ପେଟ୍ରୋଲ ପମ୍ପ ଲୁଟ୍ ଯୋଜନା ପଣ୍ଡ ; ୬ ଆନ୍ତଃଜିଲ୍ଲା ଡକାୟତ ଗିରଫ
୫ ବନ୍ଧୁକ, ୩୦ ଗୁଳି, ମୋଟରସାଇକେଲ, ମୋବାଇଲ ଜବତ


କଟକ(ଏନ୍‌.ଏମ୍‌.): ମଙ୍ଗଳାବାଗ ଥାନା ପୁଲିସ ଯଥା ସମୟରେ ଚଢାଉ କରି ଏକ ଡକାୟତି ଯୋଜନା ପଣ୍ଡ କରିବାରେ ସଫଳ ହୋଇଛି । ସ୍ଥାନୀୟ ପେଟ୍ରୋଲ ପମ୍ପରୁ ଲୁଟ୍ ପାଇଁ ଯୋଜନା କରୁଥିବା ବେଳେ ମଙ୍ଗଳାବାଗ ଥାନା ପୁଲିସ ଚଢାଉ କରି ଏକ ଆନ୍ତଃଜିଲ୍ଲା ପେସାଦାର ଡକାୟତ ଗ୍ୟାଙ୍ଗର ୬ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ବନ୍ଧୁକ, ଗୁଳି, ମୋଟର ସାଇକେଲ ଓ ମୋବାଇଲ ଫୋନ୍ ଜବତ କରିଛି । ଗିରଫ ଅଭିଯୁକ୍ତମାନେ ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅନ୍ତର୍ଗତ ଇଚ୍ଛାପୁର କଇଁଆଗୋଳର ବିଶ୍ୱଜିତ ଦାସ ଓରଫ ବିଟୁ(୩୨), କଟକ ସଦର ଥାନା ଅନ୍ତର୍ଗତ ୪୨ ମୌଜା ଦଧିବାମନପୁର ସଞ୍ଜୟ ସାମଲ(୩୦), ଭଦ୍ରକ ଜିଲ୍ଲା ଧୂଷୁରି ଥାନା ଅନ୍ତର୍ଗତ ଦୋହରାପାଟଣାର ବୁଟୁ ନାଏକ(୩୫), କଟକ ଜଗତପୁର ଥାନା ଅନ୍ତର୍ଗତ ମଙ୍ଗଳାସାହିର ପ୍ରଶାନ୍ତ ବାରିକ ଓରଫ ଟିକିନା(୪୧), ଜଗତସିଂହପୁର ଜିଲ୍ଲା ରଘୁନାଥପୁର ଥାନା ଅନ୍ତର୍ଗତ ରେଢୁଆର ରାଜେଶ ଖଟୁଆ ଓରଫ ରାଜା(୩୫) ଓ କଟକ ନିଆଳି ଥାନା ଅନ୍ତର୍ଗତ କସର୍ଦା ପଦାତିରାର ଶୁଭଦର୍ଶନ ଦାଶ ଓରଫ କଇନ(୨୪) । ସିପି ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସୂଚନା ମୁତାବକ, ଗତ କାଲି ସନ୍ଧ୍ୟାରେ ମଙ୍ଗଳାବାଗ ଥାନା ଅନ୍ତର୍ଗତ ମହାନଦୀ କୂଳ ହାଡ଼ିଆପଠାରେ କେତେକ ଅସାମାଜିକ ଯୁବକ ମାରଣାସ୍ତ୍ର ସହ ଏକତ୍ରିତ ହୋଇ ଡକାୟତି ପାଇଁ ଯୋଜନା କରୁଥିଲେ । ଏ ସଂପର୍କରେ ପୁଲିସକୁ ଗୁପ୍ତ ଖବର ମିଳିଥିଲା । ତଦନୁଯାୟୀ ଥାନାଧିକାରୀ ଅମିତାଭ ମହାପାତ୍ରଙ୍କ ନେତୃତ୍ୱରେ ଚଢାଉ କରାଯାଇଥିଲା । ଚଢାଉ ସମୟରେ ୬ ଜଣଙ୍କୁ କାବୁ କରାଯିବା ସହ ସେମାନଙ୍କ ନିକଟରୁ ବିଭିନ୍ନ ବ୍ରାଣ୍ଡର ୫ଟି ବନ୍ଧୁକ, ୩୦ ଜୀବନ୍ତ ଗୁଳି, ଗୋଟିଏ ହୁଣ୍ଡା ଆକ୍ଟିଭା(ଓଡ଼ି ୨୧ ଜି ୯୬୮୮), ଗୋଟିଏ ୟାମାହା ଆର-୧୫ (ଓଡ଼ି ୦୫ ଏଏଚ ୭୯୯୫) ଓ ୬ଟି ମୋବାଇଲ ଫୋନ୍ ଜବତ କରାଯାଇଥିଲା । ସେମାନେ ହାଓଡ଼ା ମୋଟର ଛକ ପେଟ୍ରୋଲ ପମ୍ପରୁ ଡକାୟତି କରିବାକୁ ଯୋଜନା କରୁଥିବା ସଂପର୍କରେ ପଚରା ଉଚରା ବେଳେ ପୁଲିସ ନିକଟରେ ସ୍ୱୀକାର କରିଛନ୍ତି । ଅଭିଯୁକ୍ତମାନେ ଏକ ଆନ୍ତଃଜିଲ୍ଲା ଡକାୟତ ଗ୍ୟାଙ୍ଗର ସଦସ୍ୟ ଓ ସେମାନେ କଟକ, କେନ୍ଦ୍ରାପଡ଼ା, ଯାଜପୁର, ବାଲେଶ୍ୱର, ଖୋର୍ଦ୍ଧା, ଜଗତସିଂହପୁର, ଗଞ୍ଜାମ ଆଦି ଜିଲ୍ଲା ସମେତ କଟକ, ଭୁବନେଶ୍ୱର, ବ୍ରହ୍ମପୁର ସହରର ବହୁ ଡକାୟତି, ଲୁଟ୍‌, ରାହାଜାନୀ ମାମଲାରେ ସଂପୃକ୍ତ ରହି ଫେରାର ରହିଛନ୍ତି । ବିଟୁ ବିରୋଧରେ ବିଭିନ୍ନ ଥାନାରେ ୧୩ଟି ମାମଲା ରହିଥିବା ବେଳେ ରାଜା ବିରୋଧରେ ୬ଟି, କଇନ ଓ ଟିକିନା ବିରୋଧରେ ୪ଟି ଲେଖାଏ ମାମଲା ରହିଥିବା ଜଣାପଡ଼ିଛି । ତେବେ ଅଭିଯୁକ୍ତମାନେ କେଉଁ କେଉଁ ମାମଲାରେ ସଂପୃକ୍ତ ରହିଛନ୍ତି, କେଉଁ ମାମଲାରେ ୱାଣ୍ଟେଡ଼ ରହିଛନ୍ତି ଓ ସେମାନଙ୍କର ଅପରାଧିକ କାର୍ଯ୍ୟ କଳାପର ଖୁଲାସା କରିବାକୁ ସ୍ପେଶାଲ ସ୍କ୍ୱାର୍ଡ଼ ଏସିପି ଓ ମନଙ୍ଗଳାବାଗ ଥାନାଧିକାରୀଙ୍କୁ ନେଇ ଏକ ଟିମ୍ ଗଠନ କରାଯାଇଛି । ଅଧିକ ପଚରା ଉଚରା ପାଇଁ ଅଭିଯୁକ୍ତମାନଙ୍କୁ ରିମାଣ୍ଡରେ ଅଣାଯିବ ବୋଲି ଡିସିପି ସୂଚନା ଦେଇଛନ୍ତି । ଅଭିଯୁକ୍ତମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି ।

Leave a Reply

Your email address will not be published. Required fields are marked *