ବେଙ୍ଗାଲୁରୁ ଠାରେ ଓଡ଼ିଶାର ଚିତ୍ରକଳା ପ୍ରଦର୍ଶନୀ ଉଦଘାଟିତ

ବେଙ୍ଗାଲୁରୁ ଠାରେ ଓଡ଼ିଶାର ଚିତ୍ରକଳା ପ୍ରଦର୍ଶନୀ ଉଦଘାଟିତ
ପ୍ରଦର୍ଶନୀ ମାଧ୍ୟମରେ ନିଜକୁ ପ୍ରତିଷ୍ଠିତ କରିପାରିବେ ଆମ ରାଜ୍ୟର ଶିଳ୍ପୀ- ସଂସ୍କୃତି ମନ୍ତ୍ରୀ

News by I&PR Odisha

ଭୁବନେଶ୍ୱର(ଏନ୍‌.ଏମ୍‌.): ବେଙ୍ଗାଲୁରୁର କର୍ଣ୍ଣାଟକ ଚିତ୍ରକଳା ପରିଷଦ ଆର୍ଟ ଗ୍ୟାଲେରୀ ଠାରେ ଓଡ଼ିଶାର ପ୍ରସିଦ୍ଧ ଆଦିବାସୀ (ସଉରା) ଚିତ୍ରକଳାର ପ୍ରଦର୍ଶନୀକୁ ଆଜି ଅପରାହ୍ଣରେ ମୁଖ୍ୟଅତିଥି ଭାବେ ଯୋଗଦେଇ ରାଜ୍ୟ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ଏବଂ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ଉଦଘାଟନ କରିଛନ୍ତି । ପ୍ରଦର୍ଶନୀ ଉଦଘାଟନ ଉତ୍ସବରେ ଯୋଗଦାନ କରି ମନ୍ତ୍ରୀ ଶ୍ରୀ ପାତ୍ର ଆମର କଳା ଓ ସ୍ଥାପତ୍ୟକୁ ନେଇ କିପରି ଶିଳ୍ପୀମାନେ ଭାରତର ପ୍ରମୁଖ ସହରମାନଙ୍କରେ ପ୍ରଦର୍ଶନୀ କରି ନିଜକୁ ପ୍ରତିଷ୍ଠିତ କରିପାରିବେ, ତାହା ପ୍ରକାଶ କରିଥିଲେ । ଏଥି ସହିତ ଓଡ଼ିଶା ଲଳିତ କଳା ଏକାଡ଼େମୀର ଏଭଳି ପ୍ରୟାସକୁ ମନ୍ତ୍ରୀ ଶ୍ରୀ ପାତ୍ର ପ୍ରଶଂସା କରିଥିଲେ । ସମ୍ମାନିତ ଅତିଥି ଭାବେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟଶାସନ ସଚିବ ମଧୁସୂଦନ ପାଢୀ, କର୍ଣ୍ଣାଟକ କନ୍ନଡ ସଂସ୍କୃତି ବିଭାଗର ସଚିବ ଡକ୍ଟର ଏନ.ମଞ୍ଜୁଳା, ଓଡ଼ିଶା ଲଳିତ କଳା ଏକାଡେମୀର ସଭାପତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଓ କର୍ଣ୍ଣାଟକ ଲଳିତ କଳା ଏକାଡ଼େମୀର ସଭାପତି ଡି.ମହେନ୍ଦ୍ର ପ୍ରମୁଖ ଶିଳ୍ପୀମାନଙ୍କ ଚିତ୍ରକଳାକୁ ଅବଲୋଚନ କରିବା ସହ ସେଥିରେ ଆଦିବାସୀ ଜନଜାତି ସଂସ୍କୃତି, ଫସଲ ଅମଳ, ନାଚ ଗୀତ, ପୂଜା ପାର୍ବଣ ଆଦି ବିଷୟ ବସ୍ତୁ ସବୁ ଖୁବ୍ ମର୍ମସ୍ପର୍ଶୀ ହୋଇଛି ବୋଲି ପ୍ରକାଶ କରିଥିଲେ । ପ୍ରାରମ୍ଭରେ ଏକାଡ଼େମୀର ସଚିବ ତଥା ଚିତ୍ରଶିଳ୍ପୀ ପଞ୍ଚାନନ ସାମଲ ଅତିଥିମାନଙ୍କୁ ସ୍ୱାଗତ କରିବା ସହ ଉକ୍ତ ପ୍ରଦର୍ଶନୀ ଦ୍ୱାରା ଶିଳ୍ପୀମାନେ କାନଭାସ ଉପରେ ଓଡ଼ିଶାର କଳା ଓ ସଂସ୍କୃତିକୁ ସୁନ୍ଦର ଭାବେ ଚିତ୍ରଣ କରିଛନ୍ତି ବୋଲି କହିଥିଲେ । ପ୍ରକାଶ ଥାଉକି, ଗତ ଜୁଲାଇ ୨୮ତାରିଖ ଠାରୁ ଆରମ୍ଭ ହୋଇଥିବା ଆଦିବାସୀ ଚିତ୍ରକଳା ଶିବିରରେ ୪ ଦିନ ଧରି ଅଙ୍କନ କରିଥିବା ଚିତ୍ରଗୁଡିକୁ ନେଇ ଆୟୋଜିତ ଏହି ପ୍ରଦର୍ଶନୀହୋଇଥିଲା । ଓଡିଶାରୁ ଆସିଥିବା ୨୫ ଜଣ ଆଦିବାସୀ ଶିଳ୍ପୀ ଏଠାକାର ପ୍ରଦର୍ଶନୀ ଗୃହ ଓ ଆର୍ଟ ମିଉଜିୟମ ଦେଖିବା ସହ ଅନ୍ୟ ସ୍ଥାନମାନ ଦେଖିଥିଲେ । ଏହି ପ୍ରଦର୍ଶନୀ ଜୁଲାଇ ୩ ତାରିଖ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ଖୋଲା ରହିବ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *