ବର୍ଷା ଘଡ଼ଘଡ଼ି ଅନ୍ଧାର ରାତିରେ ଛୁଆକୁ ଛାଡ଼ି ଚାଲିଗଲା ମା’: ଏବେ ଅଙ୍ଗନବାଡ଼ି କେନ୍ଦ୍ରରେ ହାତୀଛୁଆର ଚାଲିଛି ଚିକିତ୍ସା

ବର୍ଷା ଘଡ଼ଘଡ଼ି ଅନ୍ଧାର ରାତିରେ ଛୁଆକୁ ଛାଡ଼ି ଚାଲିଗଲା ମା’: ଏବେ ଅଙ୍ଗନବାଡ଼ି କେନ୍ଦ୍ରରେ ହାତୀଛୁଆର ଚାଲିଛି ଚିକିତ୍ସା


ମୟୁରଭଞ୍ଜ(ଏନ୍‌.ଏମ୍‌.): ବର୍ଷା ରାତିକୁ ତୁହାକୁ ତୁହା ବିଜୁଳି ଓ ଘଡ଼ଘଡ଼ି ମାରୁଥିବା ମୁହଁ ବୁଲାଇ ଚାଲିଗଲା ମା’ । ଯିଏ ମା’କୁ ଛାଡ଼ି ଗୋଟିଏ ମୁହୂର୍ତ୍ତ ବି ବଞ୍ଚିବା ଶିଖିନି, ତାକୁ ପର କରି ଚାଲିଗଲା ମା’ । ଏଭଳି ଅଭାବନୀୟ ଘଟଣା ମଣିଷ ନୁହେଁ ବରଂ ଏକ ବନ୍ୟଜନ୍ତୁଙ୍କ ଠାରେ ଦେଖିବାକୁ ମିଳିଛି । ଅସୁସ୍ଥ ହାତୀଛୁଆଟିକୁ ମା’ ଛାଡ଼ି ଚାଲିଯାଇଛି । ଫଳରେ ସମ୍ପୂର୍ଣ୍ଣ ବେସାହରା ହୋଇ ପଡ଼ିଥିବା ହାତୀ ଛୁଆକୁ ଅସୁସ୍ଥତା ଅପେକ୍ଷା ଅଧିକ କଲବଲ କରୁଛି ମା’ର ଅଭାବ । ଏପରି ହୃଦୟହୀନା ମା’କୁ ମନେ ପକାଇ ଛୋଟ ହାତୀଟି ଆଖିରୁ ଲୁହ ଗଡ଼ାଉଥିବା ବେଳେ ତାକୁ ଜଗି ରହିଛନ୍ତି ସ୍ଥାନୀୟ ଲୋକେ । ଏପରି ଏକ ହୃଦୟସ୍ପର୍ଶୀ ଘଟଣା ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ବ୍ଲକର ଜାମୁତି ମୁଣ୍ଡାସାହି ନିକଟରେ ଘଟିଛି । ପ୍ରାୟ ମାସେ ହେବ ଏକ ୨୩ ଟିକିଆ ଝାଡ଼ଖଣ୍ଡି ହାତୀପଲ ଆସି କରଞ୍ଜିଆ ଅଞ୍ଚଳରେ ଉତ୍ପାତ କରୁଛନ୍ତି । ହାତୀପଲ ଘର ଭାଙ୍ଗିବା ସହ ଚାଷ ଜମି ନଷ୍ଟଭ୍ରଷ୍ଟ କରି ଦେଉଥିବା ବେଳେ ଏଥିଯୋଗୁ ଅତିଷ୍ଠ ହୋଇ ଯାଇଥିଲେ ଲୋକେ । ଏପରିକି ବନ କର୍ମଚାରୀ ଏହି ହାତୀପଲଙ୍କ ଉପରେ ନଜର ରଖୁ ନଥିବା ବେଳେ ସେମାନଙ୍କୁ ଘଉଡ଼ାଉ ନଥିବା ଉତ୍ତ୍ୟକ୍ତ ଲୋକେ ବାରମ୍ବାର ଅଭିଯୋଗ କରି ଆସିଛନ୍ତି । ହାତୀଙ୍କ ଉତ୍ପାତ ଅସହ୍ୟ ହେବାରୁ ଗତ ୧୫ ତାରିଖରେ ଦୁଧିଆଣି ରେଞ୍ଜର ଡୁମୁରିଆ ଅଞ୍ଚଳରେ କିଛି ଲୋକ ହାତୀଙ୍କ ଉପରକୁ ନିଆଁ ହୁଳା ଥିବା ମାଡ଼ କରିଥିଲେ । ଉକ୍ତ ସମୟରେ ହାତୀ ପଲରେ ଏହି ଛୋଟ ହାତୀ ବି ଥିବା ଜଣାଯାଇଛି । ହାତୀଟିର ଶରୀରର ବିଭିନ୍ନ ସ୍ଥାନରେ ନିଆଁ ହୁଲା ଛିଟିକି ପଡ଼ିବାରୁ ଚିହ୍ନ ହୋଇଥିବା ଦେଖିବାକୁ ମିଳିଛି । ଉପଯୁକ୍ତ ଚିକିତ୍ସା ଅଭାବରୁ ତାହା କ୍ରମଶଃ ବଢ଼ିବାକୁ ଲାଗୁଥିବା ବେଳେ ହାତୀଟି ଅସୁସ୍ଥତା ହେତୁ ଅଧିକ ବାଟ ଚାଲି ପାରୁ ନଥିଲା । ଏହାମଧ୍ୟରେ ହାତୀପଲ ଝାଡ଼ଖଣ୍ଡମୁହାଁ ହୋଇଥିବାବେଳେ ଅସୁସ୍ଥ ହାତୀକୁ ଜାମୁତି ମୁଣ୍ଡାସାହି ନିକଟରେ ଛାଡ଼ି ପଳାଇଛି ମା’ । ଏକ ଛୋଟ ହାତୀ ବିଲ ମଝିରେ ପଡ଼ିଥିବା ଖବର ପାଇ ବନ କର୍ମଚାରୀ ପହଞ୍ଚି ତାକୁ ନିକଟସ୍ଥ ଅଙ୍ଗନଓୱାଡି କେନ୍ଦ୍ରରେ ରଖି ଚିକିତ୍ସା କରୁଛନ୍ତି । ହାତୀଟି ସୁସ୍ଥ ହେବା ପରେ ତାକୁ ପୁଣି ଥରେ ତା’ ମା’ ନିକଟରେ ଛଡ଼ାଯିବ, ନା ନନ୍ଦନକାନନରେ ଛଡ଼ାଯିବ ସେ ନେଇ ବନ କର୍ମଚାରୀ ମୁହଁ ଖୋଲିନଥିଲେ ମଧ୍ୟ ହାତୀଛୁଆଟିକୁ କିଭଳି ସୁସ୍ଥ କରାଯିବ ତା’ ଉପରେ ଗୁରୁତ୍ୱ ଦିଆଯାଉଥିବା ରେଞ୍ଜ ଅଧିକାରୀ କହିଛନ୍ତି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *