ବିଜେଡି ସଭାନେତ୍ରୀଙ୍କ ନାଁରେ ଜିଲ୍ଲାପାଳଙ୍କୁ ଅଭିଯୋଗ


ରାୟଗଡା (ଏନ୍‌.ଏମ୍‌.) : ଆତ୍ମଘୋଷିତ ପୂର୍ବତନ ବିଜେଡି ସଭାନେତ୍ରୀ ତଥା ମାନବଅଧିକାର ସଦସ୍ୟା ସାବିତ୍ରୀ ଗମାଙ୍ଗଙ୍କ ନାଁରେ ଜମି ହଡ଼ପ ଅଭିଯୋଗ। ୮ ଏକରରୁ ଉର୍ଦ୍ଧ୍ୱ ସରକାରୀ ଜମିକୁ ହଡ଼ପ କରିବା ନେଇ ଗ୍ରାମବାସୀ କରିଛନ୍ତି ଅଭିଯୋଗ। ଗ୍ରାମବାସୀମାନେ ଜିଲ୍ଲାପାଳଙ୍କୁ ଭେଟି କରିଛନ୍ତି ଏଭଳି ଅଭିଯୋଗ। ଯାହାକି ସ୍ଥାନୀୟ ଅଂଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ରାମନାଗୁଡ଼ା ବ୍ଲକର କୁଜେନ୍ଦ୍ରି ପଞ୍ଚାୟତ ନାରାୟଣ ଗୁଡା ଗାଁରେ ବନ୍ଧ ଜମି (୪.୬୭) ଏକର ଏବଂ ହରିଜନ ଶ୍ମଶାନ ଜମି ୪.୮୦ ସରକାରୀ ଜମିକୁ ସାବିତ୍ରୀ ଗମାଙ୍ଗ ଓ ତାଙ୍କ ପରିବାର ନିଜର ଦଖଲରେ ରଖିଛନ୍ତି। ରାମନାଗୁଡ଼ା ପ୍ରଶାସନଙ୍କ ନିର୍ଦ୍ଦେଶରେ ଏହି ଜମିକୁ ମାପ କରାଯାଇଥିଲା। ଯାହାକି ସମ୍ପୂର୍ଣ ସରକାରୀ ଜମି ବୋଲି ଜଣାପଡିଥିଲା। ସେହି ଜମିକୁ ଛାଡ଼ିବାପାଇଁ ରାମନାଗୁଡ଼ା ପ୍ରଶାସନ ନିର୍ଦ୍ଦେଶ ଦେଇଥିଲା। କିନ୍ତୁ ସାବିତ୍ରୀ ଗମାଙ୍ଗ ପ୍ରଶାସନ ଆଦେଶକୁ ବେଖାତିରି କରି ନିଜ ଅକ୍ତିଆରରେ ରଖିଛନ୍ତି । ୧୦୦ ବର୍ଷ ପୂର୍ବେ ତାଙ୍କ ପୂର୍ବଜମାନେ ଦେଣ ନେଣ ପ୍ରକ୍ରିୟାରେ ଦାନକରିଥିବା ଜାଗାକୁ ଖାଲି କରିବାକୁ ଗାଁ ବସ୍ତିବାସିନ୍ଦାଙ୍କୁ ସାବିତ୍ରୀ ଚାପ ପକାଉଥିବା ଅଭିଯୋଗ ହୋଇଛି। ଏପରିକି ୨ ଲକ୍ଷ ଟଙ୍କାର ଏକ ମିଥ୍ୟା ସତ୍ୟପାଠ କରି ସେହିଜାଗାକୁ ଗାଁର ଅନ୍ୟ ଜଣେ ବ୍ୟକ୍ତିକୁ ବିକ୍ରି ହୋଇଥିବା କହିଛନ୍ତି ସାବିତ୍ରୀ। ଏଭଳି ଅତ୍ୟାଚାରରୁ ମୁକୁଳିବା ପାଇଁ ଗ୍ରାମବାସୀ ରାୟଗଡା ଜିଲ୍ଲାପାଳଙ୍କୁ ଭେଟିଛନ୍ତି। ଅଭିଯୋଗ ଉପରେ ପ୍ରଶାସନ ହସ୍ତକ୍ଷେପ କରିବା ପାଇଁ ଅନୁରୋଧ କରିଛନ୍ତି ଗ୍ରାମବାସୀ।

Leave a Reply

Your email address will not be published. Required fields are marked *