ନେତାଙ୍କୁ ଆକୃଷ୍ଟ କରୁଛି ମୋଦୀ କ୍ରେଜ: ପଦ୍ମ ଧରିଲେ ପ୍ରେମାନନ୍ଦ ନାୟକ, ରାଜୁ ଦାସ ଓ ନରେନ ପଲେଇ


#ଭୁବନେଶ୍ୱର(ଏନ୍‌.ଏମ୍‌.): ଦେଶରେ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କ୍ରେଜ ଚାଲିଛି । ମୋଦୀଙ୍କ କାର୍ଯ୍ୟକଳାପରେ ଅନୁପ୍ରାଣିତ ହୋଇ ବହୁ ରାଜନେତା ନିଜ ନିଜ ଦଳ ଛାଡ଼ି ଏବେ ବିଜେପିରେ ସାମିଲ ହେବାରେ ଲାଗିଛନ୍ତି । ତେବେ ଇତି ମଧ୍ୟରେ ରାଜ୍ୟ ବିଜେପି ମଧ୍ୟ ଆମଦାନୀ ନେତାକୁ ଧରି ସଂଗଠନକୁ ସୃଦୃଢ଼ କରିବାରେ ଲାଗିଛି । ଅନ୍ୟପକ୍ଷରେ ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସ ଓ ବିଜେଡି ଶିବିରରୁ ବହୁ କର୍ମୀ ଏବେ ବିଜେପି ମୁହାଁ ହେବା ସହ ପଦ୍ମ ଧରିଥିବା ଦେଖିବାକୁ ମିଳିଛି । ଏପରିକି କଂଗ୍ରେସ ଓ ବିଜେଡିର ଅନେକ ହେଭିୱେଟ୍ ନେତାମାନେ ବିଜେପିରେ ଯୋଗ ଦେଉଛନ୍ତି । ଯାହା କଂଗ୍ରେସ ଓ ବିଜେଡି ପାଇଁ ଚିନ୍ତାର କାରଣ ପାଲଟିଛି ।
ଆଜି ବିଜେପିରେ ସାମିଲ ହୋଇଛନ୍ତି ପୂର୍ବତନ ମନ୍ତ୍ରୀ ତଥା ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକ, ଭଦ୍ରକ ଧାମନଗରର ପୂର୍ବତନ ବିଧାୟକ ରାଜୁ ଦାସ ଓ ଭଦ୍ରକର ପୂର୍ବତନ ବିଧାୟକ ନରେନ ପଲେଇ । ନିଜର ସମର୍ଥକଙ୍କ ସହ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ସମସ୍ତେ ଦଳରେ ସାମିଲ ହୋଇଛନ୍ତି । ଏହି ମିଶ୍ରଣ ପର୍ବରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ବରିଷ୍ଠ ବିଜେପି ନେତା ସମୀର ମହାନ୍ତି ଓ ଧାମନଗର ବିଧାୟକ ସୁରଜ ସୂର୍ଯ୍ୟବଂଶୀ ଓ ବିଜେପି ନେତାମାନେ ଉପସ୍ଥିତି ଥିଲେ । ସାଧାରଣ ନିର୍ବାଚନ ପୂର୍ବରୁ ବିଜେପିରେ ଏହି ନେତାମାନଙ୍କ ସାମିଲ ହେବା ଦ୍ୱାରା ଦଳର ସଂଗଠନ ସେସବୁ ଅଂଚଳରେ ଅଧିକ ସୁଦୃଢ଼ ହେବ ବୋଲି ଚର୍ଚ୍ଚା ହେଉଛି । ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକ ନିକଟରେ ବିଜେଡିରୁ ଇସ୍ତଫା ଦେଇଥିଲେ । ଦଳରେ ଅଣଦେଖା କରାଯାଉଥିବା ଅଭିଯୋଗ ଆଣି ପ୍ରେମାନନ୍ଦ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ । ଏବେ ସେ ତେଲକୋଇର ବିଧାୟକ ଅଛନ୍ତି । ସେହିପରି ଭଦ୍ରକ ଧାମନଗରର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ଓରଫ୍ ରାଜୁ ଦାସ ପଦ୍ମ ଧରିଛନ୍ତି । ଧାମନଗର ଉପନିର୍ବାଚନ ବେଳେ ବେଶ୍ ଚର୍ଚ୍ଚାରେ ଥିଲେ ରାଜେନ୍ଦ୍ର ଦାସ । ଉପନିର୍ବାଚନ ବେଳେ ରାଜୁ ବିଜେଡି ଟିକେଟ୍ ପାଇଁ ଆଶାୟୀ ଥିଲେ । ତେବେ ବିଜେଡି ପ୍ରାର୍ଥୀ ନକରିବାରୁ ଶେଷରେ ବିଦ୍ରୋହୀ ସାଜିଥିଲେ । ଏପରିକି ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିଥିଲେ ଓ ପରାଜିତ ହୋଇଥିଲେ । କଂଗ୍ରେସ ଛାଡ଼ିବା ପରେ ଆଜି ବିଜେପିରେ ମିଶିଛନ୍ତି ଭଦ୍ରକର ପୂର୍ବତନ ବିଧାୟକ ନରେନ ପଲେଇ । ବ୍ୟକ୍ତିଗତ କାରଣ ଦର୍ଶାଇ ଗତକାଲି କଂଗ୍ରେସର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଥିଲେ । ନରେନ ପଲେଇ ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ଭଦ୍ରକ ବିଧାୟକ ଥିଲେ । ଗତ ନିର୍ବାଚନରେ କଂଗ୍ରେସ ଟିକେଟ ପାଇଁ ଆଶାୟୀ ଥିଲେ ନରେନ । ତେବେ ଶେଷ ମୁହୂର୍ତ୍ତରେ ସେଥିରୁ ବଞ୍ଚିତ ହୋଇଥିଲେ । ସେବେଠୁ କଂଗ୍ରେସରେ ଥାଇ ମଧ୍ୟ ସକ୍ରିୟ ରାଜନୀତି ଠାରୁ ଦୂରରେ ଥିଲେ ନରେନ । ତେବେ ଚଳିତ ନିର୍ବାଚନରେ ପୁଣି ଥରେ ସେ ନିର୍ବାଚନ ଲଢ଼ିବାକୁ ଆଶା ରଖିଥିବା, ତାଙ୍କ ସମର୍ଥକ ମହଲରେ ଜୋରଦାର ଚର୍ଚ୍ଚା ହେଉଛି ।

Leave a Reply

Your email address will not be published. Required fields are marked *