ବରିଷ୍ଟ ଫଟୋ ସାମ୍ବାଦିକ ଉମାପ୍ରସାଦ ମିଶ୍ରଙ୍କ ପରଲୋକ

ବରିଷ୍ଟ ଫଟୋ ସାମ୍ବାଦିକ ଉମାପ୍ରସାଦ ମିଶ୍ରଙ୍କ ପରଲୋକ

News by Smruti Ranjan Tripathy (Cuttack)

#କଟକ(ଏନ୍‌.ଏମ୍‌.): ବରିଷ୍ଟ ଫଟୋ ସାମ୍ବାଦିକ ଉମାପ୍ରସାଦ ମିଶ୍ରଙ୍କ ୮୭ବର୍ଷ ବୟସରେ ପରଲୋକ ହୋଇଯାଇଛି । ତାଙ୍କର ପରଲୋକଗତ ଖବର ପାଇ କଟକ ସହରର ବହୁ ବୁଦ୍ଧିଜୀବୀ, ସାମ୍ବାଦିକ, ରାଜନେତା ତଥା ଅଞ୍ଚଳର ମୁରବୀମାନେ ପୀଠାପୁର ତାରାଚାନ୍ଦ ପାଟଣାସ୍ଥିତ ବାସ ଭବନରେ ପହଞ୍ôଚ ଶେଷ ଦର୍ଶନ କରିଥିଲେ । ସ୍ୱର୍ଗତ ମିଶ୍ର କେବଳ ଜଣେ ଫଟୋ ସାମ୍ବାଦିକ ଥିଲେ ତାହା ନୁହେଁ ସେ ଏକାଧାରରେ ଲେଖକ ମଧ୍ୟ ଥିଲେ । ସେ ୧୯୩୬ ମସିହାରେ ପୁରୀଜିଲ୍ଲା ବଳଭଦ୍ରପୁର ଗ୍ରାମରେ ଜନ୍ମଗ୍ରହଣ କରିଥିବାବେଳେ କଟକକୁ ନିଜର କର୍ମଭୂମି ଭାବେ ବାଛି ନେଇଥିଲେ । ୧୯୬୫ ମସିହାରେ ସେ ସମାଜ ସମ୍ବାଦପତ୍ରରେ ଜଣେ ଫଟୋ ସାମ୍ବାଦିକ ଭାବେ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ତତକାଳୀନ ସେ ବହୁ ଦୁର୍ଲଭ ଫଟୋ ଉତ୍ତୋଳନ କରି ରାଜ୍ୟସରକାରଙ୍କ ସ୍ୱୀକୃତିପ୍ରାପ୍ତ ଫଟୋ ସାମ୍ବାଦିକ ଭାବେ ମାନ୍ୟତା ପାଇଥିଲେ । ୧୯୯୬ ମସିହାରେ ସେ ଅବସର ଗ୍ରହଣ କରିବା ପରେ ମଧ୍ୟ ଚୁପ ହୋଇ ନଥିଲେ । ଅଞ୍ଚଳର ଦୁଃଖି ରଙ୍କି କିମ୍ବା ଅସହାୟଙ୍କ କଥା ଶୁଣିବା କ୍ଷଣି ତାଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସୁଥିଲେ । ସେ ରଚନା କରିଥିବା ବିଭିନ୍ନ ପୁସ୍ତକ ମଧ୍ୟରେ ଉତ୍କଳର ମଣି ରତ୍ନ, ପ୍ରଜ୍ଞାପୁରୁଷ ରାଧାନାଥ, ଉତ୍କଳର ଚାରି ରତ୍ନ, ଅବିସ୍ମରଣୀୟ ଉତ୍କଳ ମଣି,ସ୍ମୃତିରେ ଗୋପବନ୍ଧୁ, ଉତ୍କଳର ଅଜ୍ଞାତ ଅଧ୍ୟାୟ ଭଳି ପୁସ୍ତକ ବାଣୀଭଣ୍ଡାରକୁ ଅଧିକ ମଜଭୁତ କରି ପାରିଛି । ଏହି ପୁସ୍ତକଗୁଡ଼ିକ ରାଜା ରାମମୋହନ ଫାଉଣ୍ଡେସନ ପକ୍ଷରୁ ଉଚ୍ଚ ପ୍ରଶଂସିତ ହୋଇଥିଲା । ଏଥି ସହିତ ସେ ଉତ୍କଳ ସାହିତ୍ୟ ସମାଜ, ଡିଷ୍ଟିକ ଜର୍ଣ୍ଣାଳିଷ୍ଟ ଆସୋସିଏସନ, ପଦ୍ମଭୂଷଣ ଡକ୍ଟର ରାଧାନାଥ ରଥ ଜନ୍ମ ଶତବାର୍ଷିକୀ ସମିତି, କର୍ମବୀର ଗୌରୀଶଙ୍କର ରାୟ କମିଟି, ସିନେମା ସଂସାର ଭଳି ବହୁ ଅନୁଷ୍ଠାନରୁ ମଧ୍ୟ ସମ୍ମାନିତ ହୋଇଥିଲେ ।
ଗତକାଲି ବିଳମ୍ବିତ ରାତିରେ ସେ ଶେଷ ନିଶ୍ୱାସ ତ୍ୟାଗକରିଥିବାବେଳେ ମୃତ୍ୟୁଶଯ୍ୟା ନିକଟରେ ଜ୍ୟେଷ୍ଟପୁତ୍ର ମଧୁସୂଦନ ମିଶ୍ର, ଜ୍ୟେଷ୍ଠପୁତ୍ର ବଧୁ ସୁଷମା ମିଶ୍ର, କନିଷ୍ଠ ପୁତ୍ର ତଥା ଫଟୋ ସାମ୍ବାଦିକ ପଦ୍ମଲୋଚନ ମିଶ୍ର, କନିଷ୍ଠ ପୁତ୍ରବଧୁ ମମତାରାଣୀ କନ୍ୟା ରାଜଶ୍ରୀ ଜାମାତା ପ୍ରଶାନ୍ତ ମିଶ୍ରଙ୍କ ସମେତ ନାତିନାତୁଣୀ ଓ ବନ୍ଧୁ ପରିଜନ ଉପସ୍ଥିତଥିଲେ । ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଶେଷ କୃତ୍ୟ ସମ୍ପନ୍ନ ହୋଇଥିବାବେଳେ ଜ୍ୟେଷ୍ଠପୁତ୍ର ମଧୁସୂଦନ ମିଶ୍ର ମୁଖାଗ୍ନି ଦେଇଥିଲେ । ତାଙ୍କ ପରଲୋକଗତ ଖବର ପାଇ ଉତ୍କଳ ସାହିତ୍ୟସମାଜର ପୂର୍ବତନ ସଭାପତି ଡକ୍ଟର ବିଜୟାନନ୍ଦ ସିଂହ, ସାମ୍ବାଦିକ ବସନ୍ତ ରଥ, ତପନ କୁମାର ସାହୁ, ଆଲୋକ ନାୟକ, ପ୍ରଶାନ୍ତ ମହାନ୍ତି, ସୁଶାନ୍ତ କୁମାର ଜେନା, ପ୍ରମୋଦ ପରିଡା, ବିଶ୍ୱରଞ୍ଜନ ମିଶ୍ର, ସ୍ମୃତିରଞ୍ଜନ ତ୍ରିପାଠୀ, ଗତିକୃଷ୍ଣ ଦାସ, ଉମାକାନ୍ତ ଜେନା, ଦେବାଶିଷ ଭଟ୍ଟାଚାର୍ଯ୍ୟ, ପୂର୍ବତନ କର୍ପୋରେଟର ନରୋତ୍ତମ ଦାସ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *