ବିବଶ ମହାନଦୀ: ଚିତ୍ରକଳା ମାଧ୍ୟମରେ ଟ୍ରିବ୍ୟୁନାଲକୁ ବାର୍ତ୍ତା ଦେଲେ ଚିତ୍ର ଶିଳ୍ପୀ

#କଟକ(ଏନ୍.ଏମ୍.): ସ୍ଥାନୀୟ ଗଡ଼ଗଡିଆ ମନ୍ଦିର ପ୍ରାଙ୍ଗଣରେ କଟକ ଆର୍ଟିଷ୍ଟ ସଂଗଠନ ତରଫରୁ ମହାନଦୀର ସାମ୍ପ୍ରତିକ ପରିସ୍ଥିତି ସମ୍ପର୍କରେ “ତୁଳିରେ ବିବଶ ମହାନଦୀ’ ଶୀର୍ଷକ ଏକ ଚିତ୍ର ଅଙ୍କନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଚିତ୍ରଶିଳ୍ପୀମାନେ ମହାନଦୀର ବିବଶ ସ୍ଥିତି ଉପରେ ନିଜ ନିଜ ତୁଳିରେ ଚିତ୍ର ଅଙ୍କନ କରିଥିଲେ । ପ୍ରାୟ ପଚାଶରୁ ଉର୍ଦ୍ଧ ଚିତ୍ରଶିଳ୍ପୀ ଯୋଗଦେଇ ବର୍ତ୍ତମାନ ମହାନଦୀର ସାମ୍ପ୍ରତିକ ଦୁଃସ୍ଥିତିର ନିଚ୍ଛକ ଚିତ୍ରମାନ ଆଙ୍କିଥିଲେ । ମହାନଦୀର ଏହି ସବୁ ଜୀବନ୍ତ ଚିତ୍ର ସମସ୍ତଙ୍କୁ ବିମୋହିତ କରିଥିଲା । ଏହି ଜୀବନ୍ତ ଚିତ୍ର ଗୁଡିକ ମହାନଦୀ ଟ୍ରିବ୍ୟୁନାଲଙ୍କୁ ପ୍ରଦାନ କରାଯିବାର ପ୍ରୟାସ କରାଯାଇଛି ।
ମହାନଦୀ ଟ୍ରିବ୍ୟୁନାଲ ବର୍ତ୍ତମାନ ଝାରସୁଗୁଡା ଠାରୁ ଆରମ୍ଭ କରି ଚିଲିକା ଓ ଭିତରକନିକା ତଥା ସମୁଦ୍ରରେ ମିଶିବା ପର୍ଯ୍ୟନ୍ତ ଓଡ଼ିଶାରେ ମହାନଦୀର ବାସ୍ତବ ସ୍ଥିତି ଅନୁଧ୍ୟାନ କରୁଛନ୍ତି । ଯେହେତୁ ଆଇନତଃ ଟ୍ରିବ୍ୟୁନାଲ ନିକଟରେ ସରକାରୀ ବ୍ୟବସ୍ଥା ଛଡା ଅନ୍ୟ କେହି ମହାନଦୀ ସମ୍ପର୍କରେ ଆଲୋଚନା କରିପାରିବେ ନାହିଁ, ତେଣୁ ଗଣମାଧ୍ୟମ ଓ ସଚେତନତା ବାର୍ତ୍ତା ମାଧ୍ୟମରେ ଟ୍ରିବ୍ୟୁନାଲର ଦୃଷ୍ଟି ଆକର୍ଷଣ କରିବା ଉଦ୍ୟେଶରେ ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଚିତ୍ର ଆଙ୍କି ସିଏମସି ମେୟର ସୁବାସ ସିଂହ ଓ ବିଧାୟକ ଇଂ. ମହମ୍ମଦ ମୋକିମ୍ ଉଦ୍ଘାଟନ କରିଥିଲେ । ଏଥିରେ ବକ୍ତବ୍ୟ ରଖି ବିଧାୟକ ଇଂ.ମୋକିମ ମହାନଦୀର କୂଳେ କୂଳେ ସୁଖାସୋଡ଼ାରୁ ପାରାଦ୍ୱୀପ ପର୍ଯ୍ୟନ୍ତ ପଦଯାତ୍ରା କରି ଜନ ଆନ୍ଦୋଳନ ପାଇଁ ପ୍ରସ୍ତାବ ଦେଇଥିଲେ । ମେୟର ଶ୍ରୀ ସିଂହ ମହାନଦୀ ପାଇଁ ସବୁ ରାଜନୈତିକ ଦଳ ଏକଜୁଟ ହୋଇ ଲଢେଇ କରିବାକୁ ନିବେଦନ କରିଥିଲେ । ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା କଂଗ୍ରେସ ପ୍ରଚାର କମିଟି ଅଧକ୍ଷ ବିଜୟ ପଟ୍ଟନାୟକ ଟ୍ରିବ୍ୟୁନାଲ ଅଣମୌସୁମୀ ସମୟରେ ଜଳପ୍ରବାହ ପାଇଁ ଆନ୍ତରୀଣ ଆଦେଶ ଦେବାକୁ ଚାପ ପ୍ରୟୋଗ ନିମିତ୍ତ ଜନମତ ସୃଷ୍ଟି ଓ ପୂର୍ବ ପ୍ରସ୍ତାବିତ ସିଣ୍ଡୋଲ-୧ ସିଣ୍ଡୋଲ-୨, ସିଣ୍ଡୋଲ-୩ ପ୍ରୋଜେକ୍ଟ କାର୍ଯ୍ୟକାରୀ ପାଇଁ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ନେବାକୁ କହିଥିଲେ । ବରିଷ୍ଟ ସାମ୍ବାଦିକ ଅରୁଣ ପଣ୍ଡା ମହାନଦୀ ପାଇଁ ସମର୍ପିତ ଭାବେ କିଛି ଯୁବକ ଆତ୍ମହୁତି ଭଳି ଚରମ ଆନ୍ଦୋଳନ ଜରୁରୀ ବୋଲି କହିଥିଲେ । ମହାନଦୀ ବଞ୍ଚାଅ ଆନ୍ଦୋଳନର ସଂଯୋଜକ ବିଜୟ ପ୍ରଧାନ, ମୁଖପାତ୍ର ପ୍ରସନ୍ନ ବିଷୋୟୀ, ପ୍ରଫେସର ନିରଞ୍ଜନ ତ୍ରିପାଠୀ, ପ୍ରସିଦ୍ଧ ଚିତ୍ର ଶିଳ୍ପୀ ରବି ରଥ, ପ୍ରଣବ ଅଖଣ୍ଡ, ସଞ୍ଜୀବ ବିଶ୍ୱାଳ, କ୍ଷିତୀଶ ପାତ୍ର, ଗଙ୍ଗାଧର ବେହେରା, ବନଲତା ଦେବୀ, ନଳିନୀ ରାୟ, ବିକି ଚକ୍ରବର୍ତ୍ତୀ ପ୍ରମୁଖ ଯୋଗ ଦେଇ ମହାନଦୀ ସମ୍ପର୍କରେ ନିଜର ବକ୍ତବ୍ୟ ରଖିଥିଲେ । କଟକ ଚିତ୍ରଶିଳ୍ପୀ ସଂଗଠନର ସମ୍ପାଦକ ସଂଜୀବ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ ।

