ମହିଳା କୁସ୍ତି ଖେଳାଳିମାନଙ୍କ ଉପରେ ବିଜେପି ସାଂସଦଙ୍କ ଯୌନ ନିର୍ଯ୍ୟାତନାକୁ ଧିକ୍କାର କରି ଭୁବନେଶ୍ୱରରେ ନାଗରିକ ପ୍ରତିବାଦ

#ଭୁବନେଶ୍ୱର(ଏନ୍.ଏମ୍.): ଯେଉଁ ମହିଳା କୁସ୍ତି ଯୋଦ୍ଧାମାନେ ଦେଶ ବିଦେଶରେ ନିଜର କଳା କୌଶଳ ପ୍ରଦର୍ଶନ କରି ଦେଶର ସୁନାମ ବୃଦ୍ଧି କରୁଥିଲେ ଏବଂ ସ୍ୱୟଂ ପ୍ରଧାନମନ୍ତ୍ରୀ ତା’ର ଶ୍ରେୟ ନେଉଥିଲେ, ଏବେ ସେମାନଙ୍କ ପ୍ରତି ଭାରତୀୟ କୁସ୍ତି ମହାସଂଘର ସଭାପତି ତଥା ବିଜେପି ସାଂସଦ ବ୍ରିଜଭୂଷଣ ସିଂଙ୍କ ଯୌନ ନିର୍ଯାତନା ଘଟଣାରେ ଶାସକ ବିଜେପିର ଲଜ୍ଜା ଜନକ ନୀରବତା ଓ ଅଭିଯୁକ୍ତକୁ ଘଣ୍ଟ ଘୋଡାଇବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଭୁବନେଶ୍ୱର ନାଗରିକ ସମାଜ ପକ୍ଷରୁ ଆଜି ଆୟୋଜିତ ଏକ ଗଣ ପ୍ରତିବାଦରେ ଅଭିଯୋଗ କରାଯାଇଛି । ବିଭିନ୍ନ ନାଗରିକ ଓ ଗଣତାନ୍ତ୍ରିକ ସଂଗଠନ ମାନଙ୍କ ପକ୍ଷରୁ ଆଜି ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ୍ ଛକରେ ଏହି ଘଟଣାକୁ ତୀବ୍ର ନିନ୍ଦା କରି ‘ଧିକ୍କାର ଦିବସ’ ପାଳନ ମାଧ୍ୟମରେ ପ୍ରତିବାଦ ଆୟୋଜନ କରାଯାଇଥିଲା ।
ପ୍ରତିବାଦକାରୀ ମାନେ ଅଭିଯୋଗ କରିଛନ୍ତି ଯେ, ‘ବେଟି ପଢାଓ ଓ ବେଟି ବଢାଓ’ ସ୍ଲୋଗାନ ଦେଉଥିବା ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ବିଜେପି ସରକାର ଦେଶର ସମ୍ମାନମାନଙ୍କୁ ଅସମ୍ମାନିତ କରିବା ଓ ସେମାନଙ୍କୁ ଯୌନ ନିର୍ଯାତନା ଦେବା ଭଳି ଘଟଣା ସାରା ବିଶ୍ୱରେ ଭାରତର ଛବିକୁ ମଳିନ କରିଛି । ଏପରିକି ଅଭିଯୁକ୍ତ ଅପରାଧୀ ବିଜେପି ସାଂସଦଙ୍କ ବିରୋଧରେ ଦିଲ୍ଲୀ ପୁଲିସ ଏତଲା ଗ୍ରହଣ ନକରିବାରୁ ସେମାନଙ୍କୁ ସୁପ୍ରିମକୋର୍ଟ ଯିବାକୁ ପଡ଼ିଛି । କିନ୍ତୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଏପର୍ଯ୍ୟନ୍ତ ଅଭିଯୁକ୍ତ ବ୍ରିଜଭୂଷଣ ସିଂ ଙ୍କୁ ଗିରଫ କରାଯାଇ ନାହିଁ କିମ୍ବା ଭାରତୀୟ କୁସ୍ତି ମହାସଂଘର ସଭାପତି ପଦରୁ ତାଙ୍କୁ ପଦଚ୍ୟୁତ କରାଯାଇ ନାହିଁ । ଅପର ପକ୍ଷରେ ଖରା ଓ ଶୀତ କାକରରେ ନ୍ୟାୟ ପାଇଁ ଲଢେଇ କରୁଥିବା ମହିଳା କୁସ୍ତି ଯୋଦ୍ଧାମାନଙ୍କୁ ସୁରକ୍ଷା ଦେବା ତ ଦୂରର କଥା, ଦିଲ୍ଲୀ ପୁଲିସ୍ ରାତିରେ ଗୁଣ୍ଡା ଭଳି ସେମାନଙ୍କ ଉପରେ ଆକ୍ରମଣ କରିଛି, ଯାହା କଟା ଘା’ରେ ଲୁଣ ଦେବା ଭଳି ଲଜ୍ଜା ଜନକ ନିଦର୍ଶନ ସୃଷ୍ଟି କରିଛି । ମହିଳା କୁସ୍ତି ଯୋଦ୍ଧା ମାନେ ନ୍ୟାୟ ପାଇଁ ରାଜରାସ୍ତାରେ ଆନ୍ଦୋଳନ କରୁଥିବା ବେଳେ ଆଇନର ଶାସନ କଥା କହୁଥିବା ଦେଶର ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ଲଜ୍ଜା ଜନକ ଭାବେ ନିର୍ବାଚନ ପ୍ରଚାରରେ ବ୍ୟସ୍ତ ଅଛନ୍ତି ବୋଲି ପ୍ରତିବାଦକାରୀମାନେ ମତଦେଇଛନ୍ତି ।
