ନବନିଯୁକ୍ତ ଆଇପିଓମାନଙ୍କୁ ଦିଶାନିର୍ଦ୍ଦେଶ ତାଲିମ

ନବନିଯୁକ୍ତ ଆଇପିଓମାନଙ୍କୁ ଦିଶାନିର୍ଦ୍ଦେଶ ତାଲିମ
‘ନମ୍ରତାର ସହ ଲୋକଙ୍କ ପାଇଁ କାମ କର’: ଶିଳ୍ପ ମନ୍ତ୍ରୀ


ଭୁବନେଶ୍ୱର(ଏନ୍‌.ଏମ୍‌.): ଗୋପବନ୍ଧୁ ପ୍ରଶାସନିକ ଏକାଡେମୀ ଠାରେ ନୂତନ ଭାବେ କାର୍ଯ୍ୟରେ ଯୋଗଦେଇଥିବା ୪୭ ଜଣ ଶିଳ୍ପ ବିକାଶ ଅଧିକାରୀ (ଆଇପିଓ)ମାନଙ୍କ ନିମନ୍ତେ ଦିଶାନିର୍ଦ୍ଦେଶ ତାଲିମ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ୫ ଦିନ ଧରି ଚାଲିବାକୁ ଥିବା ଏହି ତାଲିମର ପ୍ରଥମ ଦିନର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଶିଳ୍ପ, ଶକ୍ତି, ଏମ୍‌ଏସ୍‌ଏମ୍‌ଇ, ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍‌ଟେନ୍ ଦିବ୍ୟଶଙ୍କର ମିଶ୍ର ନବନିଯୁକ୍ତ ଅଧିକାରୀମାନଙ୍କୁ ନମ୍ରତାର ସହ ଲୋକଙ୍କ ପାଇଁ କାର୍ଯ୍ୟ କରିବାକୁ କହିଥିଲେ । ଲୋକଙ୍କୁ କର୍ମନିଯୁକ୍ତି ଯୋଗାଇବା ସହ ରାଜ୍ୟର ଅର୍ଥନୀତିକୁ ସୁଦୃଢ଼ କରିବାରେ ଏମ୍‌ଏସ୍‌ଏମ୍‌ଇର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା ହେତୁ ତୃଣମୂଳସ୍ତରରେ ଆପଣମାନେ ଏହି ବିଭାଗର କାର୍ଯ୍ୟଧାରାକୁ ଆହୁରି ଅଧିକ ଗତିଶୀଳ କରିବାରେ ସହାୟକ ହୋଇପାରିବେ ବୋଲି ସେ କହିଥିଲେ । ଏହି କାର୍ଯ୍ୟକ୍ରମରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ ମୁଖ୍ୟମନ୍ତ୍ରୀ ଓଡ଼ିଶାକୁ ପ୍ରତିଟି କ୍ଷେତ୍ରରେ ଆଗୁଆ କରି ୧ନମ୍ବର ସ୍ଥାନରେ ରଖିବାକୁ ଚାହୁଁଥିବାରୁ ନିଜ କର୍ମକ୍ଷେତ୍ରରେ କର୍ମତତ୍ପରତା ପ୍ରଦର୍ଶନ କରିବାକୁ ହେବ ବୋଲି ସେ କହିଥିଲେ । ବିଶେଷ ଭାବେ ସରକାରଙ୍କ ୫-‘ଟି’ ଓ ‘ମୋ ସରକାର’ର ତାତ୍ପର୍ଯ୍ୟକୁ ଏହି ତାଲିମ ମାଧ୍ୟମରେ ହୃଦୟଙ୍ଗମ କରି ନିଜର କର୍ତ୍ତବ୍ୟ ସଂପାଦନ କଲେ ନିଶ୍ଚିତ ସଫଳତା ମିଳିବ ବୋଲି ସେ ଦର୍ଶାଇଥିଲେ । ପାଞ୍ଚଦିନିଆ ତାଲିମରେ ଏହି ଅଧିକାରୀମାନଙ୍କୁ ଜିଲ୍ଲା ଶିଳ୍ପ କେନ୍ଦ୍ର, ଆଞ୍ଚଳିକ ଶିଳ୍ପ କେନ୍ଦ୍ର, ଗୁଡ଼୍ ଗର୍ଭର୍ଣ୍ଣାନ୍ସ, ଇ-ଗଭର୍ଣ୍ଣାନ୍ସ, ସର୍ଭିସ୍ କୋଡ୍‌, ପ୍ରଶାସନିକ ନୈତିକତା, ଜିଲ୍ଲା ଶିଳ୍ପ ପ୍ରୋତ୍ସାହନ ସଂସ୍ଥା (ଦୀପା), ରପ୍ତାନୀ ପ୍ରୋତ୍ସାହନ ସମେତ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ସ୍କିମ୍ ସମ୍ବନ୍ଧରେ ଅବଗତ କରାଯିବ । ଅବସରପ୍ରାପ୍ତ ବରିଷ୍ଠ ପ୍ରଶାସନିକ ଅଧିକାରୀ, ଅଭିଜ୍ଞ ଶିଳ୍ପ ଅଧିକାରୀ ତଥା ସରକାରଙ୍କ ବରିଷ୍ଠ ଅଧିକାରୀଗଣ ତାଲିମ ପ୍ରଦାନ କରିବେ । ଉଦ୍‌ଯାପନୀ ଦିବସ ଡିସେମ୍ବର ୧୮ ତାରିଖରେ ମୁଖ୍ୟମନ୍ତ୍ରୀ ଏହି ନବନିଯୁକ୍ତ ଅଧିକାରୀମାନଙ୍କୁ ମାର୍ଗଦର୍ଶନ ଦେବାର କାର୍ଯ୍ୟକ୍ରମ ରହିଛି । ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମକୁ ଶିଳ୍ପ ନିର୍ଦ୍ଦେଶକ ମହମ୍ମଦ ସାଦ୍ଦିକ୍ ଆଲାମ୍ ସଂଚାଳନ କରିଥିବାବେଳେ ଅତିରିକ୍ତ ଶାସନ ସଚିବ ଉଦୟ ନାରାୟଣ ଦାସ, ଅତିରିକ୍ତ ଶିଳ୍ପ ନିର୍ଦ୍ଦେଶକ ଏସ୍‌.କେ. ହୋତା, ଏକାଡେମୀର ଯୁଗ୍ମ କମିଶନର ତଥା ପାଠ୍ୟକ୍ରମ ନିର୍ଦ୍ଦେଶକ ଡକ୍ଟର ପ୍ରଦୀପ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *