ପୂଜା ଛୁଟି ହେଲା ଜୀବନ ଛୁଟି: ପୁରୀ ସମୁଦ୍ରରେ ଗାଧୋଇଲା ବେଳେ ଟାଣିନେଲା ଲହଡ଼ି

ପୁରୀ (ଏନ୍.ଏମ୍.): ପୂଜା ଛୁଟିରେ ପରିବାର ସହ ପୁରୀ ବୁଲିବାକୁ ଆସିଥିଲେ । ହେଲେ କିଏ ଜାଣିଥିଲା ପୂଜା ଛୁଟି ହିଁ ତାଙ୍କ ଜୀବନର ଛୁଟି କରିଦେବ । ତେବେ ଜଣେ ପର୍ଯ୍ୟଟକ ପୂଜାଛୁଟିରେ ପୁରୀ ଆସି ସମୁଦ୍ରରେ ଗାଧୋଇଲା ବେଳେ ଟାଣିନେଲା ଲହଡ଼ି, ଆଉ ଚାଲିଗଲା ଜୀବନ । ପୁରୀ ଲାଇଟ ହାଉସ ନିକଟ ସମୁଦ୍ରରେ ଗାଧୋଇବାବେଳେ ବୁଡି ଯାଇ ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି । ମୃତ ପର୍ଯ୍ୟଟକ ହେଉଛନ୍ତି ମୃତ ଯୁବକ ଜଣଙ୍କ ହେଲେ ଅର୍ଚ୍ଚିତ ବାନାର୍ଜୀ । ତାଙ୍କ ଘର ପଶ୍ଚିମବଙ୍ଗ ବାଙ୍କୁଡାର ବୋଲି ଜଣାପଡ଼ିଛି । ୨୫ତାରିଖ ସକାଳେ ଅର୍ଚ୍ଚିତ୍ ନିଜ ପରିବାର ସହ ବଳିଆପଣ୍ଡା ଲାଇଟ୍ ହାଉସ୍ ନିକଟ ବିର୍ଲା ଗେଷ୍ଟ ହାଉସ୍ ସମ୍ମୁଖ ବେଳାଭୂମିରେ ଗାଧୋଉଥିଲେ । ତେବେ ସେହି ସମୟରେ ସେ ରିପ୍ କରେଣ୍ଟରେ ପଡ଼ିଯିବାରୁ ଗଭୀର ସମୁଦ୍ର ଭିତରକୁ ଭାସି ଯାଇଥିଲେ । ଅର୍ଚ୍ଚିତ୍ ବାନାର୍ଜୀ ଭାସିଯିବା ପରେ ପରିବାର ଲୋକେ ଚିତ୍କାର କରିବାରୁ ସେଠାରେ ଉପସ୍ଥିତ ଥିବା ଲାଇଫ ଗାର୍ଡମାନେ ସମୁଦ୍ର ଭିତରକୁ ଯାଇ ତାଙ୍କୁ ବହୁ ଖୋଜାଖୋଜି କରିଥିଲେ । ପ୍ରାୟ ଅଧ ଘଣ୍ଟା ପରେ ଅର୍ଚ୍ଚିତକୁ ଲାଇଫ ଗାର୍ଡମାନେ ଉଦ୍ଧାର କରି ଚିକିତ୍ସା ପାଇଁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଗତକାଲି ଦଶହରା ଅବସରରେ ଅର୍ଚ୍ଚିତ୍ ପୁରୀ ବୁଲିବାକୁ ଆସିଥିବା ବେଳେ ଆଜି ତାଙ୍କର ଏଭଳି ମୃତ୍ୟୁକୁ ନେଇ ପରିବାର ଲୋକେ ଦୁଃଖରେ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି ।

