ବିଜେଡିରୁ ଇସ୍ତଫା ଦେଲେ ସାଂସଦ ଭର୍ତ୍ତୃହରି ମହତାବ
‘ଦଳଠାରୁ ଦୂରେଇ ଗଲେ ପ୍ରଖର କାମ କରିପାରିବି’


#କଟକ(ଏନ୍‌.ଏମ୍‌.): ସାଧାରଣ ନିର୍ବାଚନ ପାଇଁ ରାଜନୈତିକି ଶିବିରରେ ଦୁନ୍ଦୁଭି ବାଜୁଥିବାବେଳେ ବରିଷ୍ଠ ସାଂସଦ ଭର୍ତ୍ତୃହରି ମହତାବ ବିଜେଡିରୁ ଇସ୍ତଫା ଦେବା ରାଜନୈତିକ ସମୀକ୍ଷକଙ୍କ ଅଙ୍କକୁ ସତେ ଯେମିତି ବିଗାଡ଼ି ଦେଇଛି । ହଠାତ ଶ୍ରୀ ମହତାବ ଇସ୍ତଫା ଦେବା ପରେ ରାଜନୈତିକ ପାଣିପାଗ କେଉଁ ଆଡ଼କୁ ଯାଉଛି ତାହାକୁ ଦେଖିବାକୁ ବାକି ରହିଲା । ଏହି ଅବସରରେ ଭର୍ତ୍ତୃହରି ମହତାବ ଯେଉଁ ଇସ୍ତଫା ପତ୍ର ଦେଇଛନ୍ତି ସେଥିଲେ ଉଲ୍ଲେଖ ଅଛି ଯେ, ‘ଯେଉଁ ବିଜୁ ଜନତା ଦଳ ଗଠନର ଆରମ୍ଭରୁ ମୁଁ ସଂପୃକ୍ତ, ଯାହାର ସମୃଦ୍ଧରେ ମୋର ମଧ୍ୟ କିଛି ଅବଦାନ ରହିଛି, ଆଜି ସେ ଦଳରୁ ମୁଁ ଭଗ୍ନ ହୃଦୟରେ ସମ୍ପର୍କ ଛିନ୍ନ କରିବାକୁ ବାଧ୍ୟ ହେଉଛି । ଏହି ପତ୍ର ଜରିଆରେ ମୁଁ ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଉଛି । ତୁରନ୍ତ ଏହାକୁ ଗ୍ରହଣ କରିନେବାକୁ ଅନୁରୋଧ ।’ ବିଜୁ ଜନତା ଦଳରୁ ପ୍ରାର୍ଥୀ ହୋଇ କଟକ ଲୋକସଭା ଆସନରୁ କ୍ରମାଗତ ଭାବେ ୬ ଥର ସାସଂଦ ଭାବେ ନିର୍ବାଚିତ ହୋଇଥିବା ଭର୍ତ୍ତୃହରି ମହତାବ୍ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ୫ ଧାଡିଆ ପ୍ରତ୍ର ଲେଖି ବିଜୁ ଜନତା ଦଳରୁ ଆଜି ଅପରାହ୍ଣରେ ଇସ୍ତଫା ପ୍ରଦାନ କରିଛନ୍ତି । କଟକରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ନିଜେ ଶ୍ରୀ ମହତାବ ଏହି ସୂଚନା ଦେଇଥିଲା ବେଳେ ଭବିଷ୍ୟତରେ କେଉଁ ଦଳରେ ଯୋଗଦେବେ ସେ ନେଇ କିଛି ସ୍ପଷ୍ଟ କରିନାହାନ୍ତି । ଆଜି ଗଣମାଧ୍ୟମ ପ୍ରତିନିଧିଙ୍କୁ ସେ କହିଥିଲେ ଯେ ଧୈର୍ଯ୍ୟର ଗୋଟିଏ ସୀମା ଥାଏ । ଧୈର୍ଯ୍ୟ ସୀମା ଟପିଗଲା । ଦଳର ସଞ୍ଚାଳନ ଓ ପରିଚାଳନାରେ ସଂଶୋଧନ ପାଇଁ ଅନେକ ଉଦ୍ୟମ କରିଛି । ଦଳର ଆଚରଣ ସଂଶୋଧନ ପାଇଁ ବହୁବାର ଚେଷ୍ଟା କରି ବିଫଳ ହେଲି । ସେଥିପାଇଁ ଦଳରେ ରହିବା ଆବଶ୍ୟକ ମନେ କଲି ନାହିଁ । ଦଳରେ ରହି ବହୁତ ସହିଛି । ସହି ସହି ଅସହ୍ୟ ହେଲା ପରେ ଏମିତି ନିଷ୍ପତ୍ତି ନେଲି ବୋଲି କହିଛନ୍ତି ଶ୍ରୀ ମହତାବ । ତେବେ ନିଷ୍ପତ୍ତି କଠୋର ହୋଇପାରେ କିନ୍ତୁ ମୋତେ ଆଜି ହାଲୁକା ଲାଗୁଛି । ମୋର ଅଭିଜ୍ଞତା ଅନୁସାରେ ୧୭ତମ ଲୋକସଭାରେ ସାଂସଦ ଭାବେ ବିଜେଡିର ପ୍ରତିନିଧି ଭାବେ ଠିକ୍ ଭାବେ ଦଳପାଇଁ କାମ କରିଛି । ନିକଟରେ ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇସାରିଛି । ଏହି ସମୟରେ ବିଜେଡି ପାଖରୁ ମୁଁ ଦୂରେଇ ରହୁଛି । ବିଜେଡିରେ ବହୁ ପରିବର୍ତ୍ତନ ହୋଇସାରିଛି । ଦୁର୍ନୀତି ବିରୋଧରେ ଲଢ଼ିବା ପାଇଁ ବିଜେଡି ଗଠନ ହୋଇଥିଲା । ୮୦ରୁ ୯୦ ଦଶକରେ ଯେଉଁ ଭଲ କାମ ହେଉଥିଲା, ସେଥି ପାଇଁ ଓଡ଼ିଶାବାସୀ ବିଜେଡିକୁ ସମର୍ଥନ ଦେଉଥିଲେ । କିନ୍ତୁ ବିଗତ କିଛି ବର୍ଷରେ ଦଳର ପରିଚାଳନା ଯେଉଁଭଳି ଭାବେ ଚାଲିଛି, ସେ ବାବଦରେ ଅନେକଥର ଦଳର ସୁପ୍ରିମୋଙ୍କୁ କହିଛି ହେଲେ କିଛି ସଫଳ ହେଲା ନାହିଁ । ଇସ୍ତଫା ଘୋଷଣା କରିବା ପରେ ଭର୍ତ୍ତୃହରି କହିଥିଲେ ଯେ ଦଳ ଠାରୁ ଦୂରେଇ ଗଲେ ଅଧିକ ପ୍ରଖର ଭାବେ କାମ କରିପାରିବି । ବିଜେଡିରେ ମୋର ଅଭିଜ୍ଞତା ଓ ଅନୁଭବକୁ ପ୍ରକାଶ କରିବା ପାଇଁ ବାଧା ଦିଆଯାଉଥିଲା । ଯଦି କିଛି କେବେ କହୁଥିଲି, ତାକୁ ସମାଲୋଚନା କରାଯାଉଥିବାରୁ ଦଳରୁ ଦୂରେଇ ଯିବା ଭଲ ବୋଲି ଚିନ୍ତା କଲି । ତେଣୁ ବିଜେଡିରୁ ମୁଁ ଇସ୍ତଫା ଦେଇଛି । ଦଳକୁ ସଂଶୋଧନ କରିବା ପାଇଁ ବହୁ ଉଦ୍ୟମ କରିଛି କିନ୍ତୁ କିଛି ଲାଭ ହେଲାନାହିଁ । ତାଙ୍କ ବିରୋଧରେ ୨୦୧୧ ମସିହାରେ ଜଣେ ଏସ୍‌ଆଇକୁ ଚାପୁଡା ମାରିବା ଘଟଣାରେ ଗତକାଲି ଚାର୍ଜଫ୍ରେମ୍ ହୋଇଥିବା ସଂକ୍ରାନ୍ତରେ ସେ କହିଥିଲେ ସରକାର ନିଜେ ତାଙ୍କ ଦଳର ଜଣେ ସାଂସଦଙ୍କ ବିରୋଧରେ ଚାର୍ଜଫ୍ରେମ୍ କରିଛନ୍ତି । ୧୩ ବର୍ଷ ତଳର ପୁରୁଣା ଘଟଣାକୁ ଆଣି ଏପରି କରିବା ଅର୍ଥ କ’ଣ ସାଧାରଣ ଜନତା ବୁଝିିଛନ୍ତି । ତେବେ ଭର୍ତ୍ତୃହରିଙ୍କ ଇସ୍ତଫାକୁ ନେଇ କଟକ ରାଜନୀତି ଏବେ ସରଗରମ ହୋଇଛି । ସେ ବିଜେପିରେ ଯୋଗ ଦେଇ ପାରନ୍ତି ବୋଲି ରାଜନୀତି ସମୀକ୍ଷକମାନେ ବିଚାର କରୁଛନ୍ତି । ସୂଚନାଯୋଗ୍ୟ
୧୯୯୮ରେ ସେ ପ୍ରଥମେ ସାଂସଦ ହୋଇଥିଲା ବେଳେ କ୍ରମାଗତଭାବେ କଟକ ଲୋସଭା ଆସନରୁ ୬ ଥର ସାଂସଦଭାବେ ନିର୍ବାଚିତ ହୋଇଛନ୍ତି । ୨୦୧୭ ମସିହାରେ ସେ ଆଉଟ୍‌ଷ୍ଟାଣ୍ଡିଂ ପାର୍ଲାମେଣ୍ଟାରି ଆୱାର୍ଡ ଗ୍ରହଣ କରିଥିଲା ବେଳେ ସେ ୨୦୧୭, ୨୦୧୮, ୨୦୧୯ ଓ ୨୦୨୦ ରେସ ସଂସଦ ରତ୍ନ ପୁରସ୍କାର ଗ୍ରହଣ କରିଥିଲେ । ତେବେ ଶ୍ରୀ ମହତାବ ଦଳ ଛାଡ଼ିବା ପରେ ବିଜେଡି କଟକରେ କେଉଁସ୍ଥିତିରେ ରହିବ ତାହା ସମୟକୁ ଅପେକ୍ଷା ।

Leave a Reply

Your email address will not be published. Required fields are marked *