ବିଏମସିର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ସ୍ୱତନ୍ତ୍ର ଆଲୋଚନା: ଅଧା ରହିଥିବା କାମ ସାରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ

ବିଏମସିର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ସ୍ୱତନ୍ତ୍ର ଆଲୋଚନା: ଅଧା ରହିଥିବା କାମ ସାରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ

News by B.Mishra (BBSR)

#ଭୁବନେଶ୍ୱର(ଏନ୍‌.ଏମ୍‌.): ବର୍ଷା ପାଇଁ ଅଧା ରହିଥିବା କିମ୍ବା ବର୍ଷାରେ ଖରାପ ହୋଇଥିବା ରାସ୍ତା ଓ ଡ୍ରେନ କାମ ଆରମ୍ଭ କରିବାକୁ ନିର୍ଦେଶ । କେବଳ ରାସ୍ତା କି ଡ୍ରେନ କାମ ନୁହେଁ, ବିତ୍ୟୁତ୍ ମରାମତି କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଅତିରିକ୍ତ କମିଶନର ଶୁଭେନ୍ଦୁ କୁମାର ସାହୁ । ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ମୁଖ୍ୟାଳୟସ୍ଥିତ ଏକାମ୍ର ହଲରେ ଅନୁଷ୍ଠିତ ଏକ ବୈଠକରେ ଏହି ନିର୍ଦେଶ ଦିଆଯାଇଛି । ବିଭିନ୍ନ ଡିଭିଡନ ତଥା ଜୋନ୍‌ରେ ବାକି ରହିଥିବା ରାସ୍ତା ଓ ଡ୍ରେନ କାମ ସାରିବା ସହ ବିଦ୍ୟୁତ୍ ମରାମତି କାମ ମଧ୍ୟ ସାରିବାକୁ କୁହାଯାଇଛି ।
ଆରଆଣ୍ଡବି ଅଧିନରେ ଥିବା ବିଭିନ୍ନ ରାସ୍ତା ଓ ଡ୍ରେନ କାମ ନିର୍ଦ୍ଦେଶ ମୁତାବକ ହେଉନଥିବା କେତେକ କର୍ପୋରେଟର ଅଭିଯୋଗ କରିଥିଲେ । ୩୮ନମ୍ବର ୱାର୍ଡ ଅନ୍ତର୍ଗତ ପାୱାର ହାଉସ ଛକରୁ ୧୨୦ ବାଟାଲିୟନ ରାସ୍ତା ପାଶ୍ୱର୍ରେ ଥିବା ଡ୍ରେନରେ ଦୁଇଥାକିଆ ଜାଲି ଲଗାଇବା ପରିବର୍ତ୍ତେ ଏକ ଥାକିଆ ଜାଲି ଲାଗୁଥିବା ନେଇ ସଂପୃକ୍ତ କର୍ପୋରେଟର ଅଭିଯୋଗ କରିଥିଲେ । ତେବେ ତାହାକୁ ପରିବର୍ତ୍ତନ କରାଯିବ ବୋଲି ଆରଆଣ୍ଡବିର ବରିଷ୍ଠ ଅଧିକାରୀ କହିଛନ୍ତି । ସେହିପରି ଆରଆଣ୍ଡବି ଅଧିନରେ ଥିବା ଅନେକ ଡ୍ରେନ ସଫା ହେଉନଥିବାରୁ ପାଣି ଯାଇପାରୁ ନାହିଁ ବୋଲି କେତେକ କର୍ପୋରେଟର ଅଭିଯୋଗ କରିଥିଲେ । ସେହି ଡ୍ରେନ ଗୁଡିକ ତୁରନ୍ତ ସଫାକରିବାକୁ ସଂପୃକ୍ତ ବିଭାଗୀୟ ଅଧିକାରୀଙ୍କୁ କହିଛନ୍ତି ଅତିରିକ୍ତ କମିଶନର । କେତେକ ରାସ୍ତା ନଖୋଳି ଆରଆଣ୍ଡବି ତା’ଉପରେ ରାସ୍ତା କରି ଦେଉଛି । ଫଳରେ ରାସ୍ତା ପୋତି ହୋଇ ଘର ପତନ ଠାରୁ ଅଧିକ ଉଚ୍ଚା ହୋଇ ଯାଉଥିବାରୁ ରାସ୍ତା ପାଣି ଘରେ ପଶୁଛି । ରାସ୍ତା ନିର୍ମାଣ ବା ମରାମତି କରିବା ସମୟରେ ପୁରୁଣା ରାସ୍ତାର ପିଚୁ ତାଡି ତାଉପରେ କାମ କଲେ ଘର ଲେବୁଲ କିମ୍ବା ତାଠାରୁ ତଳେ ରୁହନ୍ତା । ଫଳରେ ରାସ୍ତା ପାଣି ଆଉ ଘରେ ପଶନ୍ତା ନାହିଁ ବୋଲି କର୍ପୋରେଟର ମାନେ ମତ ଦେଇଥିଲେ । ତେବେ ଆଗାମୀ ଦିନରେ ସେଥିପ୍ରତି ଧ୍ୟାନ ଦିଆଯିବ ବୋଲି ସେ କହିଛନ୍ତି । ସେହିପରି ଆର ଆଣ୍ଡ ବି ଅନେକ ସମୟରେ ରାସ୍ତା କଡରେ ଅଳିଆ ଗଦା କରି ଦେଉଛି, ସେଗୁଡିକୁ ଉଠାଉ ନାହିଁ । ଏପରିକି ସରାକାରୀ କ୍ୱାର୍ଟରଗୁଡିକର ଭଗ୍ନାବଶେଷ କିମ୍ବା ନିର୍ମାଣ ସାମଗ୍ରୀ ଉଠାଉ ନଥିବା କର୍ପୋରେଟରମାନେ କହିଥିଲେ । ଆରଆଣ୍ଡବିର ଯେଉଁ ଅଧିକାରୀ ସେହି କାମକରୁ ନାହାଁନ୍ତି, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସତର୍କ କରାଇ ଦିଆଯାଇଛି । ସେହିପରି ଟାଟା ପାୱାର କର୍ପୋରେସନ ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିଡିସିଏଲ) ବିଦ୍ୟୁତ ତାର ଉପରେ ଲାଗିଥିବା ଗଛ ଓ ଡାଳକାଟି ରାସ୍ତା କଡରେ ପକାଇ ଦେଉଛନ୍ତି । ସେହି ସବୁଜ ବର୍ଜ୍ୟ (ଗ୍ରୀନ ଗାରବେଜ)ଗୁଡିକୁ ସଂଗେ ସଂଗେ ଉଠାଇବାକୁ ବିଏମ୍‌ସି ପକ୍ଷରୁ କୁହାଯାଇଛି । ଯଦି ଉଠାଇବାରେ କୌଣସି ଅସୁବିଧା ହେଉଥାଏ, ତେବେ ସଫା ଆପରେ ବିଏମ୍‌ସିକୁ ଜଣାଇଲେ, ବିଏମ୍‌ସି ଗାଡି ସେଗୁଡିକୁ ଉଠାଇ ନେଇ ନିର୍ଦ୍ଧିଷ୍ଟ ସ୍ଥାନରେ ପକାଇବ ବୋଲି କୁହାଯାଇଛି । ଯେଉଁ ଠାରେ ଷ୍ଟ୍ରିଟଲାଇଟ୍ ଜଳୁ ନାହିଁ ସେଠାରେ ଆଲୋକ ବ୍ୟବସ୍ଥା କରିବା, ରାସ୍ତା ମଝିରେ ରହିଥିବା କିମ୍ବା ବିପଦ ସଂକୁଳ ଅବସ୍ଥାରେ ଥିବା ବିତ୍ୟୁତ ଖୁଣ୍ଟଗୁଡିକୁ ହଟାଇବା ପାଇଁ ମଧ୍ୟ ଟିପିସିଏଲକୁ କୁହାଯାଇଛି । ତେବେ ବିଦ୍ୟୁତ୍ ଖୁଣ୍ଟ ସ୍ଥାନାନ୍ତର କରିବାକୁ ଟିପିଡିସିଏଲ ଅଧିକ ଅର୍ଥ ଦାବି କରୁଥିବା ନେଇ କେତେକ କର୍ପୋରେଟର କହିଥିଲେ । ମାତ୍ର ଏହି ଦର ଓଡିଶା ବିତ୍ୟୁତ ନିୟମାକ ଆୟୋଗ ଧାର୍ଯ୍ୟ କରିଥାନ୍ତି ବୋଲି ଟିପିଡିସିଏଲ୍ ଅଧିକାରୀ ଦର୍ଶାଇଥିଲେ । ବିଭିନ୍ନ ୱାର୍ଡରୁ ଅଳିଆ ଉଠାଇବାରେ ଶାହା ଏଜେନ୍ସି ବିଳମ୍ବ କରୁଥିବା ନେଇ କେତେକ କର୍ପୋରେଟର ଦର୍ଶାଇଥିଲେ । ଅଳିଆ ଉଠାଇବାରେ ବିଳମ୍ବ କଲେ, ସଂପୃକ୍ତ ଏଜେନ୍ସି ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଅତିରିକ୍ତ କମିଶନର । ବିଏମ୍‌ସି ଡେପୁଟି ମେୟର ମଞ୍ଜୁଲତା କହଁରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ, କର୍ପୋରେଟର, ଜୋନାଲ ଡେପୁଟି କମିଶନର ରବିନାରାୟଣ ଜେଠୀ, ଆସିଷ୍ଟାଣ୍ଟ ଏକ୍ସକ୍ୟୁଟିଭ ଇଂଜିନିୟର, ଆସିଷ୍ଟାଣ୍ଟ ଏକ୍ସକ୍ୟୁଟିଭ ଇଂଜିନିୟର ସରୋଜ ମହାପାତ୍ରଙ୍କ ସମେତ ଆରଆଣ୍ଡବି, ଟିପିଡିସିଏଲ୍‌ର ବରିଷ୍ଠ ଅଧିକାରୀ, ବିଭିନ୍ନ ବିଭାଗର ଅଧିକାରୀ ଓ ଏଜେନ୍ସିର ପ୍ରତିନିଧିମାନେ ଉପସ୍ଥିତ ଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *