେତିକି ଅର୍ଥ ମିଳୁଛି ସରକାର ତାହାର ଦୁଇଗୁଣ ଅର୍ଥ ପ୍ରଦାନ କରିଛନ୍ତି । ଏହି ଅନୁଦାନ ସାହାଯ୍ୟରେ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ବିଭିନ୍ନ ପ୍ରକାରର ଉନ୍ନୟନମୂଳକ ପ୍ରକଳ୍ପ କାର୍ଯ୍ୟ କରାଯାଉଛି । “ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କର ଅଭିନବ ପରିକଳ୍ପନା ହେଉଛି “ମୋ କଲେଜ’ ଅଭିଯାନ । ଏହି ଅଭିଯାନ ଆଜି ଏକ ଆନ୍ଦୋଳନରେ ପରିଣତ ହୋଇଛି । ପୁରାତନ ଛାତ୍ରଛାତ୍ରୀମାନେ ଏହି ଅଭିଯାନରେ ଯୋଡ଼ି ହୋଇ ନିଜର ପ୍ରିୟ ଶିକ୍ଷାନୁଷ୍ଠାନର ବିକାଶ ଯାତ୍ରାରେ ସାମିଲ ହେଉଛନ୍ତି । ବିଭିନ୍ନ ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟରେ ବର୍ତ୍ତମାନ ପାଠ ପୁଥିବା ଛାତ୍ରଛାତ୍ରୀମାନଙ୍କର କିପରି ବୌଦ୍ଧିକ ବିକାଶ ହୋଇପାରିବ ସେ ଦିଗରେ ମୋ କଲେଜ ଅଭିଯାନ ପକ୍ଷରୁ ଉଦ୍ୟମ କରାଯାଉଛି”, କହିଛନ୍ତି ମୋ କଲେଜ ଅଭିଯାନ ପରିଚାଳନା ସଙ୍ଗଠନର ଅଧ୍ୟକ୍ଷ ଆକାଶ ଦାସନାୟକ । ଶ୍ରୀ ଦାସନାୟକ ଆହୁରି କହିଛନ୍ତି ଯେ, କଲେଜ ଜୀବନରେ ଛାତ୍ରଛାତ୍ରୀମାନେ ସେମାନଙ୍କ ଭବିଷ୍ୟର କ୍ୟାରିୟରକୁ ନେଇ ଅନେକ ସ୍ୱପ୍ନ ଦେଖିଥାନ୍ତି । ତେଣୁ ଏହାକୁ ସାକାର କରିବା ଲାଗି ମୋ କଲେଜ ଅଭିଯାନ ମାଧ୍ୟମରେ ପ୍ରୟାସ କରାଯାଉଛି । ଡିଜିଟାଲ ଟେକ୍ନୋଲୋଜି ବ୍ୟବହାର କରାଯାଇ ଛାତ୍ରଛାତ୍ରୀମାନଙ୍କ ଶିକ୍ଷାଦାନ ଉପରେ ଗୁରୁତ୍ୱ ଦିଆଯାଉଛି । ଶିକ୍ଷା ଭିତ୍ତିଭୂମିରେ ଉନ୍ନତି କରାଯିବା ସହିତ ଦକ୍ଷତା ବିକାଶ, କ୍ୟାରିୟର କାର୍ଯ୍ୟକ୍ରମ ଉପରେ ଗୁରୁôତ୍ୱ ଦିଆଯାଉଛି । ଦ୍ୱିତୀୟ ପର୍ଯ୍ୟାୟରେ ମୋଟ ୧୮ଟି ମହାବିଦ୍ୟାଳୟ ଏବଂ ଗୋଟିଏ ବିଶ୍ୱବିଦ୍ୟାଳୟକୁ ଆର୍ଥିକ ଅନୁଦାନ ମିଳିଛି । ଏହି ୧୯ଟି ଉଚ୍ଚଶିକ୍ଷାନୁଷ୍ଠାନ ଭିତରେ ରହିଛି – କଟକସ୍ଥିତ ରେଭେନ୍ସା ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱରସ୍ଥିତ ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟ, ଅନୁଗୋଳ ଜିଲ୍ଲାର କିଶୋରନଗର ଡିଗ୍ରୀ ମହାବିଦ୍ୟାଳୟ, ବାଲେଶ୍ୱର ଜିଲ୍ଲାର ରେମୁଣା ଡିଗ୍ରୀ ମହାବିଦ୍ୟାଳୟ, କଟକ ଜିଲ୍ଲାର ସାଲେପୁର ସ୍ୱୟଂଶାସିତ ମହାବିଦ୍ୟାଳୟ, ଶୈଳବାଳା ମହିଳା