ପୁରୀରୁ ହାୱଡା ଗଡ଼ିଲା ବନ୍ଦେ ଭାରତ ଏକ୍ସପ୍ରେସ, ଭର୍ଚ୍ଚୁଆଲ ମୋଡ଼ରେ ପତାକା ହଲାଇ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ପୁରୀରୁ ହାୱଡା ଗଡ଼ିଲା ବନ୍ଦେ ଭାରତ ଏକ୍ସପ୍ରେସ, ଭର୍ଚ୍ଚୁଆଲ ମୋଡ଼ରେ ପତାକା ହଲାଇ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

News by Biswaranjan Mishra (Puri)

#ପୁରୀ(ଏନ୍‌.ଏମ୍‌.): ଆଜି ଓଡ଼ିଶାରେ ପ୍ରଥମ କରି ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ଶୁଭାରମ୍ଭ ହୋଇଛି । ପୁରୀ-ହାୱଡା ଯାତାୟତ ନିମନ୍ତେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ବନ୍ଦେ ଭାରତ ଏକ୍ସପ୍ରେସ୍‌’ ଟ୍ରେନର ଶୁଭାରମ୍ଭ କରିଛନ୍ତି । ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀରୁ ଭର୍ଚ୍ଚୁଆଲ ମୋଡରେ ଏହି ଏକ୍ସପ୍ରେସକୁ ପତାକା ଦେଖାଇ ଲୋକାର୍ପଣ କରିଛନ୍ତି । ଏହାସହ ଓଡ଼ିଶାରେ ୮ହଜାର କୋଟି ଟଙ୍କାରୁ ଅଧିକ ବିଭିନ୍ନ ରେଳ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି । ବନ୍ଦେ ଭାରତ ଲୋକାର୍ପଣ ଅବସରରେ ପ୍ରଧାନମନ୍ତ୍ରୀ କହିଲେ ଯେ, ଆଜି ଓଡ଼ିଶା ଓ ପଶ୍ଚିମବଙ୍ଗ ଲୋକଙ୍କୁ ବନ୍ଦେ ଭାରତ ଉପହାର ମିଳିଲା । ବନ୍ଦେ ଭାରତରେ ଭାରତର ଗତି ଓ ପ୍ରଗତି ପ୍ରତିଫଳିତ ହେଉଛି । ପୁରୀରୁ କୋଲକାତା ଯାତ୍ରା କେବଳ ସାଢ଼େ ୬ ଘଣ୍ଟା ମଧ୍ୟରେ ହୋଇଯିବ । ଏହା ଦ୍ୱାରା ସମୟ ବଞ୍ଚିବ ଓ ବ୍ୟବସାୟ ବଢ଼ିବ । ସେ ପୁଣି କହିଲେ ଯେ, ବନ୍ଦେ ଭାରତ ଟ୍ରେନ୍ ସମସ୍ତଙ୍କୁ ଯୋଡ଼ିବ । ଓଡ଼ିଶା ଓ ପଶ୍ଚିମବଙ୍ଗର ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ ସମ୍ବନ୍ଧକୁ ସମୃଦ୍ଧ କରିବ । ଏହି ଆଧୁନିକ ଟ୍ରେନ୍ ଭାରତର ଅର୍ଥ ବ୍ୟବସ୍ଥାକୁ ସମୃଦ୍ଧ କରୁଛି । ପୂର୍ବରୁ କିଛି ବଡ଼ ପ୍ରକଳ୍ପ ହେଲେ ଦିଲ୍ଲୀ ଓ ମୁମ୍ବାଇରେ ସୀମିତ ରହୁଥିଲା । ଏବେ ଦେଶର କୋଣ ଅନୁକୋଣକୁ ସବୁ ପ୍ରକଳ୍ପ ପହଞ୍ଚୁଛି । ବିକାଶରେ ପଛୁଆ ରହିଥିବା ରାଜ୍ୟକୁ ବି ଫାଇଦା ମିଳୁଛି । ପ୍ରଧାନମନ୍ତ୍ରୀ ଆହୁରି କହିଲେ ଯେ, ବିଗତ ୯ ବର୍ଷ ହେଲାଣି ଓଡ଼ିଶାକୁ ରେଳ ଅନୁଦାନ ବଢ଼ି ଚାଲିଛି । ଖୋର୍ଦ୍ଧା-ବଲାଙ୍ଗିର ପ୍ରକଳ୍ପ ଅନେକ ବର୍ଷ ହେଲା ପଡ଼ି ରହିଥିଲା । ଏବେ ଏହି ପ୍ରକଳ୍ପ କାର୍ଯ୍ୟ ଦ୍ରୁତ ଗତିରେ ଚାଲୁଛି । ଓଡ଼ିଶାରେ ଶତ ପ୍ରତିଶତ ରେଳ ବିଦ୍ୟୁତକରଣ କାର୍ଯ୍ୟ ସମ୍ପନ୍ନ ହୋଇଛି । ଖଣିଜ ସମ୍ପଦରେ ଭର୍ତ୍ତି ଓଡ଼ିଶାକୁ ଏହା ଦ୍ୱାରା ଫାଇଦା ମିଳିବ ବୋଲି ପ୍ରଧାନ ମନ୍ତ୍ରୀ ତାଙ୍କ ବକ୍ତବ୍ୟରେ କହିଛନ୍ତି । ବିଦ୍ୟୁତକରଣ ଦ୍ୱାରା ଡିଜେଲରୁ ସୃଷ୍ଟି ପ୍ରଦୂଷଣରୁ ଓଡ଼ିଶାକୁ ମୁକ୍ତି ମିଳିବ ବୋଲି ସେ କହିଥିଲେ । ତେବେ ବନ୍ଦେ ଭାରତ ଲୋକାର୍ପଣ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଭର୍ଚୁଆଲ ମୋଡରେ ଉପସ୍ଥିତ ରହିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ପୁରୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ଦାବି ଦୋହରାଇ ଥିଲେ । ଆଗାମୀ ୩/୪ ବର୍ଷ ଭିତରେ ଏୟାରପୋର୍ଟ କାମ ସରିବ ବୋଲି ସେ ଆଶା କରୁଥିବା କହିଥିଲେ । ଏହା ସହିତ ରାଜ୍ୟ ପାଇଁ ଆଉ ୨ଟି ବନ୍ଦେ ଭାରତ ଦାବି କରିଥିଲେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ । ପୁରୀରୁ ରାଉରକେଲା ଓ ଭୁବନେଶ୍ୱରରୁ ହାଇଦ୍ରାବାଦକୁ ବନ୍ଦେ ଭାରତ ଏକ୍ସପ୍ରେସ ଚଲାଇବା ପାଇଁ ମୁଖ୍ୟମନ୍ତ୍ରୀ ଦାବି କରିଥିଲେ । ଏହା ସହିତ ଅନୁଗୋଳ-ସୁକିନ୍ଦା ଓ ପାରାଦୀପ-ହରିଦାସପୁର ଲାଇନରେ ପାସେଞ୍ଜର ଟ୍ରେନ୍ ଚଲାଇବାକୁ ସେ ଦାବି କରିଥିଲେ । ବନ୍ଦେ ଭାରତ ଏକ୍ସପ୍ରେସ କେବଳ ଗୁରୁବାରକୁ ଛାଡ଼ି ସପ୍ତାହର ଅନ୍ୟ ସବୁ ଦିନ ଚାଲିବ ବୋଲି ସୂଚନା ଦିଆଯାଇଛି । ତେବେ ପୁରୀରୁ ଏହି ଟ୍ରେନ୍ ଦିନ ୧ଟା ୫୦ରେ ଛାଡ଼ିବ ଓ ସନ୍ଧ୍ୟା ସାଢ଼େ ୮ଟାରେ ହାୱଡାରେ ପହଞ୍ଚିବ । ସେହିଭଳି ହାୱଡ଼ାରୁ ସକାଳ ୬ଟା ୧୦ରେ ବାହାରି ୧୨ଟା ୩୫ରେ ପୁରୀରେ ପହଞ୍ଚିବ । ଏହି ଟ୍ରେନର ଶୁଭାରମ୍ଭରେ ବହୁ ସ୍ଥାନୀୟ ବୁଦ୍ଧିଜୀବୀ, ଲୋକପ୍ରତିନିଧି ଉପସ୍ଥିତ ରହି ଏହାକୁ ସ୍ୱାଗତ କରିଥିଲେ । କାର୍ଯ୍ୟକ୍ରମରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଯୋଗଦେଇ ଓଡ଼ିଶାରେ ଖୁବ୍ ଶୀଘ୍ର ‘ବନ୍ଦେ ମେଟ୍ରୋ’ ଚଳାଚଳ କରିବ ବୋଲି କହିଛନ୍ତି । ଏହା ପୁରୀ- ଭୁବନେଶ୍ୱର-କଟକରେ ଚଳାଚଳ କରିବ । ସେ ଆହୁରି କହିଛନ୍ତି, ଓଡ଼ିଶାକୁ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍ ମିଳିବ । ଏହା ପୁରୀରୁ ଭୁବନେଶ୍ୱର, କଟକ, ଢେଙ୍କାନାଳ, ଅନୁଗୁଳ, ସମ୍ବଲପୁର ଓ ଝାରସୁଗୁଡ଼ା ଦେଇ ରାଉରକେଲା ଯାଏ ଚାଲିବ । ଏହାଫଳରେ ପଶ୍ଚିମ ଓଡ଼ିଶାବାସୀ ଅଧିକ ଉପକୃତ ହେବେ । ସ୍ଲିପର୍ ବନ୍ଦେ ଭାରତ ଏକ୍ସପ୍ରେସ୍ ବି ଚାଲିବ । ପ୍ରଧାନମନ୍ତ୍ରୀ ଓଡ଼ିଶାକୁ ଯଥେଷ୍ଟ ଗୁରୁତ୍ୱ ଦେଉଛନ୍ତି । ଏହି କାରଣରୁ ସେ ଓଡ଼ିଶାକୁ ଅଧିକ ଅର୍ଥ ଦେଉଛନ୍ତି । ଏହି ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଓ ଆଇଟିଡିସି ଅଧ୍ୟକ୍ଷ ଡାକ୍ତର ସମ୍ବିତ ପାତ୍ର ପ୍ରମୁଖ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *