ବଦଳିଲା ମନରେଗା: ‘ଭିବି-ଜି ରାମ ଜି’ରେ ବର୍ଷକୁ ୧୨୫ ଦିନର କାମ

ବଦଳିଲା ମନରେଗା: ‘ଭିବି-ଜି ରାମ ଜି’ରେ ବର୍ଷକୁ ୧୨୫ ଦିନର କାମ


@Newdelhi #ନୂଆଦିଲ୍ଲୀ(ଏଜେନ୍ସି): କୋଡ଼ିଏ ବର୍ଷ ପୁରୁଣା ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ମନରେଗା)ରେ ବ୍ୟାପକ ପରିବର୍ତ୍ତନ କରି ‘ବିକଶିତ ଭାରତ-ରୋଜଗାର ଓ ଜୀବିକା ପାଇଁ ଗ୍ୟାରେଣ୍ଟି ଅଭିଯାନ (ଭିବି-ଜି ରାମ ଜି) ଆଇନ, ୨୦୨୫’ ପ୍ରସ୍ତୁତ କରାଯାଇଛି। ପିଆଇବି ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ ଏହି ଆଇନ ଅଧୀନରେ ପ୍ରତ୍ୟେକ ଗ୍ରାମୀଣ ପରିବାରକୁ ବର୍ଷକୁ ୧୨୫ ଦିନର ବେତନ ଆଧାରିତ କାମ ପ୍ରଦାନ କରାଯିବ। ମନରେଗାରେ ବର୍ଷକୁ ୧୦୦ ଦିନର କାମ ଦିଆଯାଉଥିଲା। ନୂଆ ଆଇନର ଚାରିଟି ପ୍ରାଥମିକତା ହେଉଛି ଜଳ ସଂକ୍ରାନ୍ତ କାମ ଜରିଆରେ ଜଳ ସୁରକ୍ଷା, ମୌଳିକ ଗ୍ରାମୀଣ ଭିତ୍ତିଭୂମି, ଜୀବିକା ସଂକ୍ରାନ୍ତ ଭିତ୍ତିଭୂମି ଓ ଖରାପ ପାଣିପାଗ ଘଟଣାକ୍ରମର ପ୍ରଶମନ ଲାଗି ସ୍ୱତନ୍ତ୍ର କାର୍ଯ୍ୟ। ଚାଷ କାମରେ ଦେଖାଦେଉଥିବା ଶ୍ରମିକ ସମସ୍ୟାକୁ ରୋକିବା ଲାଗି ନୂଆ ଯୋଜନାରେ ବ୍ୟବସ୍ଥା କରାଯାଇଛି। ଅମଳ ସମୟରେ ୬୦ ଦିନ ପର୍ଯ୍ୟନ୍ତ ମନରେଗା କାମ ରୋକିବାକୁ ରାଜ୍ୟ ସରକାର ବିଜ୍ଞପ୍ତି ପ୍ରକାଶ କରିପାରିବେ। ଫଳରେ ଅମଳ ସମୟରେ ଶ୍ରମିକ ଅଭାବ ରହିବ ନାହିଁ। ଚାଷ କାମ ପାଇଁ ଅଧିକ ମଜୁରୀ ଦାବି ହେଉଥିବା ସମସ୍ୟା ମଧ୍ୟ ଦୂର ହେବ। ଏହି ଯୋଜନାରେ ଡିଜିଟାଲ ମାଧ୍ୟମରେ ପାରିଶ୍ରମିକ ଦିଆଯିବ। ମଜୁରି ଚୋରିକୁ ସମ୍ପୂର୍ଣ୍ଣ ରୋକାଯିବ। ମନରେଗାରେ ପରିବର୍ତ୍ତନ କାହିଁକି ଜରୁରୀ, ସେ ସମ୍ପର୍କରେ ସରକାର ଜଣାଇଛନ୍ତି ଯେ ୨୦୧୧-୧୨ରୁ ୨୦୨୩-୨୪ ମଧ୍ୟରେ ଦାରିଦ୍ର‌୍ୟ ହାର ୨୫.୭%ରୁ ହ୍ରାସ ପାଇ ୪.୮୬ ପ୍ରତିଶତ ରହିଯାଇଛି। ଦୃଢ଼ ସାମାଜିକ ସୁରକ୍ଷା, ଡିଜିଟାଲ ସଂଯୋଗ ସହ ପୁରୁଣା ଢାଞ୍ଚା ଆଉ ମେଳ ଖାଉନାହିଁ। ନୂଆ ଯୋଜନା ରୋଜଗାର ଦିନ ବଢ଼ାଇବ, ପ୍ରାଥମିକତା ଉପରେ ଧ୍ୟାନ ଦେବ, ଏକ ଉତ୍ତରଦାୟୀ, ଲକ୍ଷ୍ୟ ଆଧାରିତ ଓ ପ୍ରାସଙ୍ଗିକ ରୋଜଗାର ଢାଞ୍ଚା ପ୍ରସ୍ତୁତ କରିବ। ନୂଆ ଯୋଜନାରେ କେନ୍ଦ୍ର ଓ ରାଜ୍ୟ ଦାୟିତ୍ୱ ବାଣ୍ଟିବେ। ବିପର୍ଯ୍ୟୟ ସମୟରେ ସ୍ୱତନ୍ତ୍ର ଛାଡ଼ ସୁବିଧା ମିଳିବ। କାମ ନମିଳିଲେ ବେକାରୀ ଭତ୍ତା ବାଧ୍ୟତାମୂଳକ ଭାବେ ଦିଆଯିବ। କାମ ନ ମିଳିଲେ ବେକାରୀ ଭତ୍ତା ବାଧ୍ୟତାମୂଳକ ବୋଲି ସରକାର ଘୋଷଣା କରିଛନ୍ତି। ଏ ସମ୍ପର୍କରେ ଚାଲିଥିବା ଠକେଇ ଏଆଇ ଚିହ୍ନଟ କରିବ ବୋଲି କୁହାଯାଇଛି। ତେବେ ପଶ୍ଚିମବଙ୍ଗର ୧୯ଟି ଜିଲ୍ଲାରେ ହୋଇଥିବା ତଦନ୍ତରୁ ଜଣାପଡ଼ିଥିଲା ଯେ କୌଣସି କାମ ନ ହୋଇ ପାଣ୍ଠି ଆତ୍ମସାତ କରାଯାଇଥିଲା। ୨୦୨୫-୨୬ରେ ୨୩ଟି ରାଜ୍ୟରେ କରାଯାଇଥିବା ଅନୁଧ୍ୟାନରୁ ଜଣାପଡ଼ିଥିଲା ଯେ, ଶ୍ରମିକ ଆବଶ୍ୟକ ଥିବା କାମରେ ମେସିନ ବ୍ୟବହାର କରାଯାଇଥିଲା। ବିଭିନ୍ନ ରାଜ୍ୟରେ ୧୯୩.୬୭ କୋଟି ଟଙ୍କାର ଅନିୟମିତତା ହୋଇଥିଲା। ମାତ୍ର ୭.୬୧ ପ୍ରତିଶତ ଯୋଗ୍ୟ ପରିବାରକୁ ୧୦୦ ଦିନର କାମ ମିଳିଥିଲା। ସେଥିପାଇଁ ମନରେଗାରେ ପରିବର୍ତ୍ତନ ଜରୁରୀ ଥିଲା ବୋଲି ସରକାର ଜଣାଇଛନ୍ତି। ନୂଆ ଯୋଜନାରେ ଦୃଢ଼ ଢାଞ୍ଚା ରହିବ। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଆଧାରରେ ଠକେଇ ଚିହ୍ନଟ କରାଯିବ। ତଦାରଖ ପାଇଁ କେନ୍ଦ୍ରୀୟ ଓ ରାଜ୍ୟ ଷ୍ଟିୟରିଂ କମିଟି ରହିବ। ପଞ୍ଚାୟତଗୁଡ଼ିକୁ ଅଧିକ ତଦାରଖ ଦାୟିତ୍ୱ ଦିଆଯିବ। ଜିପିଏସ୍ ଓ ମୋବାଇଲ୍ ଆଧାରିତ ଅନୁଧ୍ୟାନ ଦେବ। ସାପ୍ତାହିକ ସାର୍ବଜନୀନ ଘୋଷଣା ହେବ ଏବଂ ପ୍ରତି ପଞ୍ଚାୟତ ବର୍ଷକୁ ଦୁଇ ଥର ସାମାଜିକ ଅଡିଟ୍ କରିବେ।

Leave a Reply

Your email address will not be published. Required fields are marked *