ବିଜେପିର ଅଭିଯୋଗ ବିଜେଡ଼ି ଉଲ୍ଲଙ୍ଘନ କଲା ଆଦର୍ଶ ଆଚରଣ ବିଧି

ବିଜେପିର ଅଭିଯୋଗ ବିଜେଡ଼ି ଉଲ୍ଲଙ୍ଘନ କଲା ଆଦର୍ଶ ଆଚରଣ ବିଧି

News by Dillip Kumar Muduli (BBSR)

#ଭୁବନେଶ୍ୱର(ଏନ୍‌.ଏମ୍‌.): ଧାମନଗର ଉପନିର୍ବାଚନରେ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ବିଜୁ ଜନତା ଦଳ ଖୋଲାଖୋଲି ଭାବେ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରୁଥିବା ବିଜେପି ଅଭିଯୋଗ କରିଛି । ନିର୍ବାଚନ ପରିଚାଳନା ଦାୟିତ୍ୱରେ ଥିବା ରାଜ୍ୟ ନିର୍ବାଚନ ଅଧିକାରୀ ବିଭିନ୍ନ ବେଆଇନ କାର୍ଯ୍ୟରେ ଶାସକ ବିଜେଡିକୁ ଘଣ୍ଟ ଘୋଡାଇବା ସହିତ ନିଜେ ଆଚରଣ ବିଧି ଉଲ୍ଲଂଘନ କରୁଛନ୍ତି । ନିଜେ ସିଇଓ ବାଡ ସାଜି, କ୍ଷେତ ଖାଇବା ଭଳି କାର୍ଯ୍ୟରେ ବ୍ୟସ୍ତ ଥିବା କାରଣରୁ ଧାମନଗର ଉପନିର୍ବାଚନ ଅବାଧ, ମୁକ୍ତ ଓ ନିରପେକ୍ଷ ହେବା ନେଇ ସନ୍ଦେହ ସୃଷ୍ଟି ହୋଇଛି । ଶାସକ ବିଜେଡି ନେତା, ମନ୍ତ୍ରୀ ଓ କର୍ମୀମାନଙ୍କ ଚାପରେ ସରକାରୀ କର୍ମଚାରୀମାନେ ବିଜେଡି ସପକ୍ଷରେ ଭୋଟ କରାଇବା ଦାୟିତ୍ୱରେ ନିୟୋଜିତ ଅଛନ୍ତି ବୋଲି ବିଜେପି ପକ୍ଷରୁ କୁହାଯାଇଛି । ତେବେ ଏହି ପ୍ରସଙ୍ଗରେ ବିଜେପି ତରଫରୁ ସିଇଓ, ଭଦ୍ରକ ଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଫିସରଙ୍କୁ ତଥ୍ୟ ଓ ପ୍ରମାଣ ସହିତ ବାରମ୍ବାର ଅଭିଯୋଗ କରାଯିବା ସତ୍ତ୍ୱେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ଏସଏଚଜି ଗ୍ରୁପ ଜରିଆରେ ଟଙ୍କା ବାଣ୍ଟିବାର ପ୍ରମାଣ ଦିଆଯିବା ସତ୍ତ୍ୱେ ସିଇଓ କିମ୍ବା ଜିଲ୍ଲାପାଳ କୌଣସି କାର୍ଯ୍ୟାନୁଷ୍ଠାନ ନେଲେ ନାହିଁ । ଅନ୍ୟ ପଟେ ନିଜ ଆଡୁ କୌଣସି ତତ୍ପରତା କିମ୍ବା ପଦକ୍ଷେପ ଗ୍ରହଣ କରୁନଥିବା ଉଭୟ ସିଇଓ ଓ ଜିଲ୍ଲାପାଳ ପ୍ରଛଦପଟରେ ରହି ଶାସକ ବିଜେଡି ସପକ୍ଷରେ ଏଭଳି ବେଆଇନ କାର୍ଯ୍ୟକୁ ପ୍ରୋତ୍ସାହିତ କରୁଛନ୍ତି ବୋଲି ଆଜି ଭୁବନେଶ୍ୱର ଠାରେ ବିଜେପି ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ନେତାମାନେ ଅଭିଯୋଗ ଉଠାଇଛନ୍ତି । ଧାମନଗର ନିର୍ବାଚନ ପାଇଁ ଅନୁଷ୍ଠିତ କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ରାଜ୍ୟ ଗ୍ରାମ ଉନ୍ନୟନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡାଇ, ରାଜ୍ୟସଭା ସାଂସଦ ସୁଲତା ଦେଓ, ଖଦି ବୋର୍ଡ ଅଧ୍ୟକ୍ଷ ଏବଂ ଅନ୍ୟାନ୍ୟ ସ୍ଥାନୀୟ ନେତୃବୃନ୍ଦଙ୍କ ଉପସ୍ଥିତିରେ ପ୍ରତ୍ୟେକ ପଞ୍ଚାୟତ ପାଇଁ ୧କୋଟି ଟଙ୍କାର ପୁରସ୍କାର ଘୋଷଣା କରାଯାଇଛି । ଏହାର ଭିଡିଓ ବର୍ତ୍ତମାନ ହାଟରେ ପଡି ଦାଣ୍ଡରେ ବୁଲୁଛି, ତଥାପି ଉଭୟ ସିଇଓ ଏବଂ ଜିଲ୍ଲାପାଳ ନୀରବ । ନିଜ କର୍ତବ୍ୟ ଓ ଦାୟିତ୍ୱରୁ ଓହରି ଯାଇ ଉଭୟ ସିଇଓ ଓ ଜିଲ୍ଲାପାଳ ଶାସକ ବିଜେଡି ସପକ୍ଷରେ କାର୍ଯ୍ୟ କରିବା ସମ୍ପୂର୍ଣ୍ଣ ଅଗଣତାନ୍ତ୍ରୀକ ଓ ଆଇନବିରୋଧୀ ବୋଲି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି । ଏହି ଅବସରରେ ରାଜ୍ୟ ଉପସଭାପତି ପ୍ରଭାତୀ ପରିଡା, ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ, ଡକ୍ଟର ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ, ମୁଖପାତ୍ର ମନୋଜ ମହାପାତ୍ର, ଲିଗାଲ ସେଲ ରାଜ୍ୟ ସଂଯୋଜକ ଜୟନ୍ତ ଜେନା, ରାଜ୍ୟ ଗଣମାଧ୍ୟମ ସହମୁଖ୍ୟ ସୁଜିତ୍ ଦାସ୍ ପ୍ରମୁଖ ଉପସ୍ଥିତ ଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *