ବଲାଙ୍ଗିର ଠାରେ ଦୁଇଦିନିଆ ଜାତୀୟସ୍ତରୀୟ ଗୋପାଳନ ସମ୍ମିଳନୀ: ବୈଷୟିକ ଜ୍ଞାନକୌଶଳ ମାଧ୍ୟମରେ ଉତ୍ପାଦନ ବୃଦ୍ଧି ଉପରେ ଗୁରୁତ୍ୱ


ବଲାଙ୍ଗିର(ଏନ୍‌.ଏମ୍‌.): ବଲାଙ୍ଗିର କୋଶଳ କଳାମଣ୍ଡଳ ପଡିଆରେ ରାଜ୍ୟ ପ୍ରାଣୀ ସମ୍ପଦ ବିଭାଗ, ବଲାଙ୍ଗିର କଳାହାଣ୍ଡି ନୂଆଁପଡା ଆଞ୍ଚଳିକ ସମବାୟ ଦୁଗ୍ଧ ସଂଘ ଓ ବଲାଙ୍ଗିର ଜିଲ୍ଲା ପ୍ରଶାସନର ମିଳିତ ଆନୁକୁଲ୍ୟରେ ଆୟୋଜିତ ଦୁଇଦିନିଆ ଜାତୀୟସ୍ତରୀୟ ଗୋପାଳନ ସମ୍ମିଳନୀ ଉଦଯାପିତ ହୋଇଯାଇଛି । ଆୟୋଜିତ ଏହି ଉତ୍ସବରେ ଜଳ ସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ବୈଷୟିକ ଜ୍ଞାନ କୌଶଳ ମାଧ୍ୟମରେ ଉତ୍ପାଦନ ବୃଦ୍ଧି କରି ଚାଷୀମାନେ ସ୍ୱାବଲମ୍ବୀ ତଥା ଆତ୍ମନିର୍ଭରଶୀଳ ହେବା ଉପରେ ଗୁରୁତ୍ୱାରୋପ କରିଥିଲେ । ଗୋପାଳନ, ମତ୍ସଚାଷ ତଥା କୁକୁଡା ପାଳନ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ପକ୍ଷରୁ ବହୁବିଧ ଯୋଜନା ମାନ କାର୍ଯକାରୀ କରାଯିବା ସହ ଚାଷୀମାନେ ଏହି ସବୁ ଯୋଜନାରୁ ଯେପରି ଅଧିକରୁ ଅଧିକ ଉପକୃତ ହୋଇପାରିବେ ସେଥିପ୍ରତି ରାଜ୍ୟ ସରକାର ଗୁରୁତ୍ୱପ୍ରଦାନ କରୁଛନ୍ତି ବୋଲି ସେ ପ୍ରକାଶ କରିଥିଲେ । ଏହି ସମ୍ମିଳନୀ ଦ୍ୱାରା ଜିଲ୍ଲାର ଦୁଗ୍ଧ ଚାଷୀମାନେ ଆହୁରି ବୈଷୟିକ ଜ୍ଞାନ କୌଶଳ ଆହରଣ କରିବା ସହ ନିଜ ବ୍ୟବସାୟ ରେ ଉନ୍ନତି ଆଣିପାରିବେ ଓ ଅର୍ଥନୈତିକ ପ୍ରଗତିରେ ସହାୟକ ହୋଇପାରିବେ ବୋଲି ପ୍ରକାଶ କରିଥିଲେ । ସମ୍ମିଳନୀରେ ଓଡିଶା ସରକାରଙ୍କ ମତ୍ସ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ କମିଶନର ତଥା ସଚିବ ସୁରେଶ କୁମାର ବଶିଷ୍ଠ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଗୋପାଳକ ମାନଙ୍କୁ ରାଜ୍ୟ ସରକାରଙ୍କ ଦ୍ୱାରା ଯୋଗାଇ ଦିଆଯାଉଥିବା ବିଭିନ୍ନ ଯୋଜନା ବିଷୟରେ ଉପସ୍ଥିତ ଜନସାଧାରଣଙ୍କୁ ଅବଗତ କରାଇଥିଲେ । ରାଜ୍ୟ ସରକାର ଗୋପାଳକ ମାନଙ୍କୁ ୫୪୧ ପ୍ରାଣୀ ଚିକିତ୍ସାଳୟ, ୩୨୩୯ ପ୍ରାଣୀସମ୍ପଦ ସହାୟକ କେନ୍ଦ୍ର ଓ ୩୨୪ ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ୟୁନିଟ ଜରିଆରେ ପ୍ରାଣୀ ଚିକିତ୍ସା ସେବା ଯୋଗାଇ ଦେଉଛନ୍ତି । ଭ୍ରାମ୍ୟମାଣ ପ୍ରାଣିଚିକିତ୍ସା ୟୁନିଟ ଗାଆଁ ଗାଆଁରେ ସେବା ଯୋଗାଇ ଦେଉଛି । ସଂକ୍ରାମକ ରୋଗ ବିରୁଦ୍ଧରେ ରାଜ୍ୟର ଗୋସଂପଦକୁ ଟୀକାକରଣ କରାଯାଉଛି । ସଂପ୍ରତି ଚର୍ମ ବିଣ୍ଡି ରୋଗ ବିରୁଦ୍ଧରେ ଗାଇଗୋରୁଙ୍କ ଟୀକାକରଣ କରାଯାଉଛି । ଏହି ଟୀକାକରଣ ରାଜ୍ୟ ସରକାରଙ୍କ ଦ୍ୱାରା ସମ୍ପୂର୍ଣ୍ଣ ମାଗଣାରେ କରାଯାଉଛି । ପ୍ରତିଦିନ ପ୍ରାୟ ୧ଲକ୍ଷ ଗୋରୁଗାଈଙ୍କ ଏହି ରୋଗ ବିରୁଦ୍ଧରେ ଟୀକାକରଣ କରାଯାଉଛି । ଗୋପାଳନ ପାଇଁ ସରକାର ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ମାଧ୍ୟମରେ ସହାୟତା ଯୋଗାଇ ଦେଉଛନ୍ତି । ସାଧାରଣ ବର୍ଗର ହିତାଧିକାରୀଙ୍କୁ ୪୦ ପ୍ରତିଶତ ଏବଂ ମହିଳା, ତଫସିଲଭୂକ୍ତ ଜାତି, ଉପଜାତି ପାଇଁ ୫୦ ପ୍ରତିଶତ ରିହାତିର ବ୍ୟବସ୍ଥା କରାଯାଇଛି । କୃତ୍ରିମ ପ୍ରଜନନ କଲେ ୯୦ ପ୍ରତିଶତ ମାଈ ବାଛୁରୀ ସୃଷ୍ଟି ହେବାର ସମ୍ଭାବନା ଥାଏ, ଚାଷୀ ମାନେ ଅଣ୍ଡିରା ବାଛୁରୀ ପାଳନ ଖର୍ଚ୍ଚରୁ ରକ୍ଷା ପାଇଥାନ୍ତି । ତେଣୁ ଏ ସବୁ ସୁବିଧା ରାଜ୍ୟର ଗୋପାଳକମାନେ ନେବା କଥା । ଶ୍ରୀ ବଶିଷ୍ଠ କହିଥିଲେ ଯେ ବଲାଙ୍ଗୀର ଜିଲ୍ଲାର କୃତ୍ରିମ ପ୍ରଜନନକାରୀ ଗୋପାଳ ରଣା ସର୍ବଭାରତୀୟସ୍ତରରେ କୃତ୍ରିମ ପ୍ରଜନନରେ ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟ ପାଇଁ ଗୌରବ ଆଣି ଦେଇଛନ୍ତି । ବଲାଙ୍ଗିର ଜିଲ୍ଲା ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ଏକ ଦୃଷ୍ଟାନ୍ତ ସୃଷ୍ଟି କରିପାରିଛି । ନାରୀ ସଶକ୍ତିକରଣ ନିମନ୍ତେ ଗୋପାଳନ, ମତ୍ସଚାଷ କ୍ଷେତ୍ରରେ ଅନେକ ସୁଯୋଗ ଓ ସମ୍ଭାବନା ରହିଛି ବୋଲି ସେ ପ୍ରକାଶ କରିବା ସହ ଏଥିସକାଶେ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ । ସମ୍ମିଳନୀରେ ସମବାୟ ବିଭାଗର ପ୍ରମୁଖ ଶାସନ ସଚିବ ସଂଜୀବ କୁମାର ଚଡ୍ଡା ସମ୍ମାନିତ ଅତିଥି ଭାବେ ଯୋଗଦେଇ ନିଜର ବକ୍ତ୍ୟବ୍ୟ ରେ କହିଛନ୍ତି ଯେ ଏହି ସମ୍ମିଳନୀ ଚାଷୀ ମାନଙ୍କ ପାଇଁ ପ୍ରେରଣାଦାୟୀ ରହିବ । ଦୁଗ୍ଧ ଉତ୍ପାଦନ ଚାଷୀଙ୍କୁ ଏକ ସ୍ଥାୟୀ ରୋଜଗାର ଯୋଗାଇବା ସହ ସେମାନଙ୍କ ରୋଜଗାର କୁ ଦ୍ୱିଗୁଣିତ କରିବାରେ ସହାୟକ ହୋଇପାରିବବୋଲି ପ୍ରକାଶ କରିଥିଲେ । ଜିଲ୍ଲାପାଳ ଚଞ୍ଚଳ ରାଣା ସମ୍ମିଳନୀ ରେ ଉଦବୋଧନ ଦେଇ ଦୁଗ୍ଧ ଚାଷୀ ମାନେ ବିଭିନ୍ନ ଯୋଜନା ସମ୍ପର୍କରେ ଅବଗତ ହେବା ସହ ମୁଖ୍ୟମନ୍ତ୍ରୀ କୃଷି ଯୋଜନା ର ସୁଯୋଗ ନେବା ପାଇଁ ପରାମର୍ଶ ଦେଇଥିଲେ । ବଲାଙ୍ଗିର କଳାହାଣ୍ଡି ନୂଆଁପଡା ଆଞ୍ଚଳିକ ସମବାୟ ଦୁଗ୍ଧ ସଂଘ ସଭାପତି ସୀମା ପଟେଲ ସମ୍ମିଳନୀ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ବଲାଙ୍ଗିର କଳାହାଣ୍ଡି ନୂଆଁପଡା ଆଞ୍ଚଳିକ ସମବାୟ ଦୁଗ୍ଧ ସଂଘ ର ସାଧାରଣ ପରିଚାଳକ ଡ଼ ସରୋଜ କୁମାର ସାହୁ ସମ୍ମିଳନୀ ଆୟୋଜନ ର ଉଦ୍ଦେଶ୍ୟ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଗୋପାଳନ ସମ୍ମିଳନୀ ଅବସରରେ ଆୟୋଜିତ ପ୍ରଦର୍ଶନୀ କୁ ଅତିଥି ମାନେ ପରିଦର୍ଶନ କରିଥିଲେ । ଏହି ସମ୍ମିଳନୀରେ ଆୟୋଜିତ ସାରସ୍ୱତ ସଭାରେ ପଦ୍ମଶ୍ରୀ ହଲଧର ନାଗ, କଣ୍ଠଶିଳ୍ପୀ ତଥା ସଙ୍ଗୀତ ନିର୍ଦ୍ଦେଶକ ପଙ୍କଜ ଜାଲ, କଣ୍ଠଶିଳ୍ପୀ ମାନସୀ ପାଣିଗ୍ରାହୀ ଯୋଗ ଦେଇଥିଲେ । ବଲାଙ୍ଗିରରେ ଗୋପାଳନ ସମ୍ମିଳନୀ ଆୟୋଜନ ପରିପ୍ରେକ୍ଷୀରେ ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଡାଇରି ସମ୍ପର୍କିତ ବିଷୟ ବସ୍ତୁ ଉପରେ ଆଧାରିତ ଏକ ଜିଲ୍ଲା ସ୍ତରୀୟ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଉପଖଣ୍ଡ ପ୍ରାଣୀ ସମ୍ପଦ ଅଧିକାରୀ ପ୍ରସନ୍ନ କୁମାର ସାମଲ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

By admin

Leave a Reply

Your email address will not be published. Required fields are marked *