ବିଏସ୍‌କେୱାଇ ଠକେଇ: ନର୍ସିଂହୋମ୍ ମାଲିକ ସମେତ ୨ ଗିରଫ

ବିଏସ୍‌କେୱାଇ ଠକେଇ: ନର୍ସିଂହୋମ୍ ମାଲିକ ସମେତ ୨ ଗିରଫ

News by Umakanta Jena (Cuttack)

#କଟକ(ଏନ୍‌.ଏମ୍‌.):ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କେୱାଇ)ରେ ଗରିବ ଲୋକଙ୍କ ଅଜ୍ଞତାର ସୁଯୋଗ ନେଇ ନର୍ସିଂହୋମ୍‌ରେ ସାଂଘାତିକ ଠକେଇ ହେଉଥିବା ଘଟଣାର ପର୍ଦ୍ଦାଫାଶ୍ ହୋଇଛି । ଜଣେ ରୋଗୀକୁ ଏକ ସଙ୍ଗେ ୨ଟି ନର୍ସିଂହୋମ୍‌ରେ ଆଡ୍‌ମିସନ କରାଇ କିପରି ନର୍ସିଂହୋମ ମାଲିକ ମାଲାମାଲ ହେଉଛନ୍ତି ତା’ର ପ୍ରମାଣ ଏବେ ମିଳିଛି । ମଧୁପାଟଣା ଥାନା ପୁଲିସ ଏଭଳି ଅଭିଯୋଗରୋ ଏକ ଘରୋଇ ନର୍ସିଂହୋମ୍‌ରେ ମାଲିକ ଓ ମ୍ୟାନେଜରଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ଜଣକ ହେଲେ ଜଗତପୁର ଥାନା ଅନ୍ତର୍ଗତ ପାଗାସ୍ଥିତ ଶୋଭା ନର୍ସିଂହୋମ୍‌ର ମାଲିକ ଅଶୋକ କୁମାର ପତି(୫୫) ଓ ମ୍ୟାନେଜର ଶାନ୍ତନୁ କୁମାର ପତି(୩୯) । ଖବର ନେବାରୁ ଜଣାପଡ଼ିଛି ଯେ ଖୋର୍ଦ୍ଧା ଜିଲା ବଡ଼ଗଡ଼ ଥାନା ଅନ୍ତର୍ଗତ ବଡ଼ଗଡ଼ ବିଡିଏ କଲୋନୀର ପ୍ରଶାନ୍ତ କୁମାର ପାତ୍ରଙ୍କ ସ୍ତ୍ରୀ କୁନି ପାତ୍ରଙ୍କର କିଡ୍‌ନୀ ଷ୍ଟୋନ୍ ହୋଇଥିବାରୁ ଗତ ଫେବୃୟାରୀ ୨୧ ତାରିଖରେ କଟକ ଗୋଶାଳା ରୋଡ୍‌ସ୍ଥିତ ଜେ.ଏମ.କେୟାର ହସ୍ପିଟାଲରେ ଅପରେସନ ହୋଇଥିଲେ । ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଫେବୃୟାରୀ ୨୪ ତାରିଖରେ ହସ୍‌ପିଟାଲରୁ ଡିସ୍‌ଚାର୍ଜ କରିଦେଇଥିଲେ । ମାତ୍ର କୁନି ପୁଣି ଯନ୍ତ୍ରଣା ଅନୁଭବ କରିବାରୁ ସେ ଉକ୍ତ ନର୍ସିଂହୋମକୁ ଆସିଥିଲେ । ଅପରେସନ କରିଥିବା ଡାକ୍ତରଙ୍କ ପରାମର୍ଶ କ୍ରମେ ପୁଣିଥରେ ତାଙ୍କ ସ୍ତ୍ରୀଙ୍କୁ ଜେ.ଏମ୍‌. କେୟାର ହସ୍‌ପିଟାଲରେ ମାର୍ଚ୍ଚ ୬ ତାରିଖ ଦିନ ଭର୍ତ୍ତି କରାଯାଇଥିଲା ବେଳେ ସେଦିନ ଡାକ୍ତର ତାଙ୍କ ସ୍ତ୍ରୀଙ୍କୁ ଚିକିତ୍ସା କରିନଥିଲେ । ସେହିଦିନ ରାତିରେ ତାଙ୍କ ସ୍ତ୍ରୀଙ୍କ ମୃତ୍ୟୁ ହୋଇଯାଇଥିଲା । ଏଣୁ ପ୍ରଶାନ୍ତ ଡାକ୍ତରଙ୍କ ଅବହେଳା ଯୋଗୁଁ ମୃତ୍ୟୁ ହୋଇଥିବା ନେଇ ମଧୁପାଟଣା ଥାନାରେ ଅଭିଯୋଗ କରିବାରୁ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ପ୍ରଶାନ୍ତଙ୍କ ସ୍ତ୍ରୀ ଜେ.