ସ୍ୱୟଂଶାସିତ ମହାବିଦ୍ୟାଳୟ ଏବଂ ବିରେନ ମିତ୍ର ମେମୋରିଆଲ ମହିଳା ମହାବିଦ୍ୟାଳୟ । ଗଞ୍ଜାମ ଜିଲ୍ଲାର ରାମଜୀ ଡିଗ୍ରୀ ମହାବିଦ୍ୟାଳୟ, ଜଗତସିଂହପୁର ଜିଲ୍ଲାର ପାରାଦୀପ ଡିଗ୍ରୀ ମହାବିଦ୍ୟାଳୟ, ଯାଜପୁର ଜିଲ୍ଲାର ଧର୍ମଶାଳା ମହିଳା ଡିଗ୍ରୀ ମହାବିଦ୍ୟାଳୟ ଏବଂ ବରୁଣେଶ୍ୱର ମହାବିଦ୍ୟାଳୟ, ଝାରସୁଗୁଡ଼ା ଜିଲ୍ଲାର ମହିଳା ଡିଗ୍ରୀ ମହାବିଦ୍ୟାଳୟ, ମୟୂରଭଞ୍ଜ ଜିଲ୍ଲାର ଲକ୍ଷ୍ମୀକାନ୍ତ ଡିଗ୍ରୀ ମହାବିଦ୍ୟାଳୟ, ସମ୍ବଲପୁର ଜିଲ୍ଲାର ବାସୁଦେବ ଗୋଦାବରି ଡିଗ୍ରୀ ମହାବିଦ୍ୟାଳୟ, ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଭୋକେସନାଲ ଡିଗ୍ରୀ ମହାବିଦ୍ୟାଳୟ, ସମ୍ବଲପୁର ଜିଲ୍ଲାର ନାକଟିଦେଉଳ ମହାବିଦ୍ୟାଳୟ, ରାଉରକେଲାସ୍ଥିତ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ପୁରୀ ଜିଲ୍ଲାର ବଳଙ୍ଗା ମହାବିଦ୍ୟାଳୟ, ଯାଜପୁର ଜିଲ୍ଲାର ବିଷ୍ଣୁ ସାମନ୍ତରାୟ ମହାବିଦ୍ୟାଳୟରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ କାର୍ଯ୍ୟ ହାତକୁ ନିଆଯାଇଛି । ଏହି ଆର୍ଥିକ ଅନୁଦାନ ଫଳରେ ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକରେ ଉନ୍ନୟନମୂଳକ କାର୍ଯ୍ୟକ୍ରମକୁ ବ୍ୟାପକ କରାଯିବ । ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟଗୁଡ଼ିକର ବିଭିନ୍ନ ଭିତ୍ତିଭୂମି ନିର୍ମାଣ କରାଯିବା ସହିତ ସ୍ମାର୍ଟ କ୍ଲାସରୁମ, ଇ-ଲାଇବ୍ରେରି ଏବଂ କଲେଜର ସୌନ୍ଦର୍ଯ୍ୟକରଣ କାମ ହାତକୁ ନିଆଯାଇଛି । ଏହାସହିତ ଛାତ୍ରଛାତ୍ରୀମାନଙ୍କ ଫିଟନେସ୍ ପାଇଁ ରହିଥିବା ଅତ୍ୟାଧୁନିକ ଜିମର ନବୀକରଣ କରାଯିବ । ପାନୀୟ ଜଳ ଏବଂ ସ୍ୱଚ୍ଛ ଶୌଚାଳୟ ନିର୍ମାଣ ଲାଗି ପଦକ୍ଷେପ ନିଆଯିବ । “ମୋ କଲେଜ’ ଅଭିଯାନ ପରିଚାଳନା ସଙ୍ଗଠନ ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ପ୍ରତିଷ୍ଠିତ ଏକ ସ୍ୱୟଂଶାସିତ ଅନୁଷ୍ଠାନ । ଏହା ଅଧୀନରେ ୭୫୦ଟି ଉଚ୍ଚଶିକ୍ଷାନୁଷ୍ଠାନକୁ ସାମିଲ କରାଯାଇଛି । ପୁରାତନ ଛାତ୍ରଛାତ୍ରୀମାନଙ୍କୁ ଯୋଡ଼ି ବିଭିନ୍ନ ଉଚ୍ଚଶିକ୍ଷାନୁଷ୍ଠାନର ବିକାଶ ଲାଗି ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *