ନୀରବ ମୁଦ୍ରାରେ ଦେବାଶିଷ

କଟକ (ଏନ୍‌.ଏମ୍‌.): ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟଙ୍କ ଅସ୍ୱାଭାବିକ ନୀରବତା ବର୍ତ୍ତମାନ ରାଜ୍ୟ ରାଜନୀତିରେ, ବିଶେଷକରି ବିଜେଡି ମହଲରେ, ତୀବ୍ର ଆଲୋଚନାର ବିଷୟ ପାଲଟିଛି। ବାରବାଟୀ-କଟକ ନିର୍ବାଚନ ମଣ୍ଡଳୀରୁ ଦୁଇ ଦୁଇଥର ବିଧାୟକ ଏବଂ ଦଳର ଜିଲ୍ଲା ସଭାପତି ଭାବେ କାର୍ଯ୍ୟ କରିଥିବା ସାମନ୍ତରାୟ କଟକ ଦୁର୍ଗାପୂଜା ଭସାଣି ସମୟରେ ଉପୁଜିଥିବା ଗଣ୍ଡଗୋଳ ଘଟଣାକୁ ନେଇ ସମ୍ପୂର୍ଣ୍ଣ ନୀରବ ରହିବା ରାଜନୈତିକ ବିଶ୍ଳେଷକମାନଙ୍କୁ ଚକିତ କରିଛି। ପୂର୍ବରୁ, ଦେବାଶିଷ ସାମନ୍ତରାୟ ରାଜ୍ୟ ରାଜନୀତିରେ ନିଜର ନିର୍ଭୀକ ଓ ରୋକଠୋକ୍ ମନ୍ତବ୍ୟ ପାଇଁ ପରିଚିତ। ଏହି ପୃଷ୍ଠଭୂମିରେ ତାଙ୍କର ବର୍ତ୍ତମାନର ନୀରବତା ବିଶେଷ ଗୁରୁତ୍ୱ ବହନ କରେ। ଅତୀତରେ, ସେ ସିଏନବିଟି ପ୍ରତିଷ୍ଠା ସମୟରେ ତତ୍କାଳୀନ ବିଜେଡି ସାଂସଦ ଭର୍ତ୍ତୃହରି ମହତାବଙ୍କୁ ସିଧାସଳଖ ବିରୋଧ କରି ମନ୍ତବ୍ୟ ଦେଇଥିଲେ। ସେହିପରି, ଦଳୀୟ ଅନ୍ତର୍ଦ୍ୱନ୍ଦ୍ୱ ମଧ୍ୟରେ ସିଏମସି ମେୟର ସୁବାସ ସିଂହଙ୍କ ବିରୁଦ୍ଧରେ ମଧ୍ୟ ସ୍ୱର ଉତ୍ତୋଳନ କରିଥିଲେ। ନିକଟରେ, ଶ୍ରୀମୟୀ ମିଶ୍ର ଓ ପ୍ରଫୁଲ୍ଲ ମଲ୍ଲିକଙ୍କୁ ଦଳ ଦ୍ୱାରା କୋଣଠେସା କରାଯାଇଥିବାବେଳେ, ସାମନ୍ତରାୟ ଦୃଢ଼ତାର ସହ ଦଳର ଏହି ନିଷ୍ପତ୍ତିକୁ ନିନ୍ଦା କରିଥିଲେ। କେବଳ ଏତିକି ନୁହେଁ, ରାଜ୍ୟସଭାରେ ୱାକଫବୋର୍ଡ ବିଲ୍ ଆଲୋଚନା ସମୟରେ ସେ ପାର୍ଲାମେଣ୍ଟ ପରିତ୍ୟାଗ କରି ଦଳର ଦୋମୁହାଁ ନୀତିକୁ ସମାଲୋଚନା କରିଥିଲେ। ସାଧାରଣତଃ, ନିଜ ରାଜନୈତିକ ଭବିଷ୍ୟତ ପ୍ରତି ବିଶେଷ ଚିନ୍ତିତ ନହୋଇ ଦୃଢ଼ ମନ୍ତବ୍ୟ ଦେଉଥିବା ଦେବାଶିଷ, ଏହି ଦ୍ୱନ୍ଦ୍ୱପୂର୍ଣ୍ଣ ପରିସ୍ଥିତିରେ କଟକରେ ଉପସ୍ଥିତ ଥାଇ ମଧ୍ୟ ସମ୍ପୂର୍ଣ୍ଣ ନୀରବ ରହିଛନ୍ତି। ଉଲ୍ଲେଖନୀୟ ଯେ, ସେ ରାଜାବଗିଚା ସ୍ଥିତ ନିଜ ବାସଭବନରେ ଅବସ୍ଥାନ କରୁଛନ୍ତି ଏବଂ ସାମନ୍ତ ସାହିରେ ଅନୁଷ୍ଠିତ କୁମାରୋତ୍ସବରେ ମଧ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ମାତ୍ର, ଦୁର୍ଗାପୂଜା ଭସାଣି ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ କଟକ ସହରରେ ଏକ ପ୍ରକାର ଚାପା ଉତ୍ତେଜନା ପରିଲକ୍ଷିତ ହେଉଥିବା ସତ୍ତ୍ୱେ, ସାମନ୍ତରାୟ କୌଣସି ପ୍ରକାର ଭୂମିକା ଗ୍ରହଣ କରିନାହାନ୍ତି। ସେ କୌଣସି ଗୋଷ୍ଠୀ, ସାହି ମୁରବୀ, ପୂଜା କମିଟି ସଦସ୍ୟ, ପୋଲିସ କିମ୍ବା ଜିଲ୍ଲା ପ୍ରଶାସନକୁ କୌଣସି ଦିଗ୍‌ଦର୍ଶନ ଦେଇ ନାହାନ୍ତି। ଶାନ୍ତି ବଜାୟ ରଖିବା କ୍ଷେତ୍ରରେ ତାଙ୍କର ସକ୍ରିୟ ଭୂମିକାକୁ କଟକ ସହରବାସୀ ଅପେକ୍ଷା କରିଥିଲେ, କିନ୍ତୁ ସେଭଳି କିଛି ପରିଲକ୍ଷିତ ହେଲା ନାହିଁ। ଏଭଳି ପରିପ୍ରେକ୍ଷୀରେ, ଦେବାଶିଷ ସାମନ୍ତରାୟ ହଠାତ୍ କାହିଁକି ଏହିପରି ନୀରବ ମୁଦ୍ରା ଅବଲମ୍ବନ କରିଛନ୍ତି, ତାହା ବର୍ତ୍ତମାନ ରାଜନୈତିକ ମହଲରେ ଏକ ପ୍ରମୁଖ ଚର୍ଚ୍ଚାର ବିଷୟ ପାଲଟିଛି। ତାଙ୍କର ଏହି ଅସ୍ୱାଭାବିକ ନୀରବତା ପଛରେ ଥିବା ପ୍ରକୃତ କାରଣକୁ ନେଇ ବିଭିନ୍ନ କଳ୍ପନାଜଳ୍ପନା ପ୍ରକାଶ ପାଉଛି।

Leave a Reply

Your email address will not be published. Required fields are marked *