ଏମ୍‌. କେୟାର ହସ୍‌ପିଟାଲରେ ଭର୍ତ୍ତି ହୋଇ ଅପରେସନ୍ କରାଯାଇଥିଲେ ବି ରେକର୍ଡ କିଛି ଅଲଗା ଥିଲା । ଉକ୍ତ ହସ୍‌ପିଟାଲରେ ବିଏସ୍‌କେୱାଇ କାର୍ଡରେ ଚିକିତ୍ସା ସୁବିଧା ନଥିଲା । ହେଲେ ଡା. ଚିନ୍ମୟ କୁମାର ସାହୁ ମୃତ ରୋଗୀଙ୍କ ବିଏସ୍‌କେୱାଇ କାର୍ଡ ସଂଗ୍ରହ କରିନେଇଥିଲେ । ଜଗତପୁର ଥାନା ଅନ୍ତର୍ଗତ ପାଗାସ୍ଥିତ ଶୋଭା ନର୍ସିଂହୋମ୍‌ରେ ଫେବୃୟାରୀ ୨୨ ତାରିଖରେ ଭର୍ତ୍ତି କରାଯାଇ ସେହିଦିନ ମୃତକଙ୍କ କିଡ୍‌ନୀ ଅପରେସନ କରାଯାଇଥିବା ଦର୍ଶାଯାଇଥିଲା । ସବୁଠାରୁ ବିସ୍ମୟକର କଥା ହେୁଛି ଯେ ଜେ.ଏମ୍‌.କେୟାରରେ ଅପରେସନ କରିଥିବା ଡାକ୍ତର ମଧ୍ୟ ଶୋଭା ନର୍ସିଂହୋମରେ ସେଇ ରୋଗୀଙ୍କ ଅପରେସନ କରିଥିବା ସେଠାକାର ରେକର୍ଡରେ ଦର୍ଶାଯାଇଛି । ଅପରେସନ କରିଥିବା ଡାକ୍ତରଙ୍କ ଦସ୍ତଖତକୁ ଏଠାରେ ଜାଲ କରି ରେକର୍ଡ ପ୍ରସ୍ତୁତ କରାଯାଇଥିଲା । ଡା. ସାହୁ, ଭାରତୀ ସାହୁ ନାମକ ମହିଳା ଓ ନର୍ସିଂହୋମ୍‌ର ମାଲିକ, ମ୍ୟାନେଜର ଏହି କାର୍ଯ୍ୟରେ ସାମିଲ ଥିଲେ । ଜଣେ ରୋଗୀଙ୍କୁ ଦୁଇଟି ସ୍ଥାନରେ ସମାନ ସମୟରେ ଆଡ୍‌ମିସନ କରି ଅପରାଧିକ କାର୍ଯ୍ୟ କରାଯାଇଛି ବୋଲି ଏଡିସିପି ଅନୀଲ କୁମାର ମିଶ୍ର ସୂଚନା ଦେଇଛନ୍ତି । ଏହିଭଳି ଆହୁରି ଅନେକ ରୋଗୀଙ୍କୁ ସମାନ ଭାବରେ ଠକେଇ କରାଯାଉଥିବା ନେଇ ପୁଲିସ ତଦନ୍ତରୁ ଜାଣି ପାରିଛି । ଜେ.ଏମ.କେୟାର ହସ୍‌ପିଟାଲ ଓ ଶୋଭ ନର୍ସିଂହୋମର ଆଡ୍‌ମିସନ ରେଜିଷ୍ଟର ଓ କୁନି ପାତ୍ରଙ୍କ ଚିକିତ୍ସା ସମ୍ପର୍କିତ ସମସ୍ତ କାଗଜପତ୍ର ପୁଲିସ ଜବତ କରିଛି । ମାମଲାର ତଦନ୍ତ ଚାଲିଛିି । ଅନ୍ୟ ଅଭିଯୁକ୍ତମାନଙ୍କ ବିରୋଧରେ ଖୁବ୍ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏଡିସିପି ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *