ବାଲିକୁଦା ଗ୍ରାମ୍ୟ ଶ୍ମଶାନ ଅଣଦେଖା ଅଭିଯୋଗ: ସିଟି ଇଞ୍ଜିନିୟରଙ୍କୁ ରିପୋର୍ଟ ମାଗିଲେ କମିଶନର

ବାଲିକୁଦା ଗ୍ରାମ୍ୟ ଶ୍ମଶାନ ଅଣଦେଖା ଅଭିଯୋଗ: ସିଟି ଇଞ୍ଜିନିୟରଙ୍କୁ ରିପୋର୍ଟ ମାଗିଲେ କମିଶନର


#କଟକ(ଏନ୍‌.ଏମ୍‌.): କଟକ ମହାନଗର ନିଗମ ୫୬ ନମ୍ବର ୱାର୍ଡ ଅନ୍ତର୍ଗତ ଓ କଟକ ସଦର ଥାନା ଅଧିନ ବାଲିକୁଦା ଗ୍ରାମ୍ୟ ଶ୍ମଶାନଟି ଦୀର୍ଘ ବର୍ଷ ଧରି ବିପର୍ଯ୍ୟସ୍ତ ଅବସ୍ଥାରେ ପଡିରହିଛି । ଦୀପତଳ ଅନ୍ଧାର ଭଳି ଏହି ଗ୍ରାମ୍ୟ ଶ୍ମଶାନକୁ ସରକାରୀ ଓ ପ୍ରଶାସନିକସ୍ତରରେ ଅଣଦେଖା କରାଯାଉଥିବା ଅଭିଯୋଗ ଉଠିଛି । ବାଲିକୁଦା ଗ୍ରାମ୍ୟ ଶ୍ମଶାନରେ ଏକ ସ୍ଥାୟୀ ଶବଦାହ ଗୃହ ନିର୍ମାଣ, ପାଣିର ବ୍ୟବସ୍ଥା, ସୌନ୍ଦର୍ଯ୍ୟକରଣ, ଚାରି ପାର୍ଶ୍ୱରେ ସ୍ଥାୟୀ ପାଚେରୀ ନିର୍ମାଣ ଇତ୍ୟାଦି କରାଯିବାର ବିଶେଷ ଆବଶ୍ୟକତା ରହିଥିବାବେଳେ ଏସବୁ ଉପରେ ସିଏମସି ଆଦୌ ଗୁରୁତ୍ୱ ଦେଉନଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ପୁନଶ୍ଚ ଏହି ଶ୍ମଶାନର କିଛି ଅଂଶ ଜବରଦଖଲକାରୀଙ୍କ ଠାରୁ ଉଦ୍ଧାର କରାଯିବା ସହିତ ସରକାରଙ୍କ ସହରାଞ୍ଚଳ ପାଇଁ ଲୋକାଭିମୁଖୀ ମୁକ୍ତା ଯୋଜନା ଉନ୍ନତିକରଣ କରାଯିବାକୁ କଟକ ଆମ୍ବେଦକର ସ୍ମୃତି ପରିଷଦ ଦାବି କରିଥିଲା । ପରିଷଦ ସଭାପତି ତଥା ସାମାଜିକକର୍ମୀ ସୁକାନ୍ତ ସେଠୀଙ୍କ ନେତୃତ୍ୱରେ ଏ ନେଇ ସିଏମସି କମିଶନର ସିଦ୍ଧାର୍ଥ ଶଙ୍କର ସ୍ୱାଇଁ କଟକ ଜିଲ୍ଲାପାଳ ଓ କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନର(ଆରଡିସି)ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ତେବେ ପରିଷଦର ଦାବିକୁ ବିଚାରକୁ ନେଇ ଚିଠି ନମ୍ବର ୧୪୯୩/୨୦୨୪ ରେ ସିଟି ଇଞ୍ଜିନିୟରଙ୍କୁ ସିଏମସି କମିଶନର ରିପୋର୍ଟ ମାଗିଥିବା ଜଣାଯାଇଛି । ତେବେ ଏ ନେଇ ସିଏମସି କମିଶନରଙ୍କ ପଦକ୍ଷେପକୁ ସାଧାରଣରେ ପ୍ରଶଂସା କରାଯିବା ସହ ତ୍ୱରିତ ବେଗରେ ଏହି ଶ୍ମଶାନର ଉନ୍ନତିକରଣ କରିବାକୁ ଅଞ୍ଚଳବାସୀ ନିବେଦନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଆଇନଜୀବୀ ଅକ୍ଷୟ କୁମାର ସାମଲ, ଶିବ କୁମାର ବାରିକ, ଅଚ୍ୟୁତ ମଣ୍ଡଳ, ବିକ୍ରମ କେଶରୀ ସ୍ୱାଇଁ, ଲିଙ୍ଗରାଜ ପାଣି, ଅଜିତ କୁମାର ଜେନା, ଜୁନେଦ୍ ଖାନ, ଅଶୋକ କୁମାର ବାରିକ, ସନାତନ ପାଣି, ମୃତ୍ୟୁଞ୍ଜୟ ଭୂୟାଁ, ସମୀର ପାଣି, ଚନ୍ଦ୍ରାକ୍ଷ ନାୟକ, ରାଜେଶ କୁମାର ସ୍ୱାଇଁଙ୍କ ସମେତ ବହୁ ସଦସ୍ୟ ସାମିଲ ଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *