ପୁଲିସ ଲଗାଇ ଆଦିବାସୀଙ୍କ ଠାରୁ ଜମି ଛଡ଼ାଇବା ଘଟଣାର ପ୍ରତିବାଦରେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ପୁଲିସ ଲଗାଇ ଆଦିବାସୀଙ୍କ ଠାରୁ ଜମି ଛଡ଼ାଇବା ଘଟଣାର ପ୍ରତିବାଦରେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ


ଟାଙ୍ଗୀ(ଏନ୍‌.ଏମ୍‌.): ଆଦିବାସୀମାନଙ୍କ ଅଧୀନରେ ଥିବା ଜଙ୍ଗଲ କିସମ ଜମିକୁ ଛାଡିବା ପାଇଁ ଚୌଦ୍ୱାର ଥାନା ପକ୍ଷରୁ ଆଦିବାସୀଙ୍କୁ ଧମକ ଦେଇ ୧୨ ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ଥାନାରେ ଅଟକାଇ ଜୋରଜବରଦସ୍ତ ଜମି ଛାଡିବାକୁ ସାଧା କାଗଜରେ ଦସ୍ତଖତ ନେବା ଘଟଣାକୁ ପ୍ରତିବାଦ କରି ଆଜି ଆଦିବାସୀ ଅଧିକାର ମଞ୍ଚ ପକ୍ଷରୁ ଟାଙ୍ଗି ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବିକ୍ଷୋଭକାରୀଙ୍କ ପକ୍ଷରୁ ଏସ୍‍.ସି/ଏସ୍‍.ଟି. କଲ୍ୟାଣ ବିଭାଗ ଶାସନ ସଚିବ ଏବଂ ଜିଲ୍ଲାପାଳ କଟକଙ୍କ ହସ୍ତକ୍ଷେପ ଦାବିରେ ଏକ ଦାବି ପତ୍ର ଟାଙ୍ଗୀ-ଚୌଦ୍ୱାର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ମାଧ୍ୟମରେ ପ୍ରଦାନ କରାଯାଇଛି ।
ଘଟଣାର ବିବରଣୀରୁ ପ୍ରକାଶ ଯେ – ଟାଙ୍ଗୀ-ଚୌଦ୍ୱାର ବ୍ଲକ ଅନ୍ତର୍ଗତ କରଞ୍ଜି ଗ୍ରାମ ପଞ୍ଚାୟତର ବଡ଼କୁଶନପୁର ରାଜ୍ୟସ୍ୱ ଗ୍ରାମର ପଡାଗ୍ରାମ କେନ୍ଦୁଗାଡିଆ ସମ୍ପୂର୍ଣ୍ଣ ଜଙ୍ଗଲ ମଧ୍ୟରେ ଅବସ୍ଥିତ ଏବଂ ସେଠାକାର ସମସ୍ତ ଜମି ପ୍ରାୟ ଜଙ୍ଗଲ କିସମର । ଏଫଆରସି ଲାଗୁ ହେବାର ୧୪ ବର୍ଷ ବିତି ଯାଇଥିଲେ ମଧ୍ୟ ଏହି ଆଦିବାସୀ ଲୋକମାନଙ୍କୁ ଜଙ୍ଗଲ ଅଧିକାର ଆଇନ ବଳରେ ଜମି ପଟ୍ଟା ଦିଆଯାଇନାହିଁ । ୧୯୮୩ ମସିହାରେ ଯେଉଁ କିଛି ଲୋକ ଜମି ପଟ୍ଟା ପାଇଥିଲେ; ସେ ସମସ୍ତ ଜମିର କିସମ ଜଙ୍ଗଲ -୨(ମେଲାଶାଳ ଜଙ୍ଗଲ) । ତନ୍ମଧ୍ୟରୁ ଲାଲମୋହନ ଶିର୍କା, ପିତା ଜଗମୋହନ ଶିର୍କାଙ୍କ ନାମରେ ଥିବା ଖାତା ନମ୍ବର-୧୨୩/୦୫ ଏକ ଏକର ୬୦ ଡିସିମିଲ୍‍ ଜମିକୁ ସେ ଦୀର୍ଘ ବର୍ଷ ଧରି ଚାଷ କରି ଆସୁଛନ୍ତି । ଅସାଧୁ ରାଜସ୍ୱ କର୍ମଚାରୀଙ୍କ ଚକ୍ରାନ୍ତରେ ସେହି ଜମିକୁ ଜଣେ ଜମି ମାଫିଆ ତାଙ୍କର ବୋଲି ଦାବି କରି ଏକ ପଟ୍ଟା ଦେଖାଇ ବାରମ୍ବାର ଗୁଣ୍ଡା ନେଇ ଦଖଲ କରିବାକୁ ଯାଉଛନ୍ତି । ଲଜ୍ଜା ଓ ଦୁଃଖର ବିଷୟ ଯେ ଏହିକି ଯେ, ପୁଲିସ ନିରୀହ ଆଦିବାଦୀମାନଙ୍କୁ ସୁରକ୍ଷା ନ ଦେଇ ଜମି ମାଫିଆଙ୍କ ସହିତ ହାତ ମିଳାଇ ଗତ ମେ ମାସ ୧୯ତାରିଖ ଦିନ ସେହି ଗ୍ରାମର ପାଞ୍ଚ ଜଣ ଆଦିବାସୀ ମହିଳାଙ୍କ ସମେତ ମୋଟ ୧୨ ଜଣଙ୍କୁ ଥାନାକୁ ଉଠାଇ ଆଣି ରାତି ପର୍ଯ୍ୟନ୍ତ ବସାଇ ଗାଳିଗୁଲଜ କରି ଜୋରଜବରଦସ୍ତ ଜମି ଛାଡିବା ପାଇଁ ସାଧା କାଗଜରେ ଦସ୍ତଖତ କରାଇଛନ୍ତି । ଆଦିବାସୀଙ୍କୁ ଜମି ଯୋଗାଇବା ବଦଳରେ ଜମି ଛଡାଇ ନେବା, ଜମି ମାଫିଆ ଓ ପୁଲିସର ମିଳିତ ଚକ୍ରାନ୍ତକୁ ତଦନ୍ତ କରିବା ଦାବିରେ ଆଜୀ ଏହି ବିକ୍ଷୋଭ କରାଯାଇଥିଲା । ଆଦିବାସୀ ଅଧିକାର ମଞ୍ଚ ସମ୍ପାଦକ ଚନ୍ଦ୍ରମୋହନ ମାଝି, ବୁଦୁନି ସଏ, ଜୟନ୍ତି ଗାଗରାଇ, ସୁନାରାମ ହେମ୍ବ୍ରମ୍‍, ମୁକୁଲ କୁଇଙ୍କଲ, ସମେତ ଓଡ଼ିଶା କୃଷକ ସଭାର
ଜିଲ୍ଲା ସମ୍ପାଦକ ଡମ୍ବୁରୁଧର ସାହୁଙ୍କ ନେତୃତ୍ୱରେ ବିକ୍ଷୋଭ ଅନୁଷ୍ଠିତ ହୋଇଥିଲା ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *