‘ଦେହ ଦପ୍ତର’ ଲୋକାର୍ପଣ ସମାରୋହ: ‘ସାହିତ୍ୟରେ ସାଧାରଣ ଲୋକଙ୍କ କଥା ରହିବା ଆବଶ୍ୟକ’

‘ଦେହ ଦପ୍ତର’ ଲୋକାର୍ପଣ ସମାରୋହ: ‘ସାହିତ୍ୟରେ ସାଧାରଣ ଲୋକଙ୍କ କଥା ରହିବା ଆବଶ୍ୟକ’

Photo By I&PR Odisha

ଭୁବନେଶ୍ୱର(ଏନ୍‌.ଏମ୍‌.): ସାହିତ୍ୟରେ ସାଧାରଣ ଲୋକଙ୍କ କଥା ପ୍ରତିଫଳିତ ହେବା ଆବଶ୍ୟକ । ସମକାଳୀନ କବିତାରେ ସମାଜମନସ୍କତା ଅଧିକ ଭାବରେ ପରିସ୍ପୁଟିତ ହେଉଛି ଏବଂ ଏହା ସାହିତ୍ୟକୁ ଅଧିକ ଲୋକାଭିମୁଖୀ କରିପାରୁଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ତଥା ସୂଚନା ଓ ଲୋକସମ୍ପର୍କ ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ମତ ଦେଇଛନ୍ତି । ସ୍ଥାନୀୟ ବୁଦ୍ଧମନ୍ଦିର ପରିସରରେ ପୂର୍ବତନ ପ୍ରଶାସକ ତଥା କବି ମହେନ୍ଦ୍ର କୁମାର ମଲ୍ଲିକଙ୍କ କବିତା ପୁସ୍ତକ ‘ଦେହ ଦପ୍ତର’ର ଲୋକାର୍ପଣ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ସେଠୀ ନିଜର କାବ୍ୟିକ ଜୀବନର ଅଭିଜ୍ଞତା ଆଧାରରେ ମତ ଦେଇ କହିଥିଲେ ଯେ ସାମ୍ପ୍ରତିକ କବିତାରେ ସମାଜର ଏବଂ ମଣିଷର ବିବିଧ ସମସ୍ୟା ଓ ସଂକଟର ଚିତ୍ର ମିଳୁଛି । ବିଶିଷ୍ଟ କଥାକାର ଦାଶ ବେନ୍‌ହୂର ମୁଖ୍ୟବକ୍ତା ଭାବରେ ଯୋଗଦେଇ କହିଥିଲେ ଯେ, ସାହିତ୍ୟ ହେଉଛି ବ୍ୟକ୍ତି ଏବଂ ସମାଜ ମଧ୍ୟରେ ସଂଯୋଗର ସେତୁ । ବିଶିଷ୍ଟ ଆଲୋଚକ ଡକ୍ଟର ବେଣୁଧର ପାଢ଼ୀ ପୁସ୍ତକଟିର ସମୀକ୍ଷା କରି ବିଭିନ୍ନ ଦିଗରୁ ସଫଳ କବିତାଗୁଡ଼ିକର ପ୍ରଶଂସା କରିଥିବାବେଳେ ପୁସ୍ତକର ରଚୟିତା ଶ୍ରୀ ମଲ୍ଲିକ ତାଙ୍କ ବକ୍ତବ୍ୟରେ ଅଭିଜ୍ଞତା-ଉପଲବ୍ଧି କବିତାରେ ଚିତ୍ରିତ ହୋଇଥାଏ ବୋଲି କହିଥିଲେ । କବି ପ୍ରବୀର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ‘ଝୁମୁକା’ର ସଂପାଦକ ମାନସ ରଞ୍ଜନ ସାମଲ ସ୍ୱାଗତ ଭାଷଣ ଦେଇଥିବାବେଳେ ‘ତୀରତରଙ୍ଗ’ ପତ୍ରିକାର ସଂପାଦିକା ବନ୍ଦନା ମିଶ୍ର ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ବହୁ କବି, ସାହିତ୍ୟିକ, ବୁଦ୍ଧିଜୀବୀ ଓ ସାହିତ୍ୟପ୍ରେମୀ ଉପସ୍ଥିତ ଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *