ବିଭିନ୍ନ ସମସ୍ୟାରେ ବୁଡି ରହିଛନ୍ତି ବିଜୁ ଆଦର୍ଶ କଲୋନୀ : ପାଣି ପାଇଁ ତ୍ରାହି ତ୍ରାହି ଡାକିଲେଣି କଲୋନୀ ବାସୀ

#ଜଗତପୁର(ଏନ୍.ଏମ୍.): କଟକ ମହାନଗର ନିଗମ ୪୮ ନମ୍ବର ୱାର୍ଡ ଜଗତପୁର ସ୍ଥିତ ଜୟ ମା’ ମଙ୍ଗଳା ବିଜୁ ଆଦର୍ଶ କଲୋନୀ ବାସୀ ବିଭିନ୍ନ ସମସ୍ୟା ଭିତରେ ଘାଣ୍ଟି ହେଉଥିବା ବେଳ ପାନୀୟ ଜଳ ସଂଙ୍କଟ ଯୋଗୁଁ ତ୍ରାହି ତ୍ରାହି ଡାକିଲେଣି । ପ୍ରତିଦିନ ୪୪ ରୁ ୪୫ ଡିଗ୍ରୀ ତାପମାତ୍ରାରେ ଜନଜୀବନ ଅସ୍ତବ୍ୟସ୍ତ ହେଇପଡୁଥିବାବେଳେ ବିଜୁ ଆଦର୍ଶ କଲୋନୀ ବାସୀ ପିଇବା ପାଇଁ ପାଣି ଟୋପେ ପାଉ ନାହାଁନ୍ତି । ଜଗତପୁର ଆଇବି ରୋଡ ଠାରେ ୱାଟର କର୍ପୋରସନ ଅଫ ଓଡିଶା (ୱାଟକୋ) ସାରା ଜଗତପୁର ଅଞ୍ଚଳକୁ ପାନୀୟ ଜଳ ଯୋଗାଉ ଥିଲେ ମଧ୍ୟ ଏହାର ମାତ୍ର ୧୦୦ ମିଟର ଦୁରରେ ଥିବା ବିଜୁ ଆର୍ଦଶ କଲୋନୀର ବସ୍ତି ବାସିନ୍ଦା ପାଣି ଟୋପେ ପାଇଁ ଡହଳ ବିକଳ ହେଉଛନ୍ତି । ତେବେ ୱାଟକୋ ପକ୍ଷରୁ କଲୋନୀ ବାସୀଙ୍କୁ ଦିନରେ ସକାଳେ ଦୁଇ ଘଣ୍ଟା ଓ ସଂନ୍ଧ୍ୟାରେ ଦୁଇ ଘଣ୍ଟା ପାଣି ଦିଆଯାଇ ପାଣି ବନ୍ଦ କରିଦିଆଯାଉଛି । ରାଜ୍ୟ ସରକାର ନିଜର ପ୍ରଚାର ପ୍ରସାର ପାଇଁ ଛକ ଛକରେ ୨୪ ଘଣ୍ଟିଆ ପାନୀୟ ଜଳ ଯୋଗାଣ କରାଯାଉଛି ବୋଲି ବଡ ବଡ ହୋଡିଙ୍ଗ ବ୍ୟାନରରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳ ସାଧାରଣ ଲୋକେ ପାଣି ଟୋପେ ପାଉ ନାହାଁନ୍ତି । ୱାଟକୋ ପକ୍ଷରୁ ଜଗତପୁର ବାସୀଙ୍କ ଠାରୁ ଜଳ ପାଇଁ ମାସିକିଆ ଅର୍ଥ ମଧ୍ୟ ଆଦାୟ କରାଯାଉଥିବାବେଳେ ସାଧାରଣ ଲୋକେ ପାଣି ଟୋପେ ପାଉନାହାଁନ୍ତି । ପ୍ରାୟ ୩ ବର୍ଷ ହେବ କଲୋନୀ ଭିତରେ ଡ୍ରେନ ନିର୍ମାଣ ହୋଇଥିଲେ ମଧ୍ୟ ଡ୍ରେନ ପାଣିର କୌଣସି ନିଷ୍କାସନ ବ୍ୟବସ୍ଥା ନଥିବାରୁ କଲୋନୀ ବାସୀ ଦୁର୍ଗନ୍ଧ ମୟ ପରିବେଷରେ ମଶା ଡାଆଁଶରେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି । ୨୦୨୦ ମସିହାରେ ଦୀର୍ଘ ୪ ବର୍ଷ ହେବ କଟକ ବଡ ମେଡିକାଲକୁ ବିଶ୍ୱସ୍ତରୀୟ ମାନ୍ୟତା ଦେବା ପାଇଁ ରାସ୍ତା ସଂପ୍ରସାରଣ ନିମନ୍ତେ କଟକ ରାଣିହାଟ ୩୫ ନମ୍ବର ୱାର୍ଡ ବସ୍ତି ବାସିନ୍ଦାଙ୍କୁ ସେଠାରୁ ଉଚ୍ଛେଦ କରାଯାଇ ସେମାନଙ୍କୁ ଜଗତପୁର ୪୮ ନମ୍ବର ୱାର୍ଡ ବିରୂପା ନଦୀ ପଠା ପୋତି ସେଠାରେ ଜମି ଓ ଘର ପାଇଁ କିଛି ପଇସା ଦେଇ ସରକାର ହାତ ଟେକିଦେଲେ । ଏହି କଲୋନୀର ୮ଶହରୁ ଉର୍ଦ୍ଧ୍ୱ ପରିବାର ବସ ବାସ କରୁଥିବା ବେଳେ ମା’ ମଙ୍ଗଳା ବିଜୁ ଆର୍ଦଶ କଲୋନୀ, ବିଜୁ ବାବୁ କଲୋନୀ, ମେଡିକାଲ ସାହି- ସୁଇପର କଲୋନୀ ଓ ବୋଷ କଲୋନୀରେ ପ୍ରାୟ ୩ ହଜାରରୁ ଉର୍ଦ୍ଧ ଲୋକ ବସବାସ କରୁଛନ୍ତି । ଜୟ ମା ମଙ୍ଗଳା ବିଜୁ ଆଦର୍ଶ କଲୋନୀ ସମ୍ପାଦକ ସୁକାନ୍ତ ନାୟକ, ନାରୀ ନେତ୍ରୀ ମାନସୀ ଦେଇ, ଯୁବ ସଙ୍ଗଠକ ଜୁଲୁ ନାୟକ, ଭୁକେନ୍ଦ୍ର ନାୟକ, କଳ୍ପନା ନାୟକ, ନିଖି ନାୟକ, ମାମା ନାୟକ, ସବିତା ବେଉଆ, କୁନୀ ମୁଖି, ସୌଦାମିନ ନାୟକ ପ୍ରମୁଖ ଅଭିଯୋଗ କରିଛନ୍ତି ଯେ, ସେମାନଙ୍କୁ ଯଦି ପାନୀୟ ଜଳ ଠିକ୍ ଠାକ ଦିଆନଯାଏ ସେମାନେ ଆଇବି ରୋଡ ବା ଭିଆଇପି ରୋଡ ଉପରେ ପାଣି ପାଇଁ ଧାରଣା ଦେବେ । ବିଜୁ ଆଦର୍ଶ କଲୋନୀ ସଭାପତି ବିଷ୍ଣୁ ନାୟକ ବର୍ଷକ ଖରା ୪ ମାସ ୨୪ ଘଣ୍ଟିଆ ପାଣି ଦେବା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ।
