ମାନବାଧିକାର ସୁରକ୍ଷା ପରିଷଦ ପକ୍ଷରୁ ବିଶ୍ୱ ମାନବାଧିକାର ଦିବସ

କଟକ(ଏନ୍.ଏମ୍.): ମାନବାଧିକାର ସୁରକ୍ଷା ପରିଷଦ ପକ୍ଷରୁ ବିଶ୍ୱ ମାନବାଧିକାର ଦିବସ ସ୍ଥାନୀୟ ବିଶାଲ ଇନ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି। ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ଓଡ଼ିଶା ଉଚ୍ଚ ନ୍ୟାୟାଳୟର ପୂର୍ବତନ ବିଚାରପତି ନ୍ୟାୟମୂର୍ତ୍ତି ଅନନ୍ତ ସୂର୍ଯ୍ୟନାରାୟଣ ନାଇଡ଼ୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ହାଇକୋର୍ଟ ବିଚାରପତି ନ୍ୟାୟମୂର୍ତ୍ତୀ ଶଶିକାନ୍ତ ମିଶ୍ର ଉଦ୍ଘାଟକ ଭାବେ ଯୋଗଦେଇ ମଣିଷର ବିଭିନ୍ନ ମୌଳିକ ଅଧିକାର ବ୍ୟତୀତ ଆଉଗୋଟିଏ ସର୍ବଶେଷ ଅଧିକାର ରହିଛି ତାହା ହେଲା ମାନବ ଅଧିକାର। ଅର୍ଥାତ ଜଣେ ମଣିଷକୁ ମଣିଷ ଭଳି ବଞ୍ଚିବାର ଯେଉଁ ଅଧିକାର ରହିଛି ତାହାକୁ କ୍ଷୁର୍ଣ୍ଣ କରିବାକୁ ନଦେବା ବା ତାହାର ସେହି ଅଧିକାର ପାଇଁ ସମସ୍ତଙ୍କ କର୍ତ୍ତ୍ୟବ ରହିଛି ବୋଲି ଅନେକ ଉଦାହରଣ ଦେଇ ବୁଝାଇ ଥିଲେ। ମୁଖ୍ୟବକ୍ତା ଭାବେ ବରିଷ୍ଠ ଆଇନଜୀବୀ ସୌରଚନ୍ଦ୍ର ମହାପାତ୍ର, ସମ୍ମାନିତ ଅତିଥି ଭାବେ ବରିଷ୍ଠ ଆଇନଜୀବୀ ଜଗବନ୍ଧୁ ସାହୁ ପ୍ରମୁଖ ଯୋଗଦେଇ ମାନବାଧିକାରର ସୁରକ୍ଷା ପାଇଁ ସଚେତନତା ଆବଶ୍ୟକ ବୋଲି କହିଥିଲେ। ପୂର୍ବତନ ଅତିରିକ୍ତ ଜିଲ୍ଲା ଦୌରାଜଜ ବିଶ୍ୱଜିତ ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ସାଧାରଣ ସମ୍ପାଦକ ନରେଶ ଚନ୍ଦ୍ର ଜେନା ବାର୍ଷିକ ବିବରଣୀ ପାଠ କରିଥିଲେ। କାର୍ଯ୍ୟକ୍ରମକୁ ରାଜ୍ୟ ସଂଯୋଜକ ଆଇନଜୀବୀ ମହମ୍ମଦ ଆରିଫ ଉଦ୍ଦିନ ଖାନ, ବିଜୟ ମହାନ୍ତି, ମିତ୍ରଭାନୁ ମହାନ୍ତି ପ୍ରମୁଖ ପରିଚାଳନା କରିଥିଲେ। କାର୍ଯ୍ୟକାରୀ ଅଧ୍ୟକ୍ଷ ଆଇନଜୀବୀ ଜିତେନ୍ଦ୍ର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ବହୁ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
