ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ୫ଟି ସଚିବଙ୍କ କଟକ ଚଣ୍ଡୀ ମନ୍ଦିର ପରିଦର୍ଶନ

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ୫ଟି ସଚିବଙ୍କ କଟକ ଚଣ୍ଡୀ ମନ୍ଦିର ପରିଦର୍ଶନ
‘୭ ଦିନ ମଧ୍ୟରେ ମନ୍ଦିରର ଉନ୍ନତି ଓ ସୌନ୍ଦର୍ଯ୍ୟକରଣ ଯୋଜନା ପ୍ରସ୍ତୁତ ହେବ’

ଫଟୋ- ପଦ୍ମଲୋଚନ ମିଶ୍ର

କଟକ(ଏନ୍‌.ଏମ୍‌.): ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଆଜି ପ୍ରାତଃ ୫ ଘଟିକା ସମୟରେ ୫ଟି ସଚିବ ଭି.କେ ପଣ୍ଡିଆନ କଟକ ଚଣ୍ଡୀ ମନ୍ଦିର ପରିଦର୍ଶନ କରି ଏହାର ଉନ୍ନତିକରଣ ଉପରେ ସମୀକ୍ଷା କରିଛନ୍ତି । ପରିଦର୍ଶନ ସମୟରେ ଜିଲ୍ଲା ପ୍ରଶାସନର ଅଧିକାରୀଙ୍କ ସହ ମନ୍ଦିର ଦାୟିତ୍ୱରେ ଥିବା ଦେବୋତ୍ତର ଅଧିକାରୀ, ସେବାୟତ ଏବଂ ଟ୍ରଷ୍ଟିମାନେ ଉପସ୍ଥିତ ଥିଲେ । ଏହା ଏକ ପ୍ରାଚୀନ ମନ୍ଦିର ହୋଇଥିବାରୁ ମୁଖ୍ୟତଃ ମନ୍ଦିରର ମରାମତି, ମନ୍ଦିରବେଢା ମଧ୍ୟରୁ ଜଳ ନିଷ୍କାସନ, ଯାନାବାହନ ରହଣିସ୍ଥଳ, ବେଢା ଭିତରେ ଚଳାଚଳ, ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ଓ ପାରିପାର୍ଶ୍ୱିକ ବିକାଶ ଏବଂ ସୌନ୍ଦର୍ଯ୍ୟକରଣ ଉପରେ ମନ୍ଦିର ପରିଚାଳନାରେ ସଂପୃକ୍ତ ପକ୍ଷମାନେ ୫ଟି ସଚିବ ଶ୍ରୀ ପାଣ୍ଡିଆନଙ୍କୁ ଅବଗତ କରାଇଥିଲେ । ୭ ଦିନ ମଧ୍ୟରେ ଉପରୋକ୍ତ ବାଚନିକ ପ୍ରସ୍ତାବଗୁଡିକୁ ପରିଚାଳନା ଦାୟିତ୍ୱରେ ଥିବା ପରିଚାଳନା କମିଟି ସଭ୍ୟ, ସେବାୟତ ଓ ଅନ୍ୟାନ୍ୟ କାର୍ଯ୍ୟନିର୍ବାହୀମାନେ ଏ ସମ୍ବନ୍ଧିତ ବିବରଣୀ ଜିଲ୍ଲାପାଳଙ୍କୁ ଲିଖିତ ଆକାରରେ ଉପସ୍ଥାପନ କରାଇବା ପାଇଁ ୫ଟି ସଚିବ କହିଥିଲେ । ଲିଖିତ ପ୍ରସ୍ତାବ ପାଇବା ପରେ ଏ ସମ୍ବନ୍ଧରେ ଏକ ବୈଠକ ଡକାଯାଇ ସବିଶେଷ ଆଲୋଚନା ପୂର୍ବକ ଏକ ନକ୍ସା ପ୍ରସ୍ତୁତ କରାଯାଇ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ନିମନ୍ତେ ରାଜ୍ୟ ସରକାରଙ୍କୁ ପ୍ରେରଣ କରାଯିବ । ସଚିବଙ୍କ ଏହି ଗ୍ରସ୍ତ ସମୟରେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଡକ୍ଟର ସୁରେଶ ଚନ୍ଦ୍ର ଦଳାଇ, ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ, କଟକ ଉନ୍ନୟନ କର୍ତ୍ତୁପକ୍ଷର ଅଧ୍ୟକ୍ଷ ଅନିଲ କୁମାର ସାମଲ, ସିଏମସି କମିଶନର ଅନନ୍ୟା ଦାସ, କଟକ କମିଶନରେଟ ଡିସିପି ପ୍ରତୀକ ସିଂଙ୍କ ସମେତ ପୂର୍ତ୍ତ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଇଂ. ପ୍ରଭାସ କୁମାର ମାଝୀ ଏବଂ ଅନ୍ୟାନ୍ୟ ବିଭାଗୀୟ ଯନ୍ତ୍ରୀ ଓ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *