ପାଣ୍ଡିଆନଙ୍କ ଉପରେ ଅସନ୍ତୋଷ ଝାଡ଼ିଲେ ସ୍ୱଚ୍ଛ ଓ ଜଳ ସାଥୀ ମହିଳା: ଅଭିଯୋଗ ଜଣାଇବାକୁ ଛାଡ଼ିଲାନି ପୁଲିସ୍

#କଟକ(ଏନ୍.ଏମ୍.): ସିଏମସି ଅଧୀନରେ କାର୍ଯ୍ୟରତ ସ୍ୱଚ୍ଛ ସାଥୀ ଓ ଜଳ ସାଥୀ ମହିଳାମାନଙ୍କୁ ଆଜି ନିରାଶ ହେବାକୁ ପଡ଼ିଛି । କଟକ ଗସ୍ତରେ ଆସିଥିବା ବିଜେଡି ନେତା ତଥା ୫ଟି ଅଧ୍ୟକ୍ଷ ଭି.କେ.ପାଣ୍ଡିଆନଙ୍କୁ ସେମାନେ ଭେଟିବାକୁ ଚାହୁଁଥିଲେ । ପାଣ୍ଡିଆନଙ୍କୁ ଭେଟି ସେମାନେ ନିଜର ସମସ୍ୟା ସମ୍ପର୍କରେ କହିଥାଆନ୍ତେ । କିନ୍ତୁ କଟକ କମିଶନରେଟ ପୁଲିସ ମହିଳାମାନଙ୍କୁ ଏଥିପାଇଁ ଅନୁମତି ଦେଲାନାହିଁ । ଏହାକୁ ନେଇ ସେମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଆଜି କଟକର ବିଭିନ୍ନ କଲେଜରେ ଭିକେ ପାଣ୍ଡିଆନଙ୍କ “ନୂଆ ଓ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି ସମୟରେ ସ୍ୱଚ୍ଛସାଥୀ ଓ ଜଳସାଥୀ ମହିଳାମାନେ ସେମାନଙ୍କ ଦାବି ନେଇ ପାଣ୍ଡିଆନଙ୍କୁ ଭେଟିବାକୁ ଚାହିଁଥିଲେ । କମିଶନରେଟ ପୁଲିସ୍ ଭେଟିବାକୁ ମହିଳାମାନଙ୍କ ପାଖରେ ଅନୁମତି ନଥିବା କହି ସେମାନଙ୍କୁ ଘଟଣାସ୍ଥଳରୁ ବିଦା କରି ଦେଇଛି । ବିଭିନ୍ନ ବର୍ଗର କର୍ମଚାରୀଙ୍କ ପାଇଁ ସରକାର ଦରମା ବୃଦ୍ଧି ଘୋଷଣା କରୁଛନ୍ତି । କିନ୍ତୁ ସ୍ୱଚ୍ଛ ଓ ଜଳ ସାଥୀମାନଙ୍କର ଦରମା କାହିଁକି ବୃଦ୍ଧି କରାଯାଉନାହିଁ ବୋଲି ମହିଳାମାନେ ପ୍ରଶ୍ନ କରିଛନ୍ତି । ୨୦୧୯ମସିହାରୁ ଏସଏଜି ଗ୍ରୁପର ମହିଳାମାନେ ସ୍ୱଚ୍ଛସାଥୀ ଓ ଜଳସାଥୀ ଭାବେ କାମ କରୁଥିବାବେଳେ ମାସିକ ୪ ହଜାର ଟଙ୍କା ଲେଖାଏ ଦରମା ପାଉଛନ୍ତି । ସେମାନଙ୍କୁ ବିଭିନ୍ନ ସରକାରୀ କାମରେ ନିୟୋଜିତ କରାଯାଉଛି । ହେଲେ ସେମାନଙ୍କ ଦରମା ଦରମା ବୃଦ୍ଧି କରାଯାଉନାହିଁ । ଦରମା ବୃଦ୍ଧି ଉପରେ ଯଦି ସରକାର କୌଣସି ପଦକ୍ଷେପ ନନିଅନ୍ତି, ତା’ହେଲେ ଆଗାମୀ ଦିନରେ ମହିଳାମାନେ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି । ଅଭିଯୋଗ ଅନୁଯାୟୀ, ୨୦୧୯ ମସିହା ଅକ୍ଟୋବର ୧୬ ତାରିଖରେ ସେମାନଙ୍କୁ ନିଯୁକ୍ତି ମିଳିଥିଲା । ତାଙ୍କୁ ୮ ହଜାର ଟଙ୍କା ଦରମା ମିଳିବ ବୋଲି କୁହାଯାଇଥିଲା । କିନ୍ତୁ ମାସିକ ୪ ହଜାର ଟଙ୍କା ଲେଖାଏ ମିଳୁଛି । ଆଗକୁ ଦରମା ବଢ଼ିବ ବୋଲି ପ୍ରତିଶ୍ରୁତି ମିଳିଥିଲା । ହେଲେ ପ୍ରତିଶ୍ରୁତିକୁ ୫ ବର୍ଷ ପୂରିଥିଲେ ମଧ୍ୟ ସେମାନଙ୍କ କଥା କେହି ଶୁଣୁନଥିବା ଅଭିଯୋଗ କରିଛନ୍ତି । ଏପରିକି ମିଶନ ଶକ୍ତି ଅଫିସରେ ସଚିବ ସୁଜାତା କାର୍ତ୍ତିକେୟ ପାଣ୍ଡିଆନ ଚଳିତ ବର୍ଷ ଦରମା ବଢ଼ିବ ବୋଲି କହିଥିଲେ । ପାଣ୍ଡିଆନ ମଧ୍ୟ ସ୍ୱଚ୍ଛ ସାଥୀ ଓ ଜଳ ସାଥୀଙ୍କ ଦରମା ବଢ଼ିବ ବୋଲି ଘୋଷଣା କରିଥିଲେ । ସମସ୍ତଙ୍କ ଦରମା ବଢ଼ିଲା । ହେଲେ ଜଳସାଥୀ ଓ ସ୍ୱଚ୍ଛ ସାଥୀଙ୍କୁ ନାହିଁ । ଏପରିକି ବାଲିଯାତ୍ରା ଠାରୁ ଏସିବିସି ସର୍ଭେର ଟଙ୍କା ମଧ୍ୟ ମିଳିନି । ଏ ନେଇ ପାଣ୍ଡିଆନଙ୍କୁ ଜଣାଇବାକୁ ଚାହିଥିବାବେଳେ ପୁଲିସ୍ ମହିଳାମାନଙ୍କୁ ଅନୁମତି ନଥିବା କହି ତାଙ୍କୁ ଦେଖାକରିବାକୁ ଛାଡ଼ିଲା ନାହିଁ । ତେଣୁ ମହିଳାଙ୍କୁ ନିରାଶ କଲେ ଏହାର ପରିଣାମ ସରକାର ନିଶ୍ଚୟ ଭୋଗିବେ ବୋଲି ଜଳସାଥୀ ଓ ସ୍ୱଚ୍ଛସାଥୀ ମହିଳାମାନେ ଚେତାବନୀ ଦେଇଛନ୍ତି ।
