ବାସ୍ତବରେ ଓଡିଶା ହେଉଛି ଭାରତର ବେଷ୍ଟ୍ କେପଫ୍ ସିକ୍ରେଟ୍‌

ବାସ୍ତବରେ ଓଡିଶା ହେଉଛି ଭାରତର ବେଷ୍ଟ୍ କେପଫ୍ ସିକ୍ରେଟ୍‌

News by I&PR (Odisha)

#ଭୁବନେଶ୍ୱର(ଏନ୍‌.ଏମ୍‌.): ଭାରତ ସରକାରଙ୍କ ବୈଦେଶିକ ମନ୍ତ୍ରାଳୟ ତରଫରୁ ଭାରତକୁ ଜାଣ କାର୍ଯ୍ୟକ୍ରମ ମାଧ୍ୟମରେ ବିଦେଶରେ ଅବସ୍ଥାନ କରୁଥିବା ମୂଳ ଭାରତୀୟ ବଂଶୋଦ୍ଭବ ଯୁବଗୋଷ୍ଠୀ, ଭାରତୀୟ ଜୀବନ ଶୈଳୀ ସଂସ୍କୃତି, ଐତିହ୍ୟ, ଅର୍ଥନୀତି, ଶିଳ୍ପ, ଶିକ୍ଷା, ବିଜ୍ଞାନ, ବୈଷୟିକ ଜ୍ଞାନକୌଶଳ ସମ୍ପର୍କରେ ଅବଗତ ହେବା ସହ ଦେଶର ବିଭିନ୍ନ କ୍ଷେତ୍ରରେ ବିକାଶ କାର୍ଯ୍ୟ ସମ୍ପର୍କରେ ସଚେତନ ହୋଇଥାନ୍ତି । ସେମାନଙ୍କର ଆଶା ଓ ଅଭିଜ୍ଞତାକୁ ବାଣ୍ଟିବା ସହିତ ସେମାନଙ୍କର ମତାମତ ଉପସ୍ଥାପନ କରିଥାନ୍ତି । କାର୍ଯ୍ୟକ୍ରମ ମାଧ୍ୟମରେ ଭାରତୀୟ ସଭ୍ୟତା ସହ ସେମାନଙ୍କ ଘନିଷ୍ଠତା ବଢାଇ ଥାନ୍ତି ।
ଏହ ିକ୍ରମରେ ତିନିସପ୍ତାହ ବ୍ୟାପୀ ଆୟୋଜିତ କାର୍ଯ୍ୟକ୍ରମ ଅବସରରେ ୧୧ ଟି ଦେଶରୁ ଆସିଥିବା ୩୮ ଜଣ ମୂଳ ଭାରତୀୟ ବିଦେଶୀ ଯୁବବର୍ଗ ୬୫ ତମ ଭାରତକୁ ଜାଣ ସଂସ୍କରଣରେ ଓଡିଶାକୁ ଅଂଶୀଦାର ରାଜ୍ୟ ରୂପେ ଗ୍ରହଣ କରି ଓଡିଶା ପରିଦର୍ଶନରେ ଆସିଥିଲେ । ଓଡିଶାର ବିସ୍ତୃତ ଶିଳ୍ପାୟନ, ପର୍ଯ୍ୟଟନର ବୈଭବ, ଅର୍ଥନୈତିକ ପ୍ରଗତି ତଥାଏଠାକାର ଲୋକଙ୍କ ଜୀବନ ଶୈଳୀ ଅନୁଧ୍ୟାନ କରିଥିଲେ । ଓଡିଶାର ସ୍ୱର୍ଣ୍ଣ ତ୍ରିଭୂଜ ବିଶ୍ୱ ପ୍ରସିଦ୍ଧ ଜଗନ୍ନାଥ ମନ୍ଦିର, କୋଣାର୍କ ସୂର୍ଯ୍ୟ ମନ୍ଦିର, ଲିଙ୍ଗରାଜ ମନ୍ଦିର ସମେତ ପାରାଦୀପ ବନ୍ଦର, ଜନଜାତି ସଂଗ୍ରହାଳୟ ଇତ୍ୟାଦି ବୁଲି ଦେଖିବା ସହ ଓଡିଶା ଯେ ଭାରତର ବେଷ୍ଟ୍ କେପଫ୍ ସିକ୍ରେଟ୍ ବୋଲି ଅନୁଭବ କରିଥିଲେ । ଓଡିଶାର ବିକାଶରେ ସାରଥୀ ସାଜିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ମୂଳକ କାର୍ଯ୍ୟ ତଥାସ୍ୱଚ୍ଛ ପ୍ରଶାସନକୁ ସେମାନେ ଉଚ୍ଚ ପ୍ରଶଂସା କରିଥିଲେ । ସର୍ବୋପରି ରାଜ୍ୟର ଆତିଥେୟତାରେ ସେମାନେ ଅଭିଭୂତ ହୋଇ ପଡିଥିଲେ । ଏହି ଅବସରରେ ସେମାନେ ଓଡ଼ିଶାର କଳା, ସଂସ୍କୃତି, ଭାସ୍କର୍ଯ୍ୟର ଭୂୟସୀ ପ୍ରଶଂସା କରିଥିଲେ । ଏହି ଅବସରରେ ସେମାନଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ ପକ୍ଷରୁ ଏକ ସଂକ୍ଷିପ୍ତ ଉତ୍ସବର ଆୟୋଜନ କରାଯାଇଥିଲା । ଏଥିରେ ନିଗମର ଅଧ୍ୟକ୍ଷ ଡକ୍ଟର ଲେଲିନ ମହାନ୍ତି ଯୋଗ ଦେଇଥିଲେ । ଭାରତୀୟ ବିଦେଶ ସେବା ଅଧିକାରୀ ମାନସ ପଟେଲ, ନିଗମର ସାଧାରଣ ପରିଚାଳକ ଲଗ୍ନଜିତ୍ ରାଉତ, ଅତିରିକ୍ତ ଶାସନସଚିବ ଅନନ୍ତ ନାରାୟଣ ଲାଗୁରୀଙ୍କ ସମେତ ଅନେକ ଗଣ୍ୟମାନ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *