ମୁଖ୍ୟମନ୍ତ୍ରୀଙ୍କ ଚିଠି ଲେଖିଲେ ଶିକ୍ଷାବିତ: କୋକୋକୁ ତାର ପାଳନକର୍ତ୍ତୀଙ୍କୁ ଫେରାଅ

ମୁଖ୍ୟମନ୍ତ୍ରୀଙ୍କ ଚିଠି ଲେଖିଲେ ଶିକ୍ଷାବିତ: କୋକୋକୁ ତାର ପାଳନକର୍ତ୍ତୀଙ୍କୁ ଫେରାଅ


କଟକ(ଏନ୍‌.ଏମ୍‌.): ଜଙ୍ଗଲ ଓ ପରିବେଶ ବିଭାଗ ଜବତ କରିଥିବା ପୋଷାଶୁଆ ‘କୋକୋ’କୁ ତା’ର ପାଳନକର୍ତ୍ତୀଙ୍କୁ ଫେରାଇଦେବା ପାଇଁ ନିର୍ଦ୍ଦେଶ ଦେବା ଲାଗି ରାଜ୍ୟର ସାତଜଣ ଶିକ୍ଷାବିତ୍‍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ।
ଜଙ୍ଗଲ ବିଭାଗ ଅଧିକାରୀମାନଙ୍କ କାର୍ଯ୍ୟକୁ ‘ଅସମ୍ବେଦନଶୀଳ’ ବୋଲି ଦର୍ଶାଇ ଶିକ୍ଷାବିତ୍‍ମାନେ ଲେଖିଛନ୍ତି ଯେ, ଆଇନର ଦ୍ୱାହିଦେଇ ଅମାନୁଷିକ କାମ କରିବା ଠିକ ନୁହେଁ । ଅଧିକାରୀମାନେ ଜାଣିରଖିବା ଉଚିତ ଯେ, ପଶୁପକ୍ଷୀମାନେ ଖାଲି ଖାଦ୍ୟ ଖାଇ ବଞ୍ଚନ୍ତି ନାହିଁ; ସେମାନଙ୍କ ଜୀବନରେ ସ୍ନେହଶ୍ରଦ୍ଧାର ବି ମୂଲ୍ୟ ରହିଛି । ଶିକ୍ଷାବିତ୍‍ମାନେ ଜଙ୍ଗଲ ବିଭାଗର କାର୍ଯ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ଲେଖିଛନ୍ତି, ଆଜି ଆମର ରାଜ୍ୟ-ପକ୍ଷୀ ଭଦଭଦଳିଆ ଓ ଆହୁରି ଅନେକ ଜୀବଜନ୍ତୁ ବିଲୁପ୍ତପ୍ରାୟ ହୋଇଗଲେଣି । ଦୈନିକ ଆମ ରାଜ୍ୟରୁ ହାତୀଦାନ୍ତ, ବାଘଛାଲ, ଜୀବନ୍ତ ବଜ୍ରକାପ୍ତା, ଜୀବନ୍ତ ଗୋଧି ଆଦିର ଚୋରାଚାଲାଣ ଖବର ପ୍ରକାଶ ପାଉଛି । ଜଙ୍ଗଲରୁ ଅପ୍ରତିହତ ଭାବରେ ଗଛକଟା ଚାଲିଛି । ଜଙ୍ଗଲ ବିଭାଗର ଅଧିକାରୀମାନେ ଏସବୁକୁ ବନ୍ଦ କରିବା ଉପରେ ଗୁରୁତ୍ୱ ଦେଲେ ଜନସାଧାରଣଙ୍କ ଦ୍ୱାରା ପ୍ରଶଂସିତ ହେବେ । ପୁନଶ୍ଚ ଶିକ୍ଷାବିତ୍‍ମାନେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ଯେ, ‘କୋକୋ’କୁ ତା’ର ପାଳନକର୍ତ୍ତୀଙ୍କୁ ଫେରାଇଦେବା ପାଇଁ ଜଙ୍ଗଲ ବିଭାଗକୁ ନିର୍ଦ୍ଦେଶ ଦେବା ସଙ୍ଗେସଙ୍ଗେ ବିଭାଗୀୟ ଅଧିକାରୀମାନଙ୍କୁ ମୌଳିକ କର୍ତ୍ତବ୍ୟ ଉପରେ ଧ୍ୟାନ ଦେବାକୁ ପରାମର୍ଶ ଦିଅନ୍ତୁ । ଉକ୍ତ ପତ୍ରରେ ରେଭେନ୍‍ସା ବିଶ୍ୱବିଦ୍ୟାଳୟ ଇଂରାଜୀ ବିଭାଗର ପୂର୍ବତନ ମୁଖ୍ୟ ପ୍ରଫେସର ଦିନେଶ ପଟ୍ଟନାୟକ, ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳସଚିବ ଡକ୍ଟର ଶଚୀନ୍ଦ୍ର ରାଉଳ, ନରସିଂହ ଚୌଧୁରୀ କଲେଜର ପ୍ରାକ୍ତନ ଅଧ୍ୟକ୍ଷ ଡକ୍ଟର ବିଷ୍ଣୁଚରଣ ସାହୁ, ଚୌଦ୍ୱାର କଲେଜର ପ୍ରାକ୍ତନ ଅଧ୍ୟକ୍ଷ ତୁଷାରକାନ୍ତ ପଟ୍ଟନାୟକ, ସେକେଣ୍ଡାରୀ ବୋର୍ଡ଼ ହାଇସ୍କୁଲର ପୂର୍ବତନ ପ୍ରଧାନଶିକ୍ଷକ ଡକ୍ଟର ସଙ୍କର୍ଷଣ ମିଶ୍ର, ପଦାର୍ଥବିଜ୍ଞାନୀ ହରିହର ମିଶ୍ର ଓ ଦର୍ଶନଶାସ୍ତ୍ରବିତ୍‍ ଡକ୍ଟର ନାରାୟଣ ମହାନ୍ତି ସ୍ୱାକ୍ଷର କରିଛନ୍ତି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *