ଦରଦାମ ବୃଦ୍ଧି ଓ ଆଦିବାସୀଙ୍କୁ ନିର୍ଯ୍ୟାତନା ବିରୋଧରେ ସିପିଆଇ(ଏମ୍‍)ର ବିକ୍ଷୋଭ

ଦରଦାମ ବୃଦ୍ଧି ଓ ଆଦିବାସୀଙ୍କୁ ନିର୍ଯ୍ୟାତନା ବିରୋଧରେ ସିପିଆଇ(ଏମ୍‍)ର ବିକ୍ଷୋଭ

News by Smruti Ranjan Tripathy (Choudwar)

#ଟାଙ୍ଗୀ-ଚୌଦ୍ୱାର(ଏନ୍‍.ଏମ୍‍.): ସିପିଆଇ(ଏମ୍‍) ଓ ଆଦିବାସୀ ଅଧିକାର ମଞ୍ଚ ପକ୍ଷରୁ ଅତ୍ୟାବଶ୍ୟକ ଦ୍ରବ୍ୟ ସମେତ ପନିପରିବାର ‘ମଣିଷ ମରା ଦରବୃଦ୍ଧି’କୁ ପ୍ରତିବାଦ ଏବଂ ଆଦିବାସୀଙ୍କୁ ନିର୍ଯ୍ୟାତନା ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । କଟକ ଜିଲ୍ଲା ଟାଙ୍ଗୀ-ଚୌଦ୍ୱାର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଛି ।
ଅଭିଯୋଗ ଅନୁଯାୟୀ ମଧ୍ୟପ୍ରଦେଶରେ ଜଣେ ଆଦିବାସୀ ଯୁବକଙ୍କ ଉପରେ ବିଜେପି ନେତା ପରିସ୍ରା କରିବା ଘଟଣା ଏବଂ ମଧ୍ୟପ୍ରଦେଶରେ ଆଦିବାସୀ ହଷ୍ଟେଲ ଭିତରେ ବିଜେପି ସରକାରର ଜଣେ ଉପଜିଲ୍ଲାପାଳ ବେଆଇନ ଭାବରେ ପ୍ରବେଶ କରି ଛାତ୍ରୀନିବାସ ଭିତରେ ଏକାଧିକ ଛାତ୍ରୀଙ୍କୁ ର୍ଦୁବ୍ୟବହାର କରିବା ଦୁର୍ଭାଗ୍ୟଜନକ ବୋଲି ବିକ୍ଷୋଭକାରୀମାନେ ପ୍ରକାଶ କରିବା ସହ ଏହା ବିଜେପି ସରକାରଙ୍କ ହିଟଲରୀ ଶାସନ ବୋଲି ପ୍ରକାଶ କରିଥିଲେ । ଏଥି ସହିତ ମଣିପୁରରେ ତୁରନ୍ତ ଶାନ୍ତି ଫେରାଇ ଆଣିବା ଦାବିରେ ଏହି ବିକ୍ଷୋଭ କରାଯିବା ସହ ଟାଙ୍ଗୀ-ଚୌଦ୍ୱାର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ବ ପ୍ରଦାନ କରାଯାଇଛି । ସମ୍ପ୍ରତି ଦେଶରେ ଉତ୍ପାଦନବେଳେ ସର୍ବନିମ୍ନ ସହାୟକ ମୂଲ୍ୟ ମିଳୁ ନଥିବାରୁ ଟମାଟୋ ଚାଷୀମାନେ ଟମାଟୋ କିଆରୀରେ ଟ୍ରାକ୍ଟର ଚଳାଇଦେଉଥିବାବେଳେ ଅଗ୍ରୀମ ବାଣିଜ୍ୟ ଜରିଆରେ ଅସାଧୁ ବ୍ୟବସାୟୀମାନେ ଟମାଟୋକୁ ଘରୋଇ ଶୀତଳ ଭଣ୍ଡାରମାନଙ୍କ ଠାରେ ରଖି ଖାଉଟୀଙ୍କୁ ଶୋଷଣ କରିବାରେ ଲାଗିଛନ୍ତି । ଲୋକଙ୍କ ଖାଦ୍ୟରୁ ଟମାଟୋ, ବାଇଗଣ, କଞ୍ଚାଲଙ୍କା, ଅଦା, ରସୁଣ ଇତ୍ୟାଦି ଉଭାନ ହୋଇଗଲାଣି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଏଭଳି ଚାଷୀ ବିରୋଧୀ ନୀତି, ଚାଷୀ ଏବଂ ଖାଉଟୀ ଉଭୟଙ୍କୁ ଶୋଷଣ କରୁଛି ବୋଲି ସିପିଆଇ(ଏମ୍‍) ପକ୍ଷରୁ ଅଭିଯୋଗ କରାଯାଇଛି । ଏହାର ପ୍ରତିକାର ପାଇଁ ଆଳୁ, ପିଆଜ, ଅଦା, ରସୁଣ ଇତ୍ୟାଦି ରାଜ୍ୟ ସରକାର କଣ୍ଟ୍ରୋଲ ଦୋକାନ ମାଧ୍ୟମରେ ରିହାତି ଦରରେ ଯୋଗାଇ ଦେବାକୁ ବିକ୍ଷୋଭକାରୀମାନେ ଦାବି କରିଛନ୍ତି ।
ପୁନଶ୍ଚ ମଣିପୁରରେ ତୁରନ୍ତ ଶାନ୍ତି ଫେରାଇ ଆଣିବା ପାଇଁ ଆଜି ପର୍ଯ୍ୟନ୍ତ ବିଜେପିର କେନ୍ଦ୍ର ସରକାର ଓ ବିଜେପି ପରିଚାଳିତ ରାଜ୍ୟ ସରକାର କୌଣସି ଠୋସ୍‍ ପଦକ୍ଷେପ ନେଇନାହାଁନ୍ତି । ଏପରିକି ପ୍ରଧାନମନ୍ତ୍ରୀ ଦିନେ ହେଲେ ବି ମଣିପୁରବାସୀଙ୍କ ଅବସ୍ଥା ଦେଖିବାକୁ ମଣିପୁର ନଯିବା ଘଟଣାକୁ ବିକ୍ଷୋଭକାରୀମାନଙ୍କ ପକ୍ଷରୁ ନିନ୍ଦା କରାଯାଇଛି । ସିପିଆଇ(ଏମ୍‍) ରାଜ୍ୟ ସମ୍ପାଦକ ମଣ୍ଡଳୀ ସଭ୍ୟା ପୁଷ୍ପା ଦାସ, ଆଦିବାସୀ ଅଧିକାର ମଞ୍ଚର ନେତା ଚାମ୍ବୁରୁ ସୋରେନ୍‍, କୃଷକ ନେତା ଡମ୍ବୁରୁଧର ସାହୁ, ରମେଶ ବେହେରା, ସିପିଆଇ(ଏମ୍‍) ନେତା ବିଷ୍ଣୁ ବେହେରା ପ୍ରମୁଖ ବକ୍ତବ୍ୟ ରଖି ମୋଦି ସରକାରଙ୍କର ୧୦୦ ଦିନରେ ଦରଦାମ ନିୟନ୍ତ୍ରଣର ପ୍ରତିଶ୍ରୁତି ଓ କୃଷକମାନଙ୍କ ଆୟକୁ ୨ଗୁଣ କରିବା ପ୍ରତିଶ୍ରୁତି କୁଆଡେ ଗଲା ବୋଲି ପ୍ରଶ୍ନ କରିବା ସହିତ ବିଜେପିର ସାମ୍ପ୍ରଦାୟିକ ରାଜନୀତିକୁ ଦେଶବାସୀ ପରାସ୍ତ କରି ଦେଶର ସମ୍ବିଧାନ ଧର୍ମନିରପେକ୍ଷତା ଓ ପାର୍ଲାମେଣ୍ଟାରୀ ଗଣତନ୍ତ୍ର ବ୍ୟବସ୍ଥାକୁ ସୁରକ୍ଷା କରିବା ପାଇଁ ଆହ୍ୱାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶ୍ରମିକ ନେତା ରଶ୍ମିରଞ୍ଜନ ତ୍ରିପାଠୀ, ପିତାମ୍ବର ଲେଙ୍କା, ଆଦିବାସୀ ନେତା ଚନ୍ଦ୍ରମୋହନ ମାଝି, ଗଙ୍ଗା ତିରିଆ, ମୁକୁନ୍ଦ କୁଇଁକେଲ, ଜୟନ୍ତୀ ଗାଗରେଇ, ଭଟ୍ଟିମୁଣ୍ଡାର ସିପିଆଇ(ଏମ୍‍) ମହେନ୍ଦ୍ର ବେହେରା, ମଳୟ ପୃଷ୍ଠି ଓ ଦଳିତ ନେତା ସୀମା ମଲ୍ଲିକ ପ୍ରମୁଖ ଆନ୍ଦୋଳନର ନେତୃତ୍ୱ ନେଇଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *