ପଣ୍ଡିତ ରଘୁନାଥ ମୁର୍ମୁଙ୍କ ୧୧୯ତମ ଜୟନ୍ତୀ ପାଳନ: ସାନ୍ତାଳୀ ଭାଷାକୁ ଉପଯୁକ୍ତ ମାନ୍ୟତା ପାଇଁ ଉଠିଲା ଦାବି

କଟକ(ଏନ୍.ଏମ୍.): ବିଶିଷ୍ଟ ସାନ୍ତାଳୀ ଭାଷାର ସ୍ରଷ୍ଟା ସ୍ୱର୍ଗତ ପଣ୍ଡିତ ରଘୁନାଥ ମୁର୍ମୁଙ୍କର ୧୧୯ତମ ଜୟନ୍ତୀ ଉତ୍ସବ ସ୍ଥାନୀୟ କର୍ମବୀର ଗୌରୀଶଙ୍କର ଟାଉନ ହଲ ଠାରେ ପାଳନ ହୋଇଯାଇଛି । ଜୁମିଡ୍ ଖେରୱାଲ୍ ସାନ୍ତାଳ ସଂଘ ପକ୍ଷରୁ ଆୟୋଜିତ ଏହି ଉତ୍ସବରେ ସାନ୍ତାଳୀ ଭାଷାର ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହି ଏହି ଭାଷାର ବିକାଶ ତଥା ଉପଯୁକ୍ତ ମାନ୍ୟତା ମିଳିବା ନେଇ ଆଲୋଚନା କରିଥିଲେ । ଡଃ ନରେନ୍ଦ୍ରନାଥ ସୋରେନ୍ଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ପାଦକ ସତ୍ୟନାରାୟଣ ମାଝି, ସାରଥୀ ମରାଡି, ସୁଶୀଲ କୁମାର ମାଝି ପ୍ରମୁଖ ଯୋଗଦେଇ ସମସ୍ତ ସାନ୍ତାଳ ବର୍ଗର ଜନସାଧାରଣ ଏକାଠି ହୋଇ ନିଜ ମା’ ମାଟି ଓ ଭାଷା ସଂସ୍କୃତିର ବିକାଶ ସମ୍ପର୍କରେ ଆଲୋକପାତ କରିଥିଲେ । ତେବେ ସାନ୍ତାଳୀ ଭାଷାର ସ୍ୱତନ୍ତ୍ର ଲିପି ରହିଥିବାରୁ ଅନ୍ୟ ପ୍ରମୁଖ ଭାଷା ଭଳି ଏହାକୁ ମଧ୍ୟ ଉପଯୁକ୍ତ ମାନ୍ୟତା ମିଳିବା ଉଚିତ ବୋଲି ଉପସ୍ଥିତ ବକ୍ତାମାନେ ମତ ପୋଷଣ କରିଥିଲେ । ସାନ୍ତାଳ ଭାଇ ଭଉଣୀ, ସାଙ୍ଗ ସାଥୀ, ବନ୍ଧୁ ସହୋଦର ଏବଂ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ କାର୍ଯ୍ୟକ୍ରମକୁ ସରସ ସୁନ୍ଦର କରିବା ନିମନ୍ତେ ସମସ୍ତ ଦିଗରୁ ଉଦ୍ୟମ ଜାରି ରଖିଥିଲେ । ତେବେ ସାନ୍ତାଳ ଭାଷାର ପ୍ରଚାର ଓ ପ୍ରସାର ଏବଂ ଉନ୍ନତି ନିମନ୍ତେ ବହୁ ପଦକ୍ଷେପ ନେବାକୁ ବକ୍ତାମାନେ ପରାମର୍ଶ ଦେବା ସହ ଆଜିର ଦିନରେ ସାନ୍ତାଳ ଜାତିର ଜନସାଧାରଣ ନିଜର ନିଷ୍ଠା, କର୍ତ୍ତବ୍ୟପରାୟଣତା ଓ ସଚ୍ଚେଟତା ପାଇଁ ବହୁତ ଆଗକୁ ବଢ଼ିପାରିଛନ୍ତି । ସେହି ସ୍ୱାଭିମାନୀ ସାନ୍ତାଳଙ୍କ ମଧ୍ୟରେ ଏହି ଜାତିର ଝିଅ ଆଜି ଭାରତର ମହାମହିମ ରାଷ୍ଟ୍ରପତି ହୋଇ ପାରିଛନ୍ତି, ଏହା ତାଙ୍କ ଜାତିର ଗୌରବ ବୋଲି ବକ୍ତାମାନେ କହିଥିଲେ । ତେଣୁ ଅନ୍ୟାନ୍ୟ ଭାଷାର ଲିପି ଯେପରି ଭାରତୀୟ ମୁଦ୍ରାରେ ରହିଛି, ସେହିପରି ସାନ୍ତାଳ ଭାଷାର ଲିପି ମଧ୍ୟ ରହିବା ପାଇଁ ସଂଘ ପକ୍ଷରୁ ଦାବି କରାଯାଇଥିଲା । ପୁନଶ୍ଚ ଏଥିପାଇଁ ସେମାନେ ଆଗାମୀ ଦିନରେ ଚେଷ୍ଟା ପ୍ରଚେଷ୍ଟା ସହିତ ଆନ୍ଦୋଳନ କରିବେ ବୋଲି ସୂଚନା ଉତ୍ସବରେ ଘୋଷଣା କରାଯାଇଛି । ଏଥି ସହିତ ସମସ୍ତ ସାନ୍ତାଳୀମାନେ ଏକତ୍ରିତ ହୋଇ ନିଜ ଜାତିର ଟେକ ରଖିବା ଦିଗରେ ଗୁରୁତ୍ୱ ଦେବାକୁ ବକ୍ତାମାନେ ପରାମର୍ଶ ଦେଇଥିଲେ । ଏହି ଅବସରରେ ବେଶ ଚିତ୍ତାକର୍ଷକ ସଂଗୀତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

