ତିଗିରିଆ ରାଜପରିବାରର କୋଟି କୋଟି ଟଙ୍କାର ସମ୍ପତ୍ତି ହଡପ ଅଭିଯୋଗ

ତିଗିରିଆ ରାଜପରିବାରର କୋଟି କୋଟି ଟଙ୍କାର ସମ୍ପତ୍ତି ହଡପ ଅଭିଯୋଗ

News by Maheswar Behera (Athagarh)

#ଆଠଗଡ(ଏନ୍‌.ଏମ୍‌.): ତିଗିରିଆ ରାଜପରିବାରର ଚଞ୍ଚକତା କରାଯାଇ କୋଟି କୋଟି ଟଙ୍କାର ସମ୍ପତ୍ତି ହଡପ ନେଇ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ରାଣୀଙ୍କ ଉତ୍ତରାଧିକାରୀ ତଥା ପଟ୍ଟାୟତ ବିକ୍ରମ ପ୍ରତାପ ସିଂଦେଓ । ରାଜ ପରିବାରର କୋଟି କୋଟି ଟଙ୍କାର ସମ୍ପତ୍ତି ବିଗତ ଦିନମାନଙ୍କରେ ବିକ୍ରୀ ହୋଇ ଯାଇଛି । ପୂର୍ବତନ ରାଜା ସାହେବଙ୍କର ଅସହାୟତା, ଦୁର୍ବଳତା ତଥା ସରଳତାର ସୁଯୋଗ ନେଇ ଗତ ୧୯୯୯ଫେବୃୟାରୀ ମାସ ୨୨ତାରିଖ ଦିନ ଏକ କ୍ଷମତାପତ୍ର ଚଞ୍ଚକତା କରି ତିଗିରିଆର ଜଣେ ବ୍ୟକ୍ତି ନିଜ ନାମରେ କରାଇ ନେଇଛନ୍ତି । ଏହି କ୍ଷମତାପତ୍ର ବଳରେ ରାଜ ପରିବାରର ସମସ୍ତ ସମ୍ପତ୍ତି ବିକ୍ରି କରି ଆତ୍ମସାତ କରାଯାଇଛି । ସେହିପରି ବିକ୍ରମ ପ୍ରତାପଙ୍କ ଭଉଣୀ ସବିତା ଦେବୀଙ୍କ ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ମୌଜାରେ ଥିବା ୫୨ଏକର ଜାଗାକୁ ଚଞ୍ଚକତା କରି ମାତ୍ର ୧୪ ଲକ୍ଷ ୪୭ ହଜାର ଟଙ୍କାରେ ସମ୍ପୃକ୍ତ ବ୍ୟକ୍ତିଜଣଙ୍କ ନିଜ ନାମରେ କରାଇ ନେଇଛନ୍ତି । ସବିତା ଦେବୀ ବିବାହିତା ହୋଇ ଥିଲାବେଳେ ମଧ୍ୟ ତାଙ୍କୁ ଅବିବାହିତ ବୋଲି ଦର୍ଶାଇ ଆମର ମାତାରାଣୀ ରାସମଞ୍ଜରୀ ଦେବୀଙ୍କୁ ତାଙ୍କର ଉତ୍ତରାଧିକାରୀ ଭାବରେ ପ୍ରମାଣ କରାଇ ରାଣୀ ରାସମଞ୍ଜରୀ ଦେବୀଙ୍କ ସ୍ୱାକ୍ଷରରେ ଉପରୋକ୍ତ ଜାଗାକୁ ନିଜ ନାମରେ କବଲା କରାଇ ନିଆଯାଇଛି । ଗତ ଅକ୍ଟୋବର ମାସରେ ଆମ୍ଭର ମାତା ରାସମଞ୍ଜରୀ ଦେବୀଙ୍କ ଅସୁସ୍ଥତା ସମୟରେ ଆମ୍ଭର ମାତାଙ୍କର ପୈତୃକ ସମ୍ପତ୍ତିରୁ ପାଇଥିବା ଭାଗ ସୋନପୁରରେ ଅବସ୍ଥିତ ଏକ ବିଶାଳ କୋଠାକୁ ହଡପ କରିବା ଉଦ୍ଦେଶ୍ୟରେ ଏକ ଇଛାପତ୍ର କରାଯାଇଛି । ବିଗତ ଦିନମାନଙ୍କରେ ତିଗିରିଆ ରାଜପରିବାରର କୋଟି କୋଟି ଟଙ୍କାର ସମ୍ପତ୍ତି ହଡପ କରିଥିବା ତଥା ଆଗାମୀ ଦିନରେ ହଡପ କରିବାକୁ ଷଡଯନ୍ତ୍ର କରୁଥିବା ଦୋଷୀ ତଥା ସେମାନଙ୍କ ସହଯୋଗୀ ମାନଙ୍କ ବିରୁଦ୍ଧରେ ଓଡିଶା ସରକାର ଏବଂ କେନ୍ଦ୍ର ସରକାରଙ୍କ ତଦନ୍ତକାରୀ ସଂସ୍ଥା ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି । ଏହି ସମସ୍ତ କାର୍ଯ୍ୟରେ ତିଗିରିଆ ତହସିଲଦାର ଏବଂ ଅଭିଯୁକ୍ତଙ୍କ ଭାଇ ମଧ୍ୟ ସାମିଲ ଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ତେବେ ରାଣୀ ତଥା ଆଠଗଡର ପୂର୍ବତନ ବିଧାୟିକାଙ୍କ ଶେଷ ସମୟରେ ତାଙ୍କୁ ଯେଉଁ କଳଙ୍କିତ କରାଯାଇଛି ସେହି କଳଙ୍କକୁ ପୋଛିବା ପାଇଁ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପଦକ୍ଷେପ ଗ୍ରହଣ କରିବା ପାଇଁ ରାଜପରିବାର ପକ୍ଷରୁ ନିବେଦନ କରିଛନ୍ତି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *