‘ବିକାଶ ପର୍ବରେ ସାଂପ୍ରତିକ ଓଡ଼ିଆ ଗୀତିକବିତା’ ଉନ୍ମୋଚିତ


କଟକ(ଏନ୍‌.ଏମ୍‌.): ବିଶିଷ୍ଟ ଗୀତିକବି ମନୋଜ ପଟ୍ଟନାୟକଙ୍କ ‘ବିକାଶ ପର୍ବରେ ସାଂପ୍ରତିକ ଓଡ଼ିଆ ଗୀତିକବିତା’ ପୁସ୍ତକ ଆଲୋଚନା ଧାରାରେ ଏକ ଉଲ୍ଲେଖଯୋଗ୍ୟ ସଂଯୋଜନା। ଏହାର ଗୀତିଧର୍ମୀ ଓ ଆବେଗସିକ୍ତ ଉପସ୍ଥାପନା ଶୈଳୀ ତଥା ତଥ୍ୟନିଷ୍ଠ ବିଷୟବସ୍ତୁ ଉତ୍ତରପିଢ଼ି ପାଇଁ ମାର୍ଗଦର୍ଶକ ହେବ ବୋଲି ଏହି ପୁସ୍ତକ ଉନ୍ମୋଚନ ଉତ୍ସବରେ ଉଦ୍‌ଘାଟକ ଭାବେ ଯୋଗ ଦେଇ ସାହିତ୍ୟ ସ୍ରଷ୍ଟା ଜଷ୍ଟିସ୍ ଶଶିକାନ୍ତ ମିଶ୍ର ପ୍ରକାଶ କରିଛନ୍ତି। ଶନିିବାର ସଂଧ୍ୟାରେ ସାରସ୍ୱତ ପୀଠ ଶତାବ୍ଦୀ ଭବନଠାରେ ଆୟୋଜିତ ଏହି ଉତ୍ସବରେ ଉତ୍କଳ ସାହିତ୍ୟ ସମାଜର ସଭାପତି ଡକ୍ଟର ଗୋବିନ୍ଦ ଚନ୍ଦ୍ର ଚାନ୍ଦଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଭ୍ରମଣ ସାହିତ୍ୟର ସ୍ରଷ୍ଟା ଓ ସଂସ୍କୃତିବିତ୍ ମନୋରଂଜନ ପାଣିଗ୍ରାହୀ ଗୀତିକବିତାର ଜୀବନ ଉପରେ ପ୍ରଭାବ ଓ ଏହାର ନିରବଚ୍ଛିନ୍ନ ଧାରା ଉପରେ ଆଲୋକପାତ କରିଥିଲେ। ସମ୍ମାନନୀୟ ଅତିଥି ବର୍ଷିୟାନ୍ ଗୀତିକବି ନନ୍ଦ କିଶୋର ସିଂହ ଗୀତିକବିତାର ଉପାଦେୟତା ଓ ଏହା ଉପରେ ହୋଇଥିବା ଗବେଷଣା ସଂପର୍କରେ ଆଲୋଚନା କରିଥିଲେ। ଆଲୋଚନା ପୁସ୍ତକର ସ୍ରଷ୍ଟା ଗୀତିକବି ମନୋଜ ପଟ୍ଟନାୟକ ଲେଖକୀୟ ଅଭିବ୍ୟକ୍ତି ପ୍ରଦାନ କରିଥିଲେ। ଉତ୍ସବରେ ଅତିଥିମାନଙ୍କୁ ସ୍ୱାଗତ ଓ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ ଚିତ୍ରଶିଳ୍ପୀ ତଥା ଗାଳ୍ପିକ ଶଶିକାନ୍ତ ରାଉତ ଏବଂ ଅତିଥି ପରିଚୟ ପ୍ରଦାନ କରିଥିଲେ ନାଟ୍ୟକାର ଡକ୍ଟର ବୈଜୟନ୍ତୀ ମିଶ୍ର। ଉତ୍ସବରେ ବିଶିଷ୍ଟ ଗୀତିକବି, ସାରସ୍ୱତ ସାଧକ ଓ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ। ଧନ୍ୟବାଦ ପ୍ରଦାନ କରିଥିଲେ ଓଡ଼ିଶା ବୁକ୍ ଏମ୍ପୋରିୟମ୍‌ର ସତ୍ୱାଧିକାରୀ ଶିବାଶିଷ କର।

Leave a Reply

Your email address will not be published. Required fields are marked *