ଏହି ପରିପ୍ରେକ୍ଷୀରେ ମହିଳା କୁସ୍ତି ଯୋଦ୍ଧା ମାନଙ୍କୁ ସୁରକ୍ଷା ପ୍ରଦାନ ସହିତ, ମହିଳା କୁସ୍ତି ଯୋଦ୍ଧାମାନଙ୍କ ଉପରେ ଯୌନ ନିର୍ଯ୍ୟାତନା ଅଭିଯୋଗରେ ଅଭିଯୁକ୍ତ ବିଜେପିର ସାଂସଦ ବ୍ରିଜ ଭୂଷଣ ଶରଣ ସିଂହଙ୍କୁ ତୁରନ୍ତ କୁସ୍ତି ଯୋଦ୍ଧା ମହାସଂଘର ସଭାପତି ପଦବୀରୁ ବହିଷ୍କାର କରିବା, ସର୍ବୋଚ୍ଚ ନ୍ୟାୟାଳୟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଦ୍ୱାରା ଏକ ଉଚ୍ଚସ୍ତରୀୟ ତଦନ୍ତ କରି ଅଭିଯୁକ୍ତଙ୍କ ବିରୋଧରେ ଦୃଷ୍ଟାନ୍ତ ମୂଳକ ଦଣ୍ଡ ବିଧାନ କରିବା, ଅଭିଯୋଗକାରୀଙ୍କ ଏଫ.ଆଇ.ଆର ଆଧାରରେ ବ୍ରିଜ ଭୂଷଣ ଶରଣ ସିଂହଙ୍କୁ ତୁରନ୍ତ ଗିରଫ କରିବା, ଆମ ଦେଶର ସମ୍ମାନ, ଗର୍ବ ଏବଂ ଗୌରବ ଜାତୀୟ ମହିଳା କୁସ୍ତିଯୋଦ୍ଧାମାନଙ୍କୁ ନ୍ୟାୟ ଦେବାକୁ ବିଭିନ୍ନ ନାଗରିକ ସମାଜ ଓ ଗଣତାନ୍ତ୍ରିକ ସଂଗଠନ ମାନଙ୍କ ପକ୍ଷରୁ ଦାବି କରାଯାଇଛି । ଆଜିର ଏହି ଧିକ୍କାର ପ୍ରତିବାଦ କାର୍ଯ୍ୟକ୍ରମରେ ବିଶିଷ୍ଟ ସମାଜବିଦ୍ ବୁଦ୍ଧିଜୀବୀ ଆଶା ହଂସ, ନାରୀନେତ୍ରୀ ତାପସୀ ପ୍ରହରାଜ, ପ୍ରାଧ୍ୟାପକ ବିଜୟ ବହିଦାର, ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରା, କୃଷକ ନେତା ସୁରେଶ ପାଣିଗ୍ରାହୀ, ପୂର୍ବତନ ବିଧାୟକ ରାଧାକାନ୍ତ ସେଠୀ, ମହାନଦୀ ବଞ୍ଚାଅ ଆନ୍ଦୋଳନ ନେତା ସୁଦର୍ଶନ ଦାସ, ମାନବାଧିକାର କର୍ମୀ ନରେନ୍ଦ୍ର ମହାନ୍ତି, ଶ୍ରମିକ ନେତା ମହେନ୍ଦ୍ର ପରିଡ଼ା, ପ୍ରଭାତ ପାଣିଗ୍ରାହୀ, ନାରୀନେତ୍ରୀ ପୁଷ୍ପା ପଣ୍ଡା, ମୀନତି ପାଣିଗ୍ରାହୀ, ସମାଜସେବୀ ସ୍ନେହ ମିଶ୍ର, ଡ. ଶ୍ରୀଚରଣ ବେହେରା, ସସ୍ମିତା ଜେନା, ରୁମିତା କୁଣ୍ଡୁ, ଅଖିଳ ଭାରତ ଜନମଞ୍ଚର ପଞ୍ଚାନନ ସେନାପତି, ପ୍ରଭାସ ସାମନ୍ତରାୟ, ସାମ୍ବାଦିକ ସତୀଶ୍ ମିଶ୍ର, ରାଷ୍ଟ୍ରୀୟ ଯୁବା ସଂଗଠନର ମାନସ ପଟ୍ଟନାୟକ, ଯୁବ ନେତା ରାକେଶ କାନୁନଗୋ, ଷ୍ଟାଲିନ୍ ଲେଙ୍କାଙ୍କ ସମେତ ବିଭିନ୍ନ ଗଣସଂଗଠନ ପକ୍ଷରୁ ରଶ୍ମୀପ୍ରଭା ନାୟକ, କ୍ଷୀରମଣୀ ମହାନ୍ତ, ପ୍ରଦୀପ ମହାନ୍ତି, ରାମଚନ୍ଦ୍ର ତ୍ରିପାଠୀ, ସୁଶୀଲ ଗିରି, ଜଗଦୀଶ ଜେନା, ଅମୀୟ ପଟ୍ଟନାୟକ, କବିତା ନାୟକ, ବିଷ୍ଣୁପ୍ରିୟା ମହାରଣା, ମମତା ସ୍ୱାଇଁ, ସରୋଜିନୀ ସେଠୀ, ନିରୁପମା ନାୟକ ଓ ଅନ୍ୟାନ୍ୟ ବହୁ ପ୍ରତିବାଦକାରୀ ସାମିଲ୍ ହୋଇଥିଲେ । ତେବେ ମହିଳା କୁସ୍ତି ଯୋଦ୍ଧାମାନଙ୍କୁ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ପ୍ରତିବାଦ ସ୍ଥଳୀରେ ଘୋଷଣା କରାଯାଇଥିଲା ।