ଫଟୋ- ପଦ୍ମଲୋଚନ ମିଶ୍ର

ଢିଙ୍କିଆରେ ବର୍ବର ଲାଠି ଚାଳନାକୁ ବିରୋଧ କରି ଆର୍‌ଡିସିଙ୍କ ଜରିଆରେ ରାଜ୍ୟପାଳଙ୍କୁ ସ୍ମାରକପତ୍ର

ଫଟୋ- ପଦ୍ମଲୋଚନ ମିଶ୍ର

କଟକ(ଏନ୍‌.ଏମ୍‌.): ଢିଙ୍କିଆବାସୀଙ୍କ ଉପରେ ପୁଲିସର ବର୍ବର ଲାଠି ଚାଳନା ଓ ଆତଙ୍କରାଜ ବିରୁଦ୍ଧରେ ମହାନଗର ନାଗରିକ ମଞ୍ଚ ପକ୍ଷରୁ ଆରଡିସିଙ୍କ ଅଫିସ୍ ସମ୍ମୁଖରେ ପ୍ରତିବାଦ ସହ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଆରଡିସିଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ସେ ଅଞ୍ଚଳରେ ପୁଲିସ୍ ଆତଙ୍କରାଜ ବନ୍ଦ କରିବା ସହ ସେ ଅଞ୍ଚଳରୁ ପୁଲିସ୍ ପ୍ରତ୍ୟାହାର କରିବା, ଗିରଫ ଲୋକଙ୍କୁ ବିନା ସର୍ତ୍ତରେ ଖଲାସ କରିବା, ସେମାନଙ୍କ ଉପରେ ରୁଜୁ ହୋଇଥିବା ମିଥ୍ୟା ମାମଲା ପ୍ରତ୍ୟାହାର କରିବା ଓ ସେଠାରେ କରଖାନା ପ୍ରତିଷ୍ଠା ଉଦ୍ୟମ ବନ୍ଦ କରିବା ପାଇଁ ମଞ୍ଚ ପକ୍ଷରୁ କରାଯାଇଛି । ମହାନଗର ନାଗରିକ ମଞ୍ଚ ପକ୍ଷରୁ ଚିତ୍ତରଞ୍ଜନ ମହାନ୍ତି, ଡକ୍ଟର ସତ୍ୟ ରାୟ, ପ୍ରଶାନ୍ତ ଦାସ, ବିଶ୍ୱାବସୁ ଦାସ, ଡଲି ଦାସ, ସୁକାନ୍ତ ନାୟକ, ଖଗେଶ୍ୱର ସେଠୀ, ରାଜକିଶୋର ମଲ୍ଲିକ, ସୁରେନ୍ଦ୍ର ରାଉତ, ଏନାମୂଲ ହକ୍‌, ଅକ୍ଷୟ ରାଉଳ, ମମତା ମହାପାତ୍ର ପ୍ରମୁଖ ପ୍ରତିନିଧି ମଣ୍ଡଳୀ ଏହି ସ୍ମାରକପତ୍ର ପ୍ରଦାନ କରିଥିଲେ ।
ଅଭିଯୋଗ ଅନୁଯାୟୀ ଶିଳ୍ପ ନାମରେ ପ୍ରାକୃତିକ ସମ୍ପଦ ଓ ଚାଷ ଜମି ଦେଶର ବୃହତ କର୍ପୋରେଟମାନଙ୍କ ହାତକୁ ଶାଗ ମାଛ ଦରରେ ଟେକି ଦିଆଯାଉଛି । ଏଠାରେ ପ୍ରଶ୍ନ ଉଠୁଛି କାହା ପାଇଁ ଶିଳ୍ପ? ଏକ ବିରଳ ପ୍ରାକୃତିକ ସମ୍ପଦକୁ ବ୍ୟବହାର କଲାବେଳେ ସମ୍ବିଧାନ ପ୍ରଦତ୍ତ ମୌଳିକ ଅଧିକାର “ସମ୍ପତ୍ତିର ଅଧିକାର ଓ ଜୀବନ ଜୀବିକାର ଅଧିକାର’କୁ ବଳି ଦେଇ ଶିଳ୍ପ କାହା ସ୍ୱାର୍ଥରେ ଜମି ଦଖଲ ଚାଲିଛି ବୋଲି ମଞ୍ଚ ପକ୍ଷରୁ ଅଭିଯୋଗ ହୋଇଛି । ଆଇନ କହିଲା ଯଦି କୌଣସି ଜନସ୍ୱାର୍ଥ ପାଇଁ ସରକାର ଜମି ଦଖଲ କରୁଛ ଆଇନର ପ୍ରକ୍ରିୟାରେ ଦଖଲ ପୂର୍ବରୁ ଏହାର ସାମାଜିକ ପ୍ରଭାବର ଅନୁସଂଧାନ କରାଯିବା ସହ ଜନଶୁଣାଣୀ କରାଯାଏ । ଉପଯୁକ୍ତ ପୁନର୍ବସତି କରି ଉପଯୁକ୍ତ କ୍ଷତି ପୂରଣ ଦିଆଯାଏ । ଯଦି ଜନସ୍ୱାର୍ଥ ପାଇଁ ଦଖଲ କରାଯାଏ ଓ ସେଇ ଜନସ୍ୱାର୍ଥରେ ତାହା ୫ ବର୍ଷ ଭିତରେ ବ୍ୟବହାର କରି ନପାରିଲେ ତା’ହେଲେ ମୂଳ ଜମି ମାଲିକଙ୍କୁ ଫେରେଇ ଦେବାର ନିୟମର ରହିଛି । ତେଣୁ ପୋସ୍କୋ ପାଇଁ ଆଇନର ଗଳା ବାଟରେ ଢିଙ୍କିଆ ଚାରିଦେଶର ଯେଉଁ ଜମି ଦଖଲ କରାଯାଇଥିଲା ତାହା କେଉଁ ଜନସ୍ୱାର୍ଥରେ ଥିଲା ବୋଲି ବିକ୍ଷୋଭକାରୀମାନେ ପ୍ରଶ୍ନ କରିଛନ୍ତି । ପୁନଶ୍ଚ ସେମାନଙ୍କୁ ଯେତେବେଳେ ପ୍ରଶାସନ ହଟାଇଥିଲା ସେତେବେଳେ ଆଇନର ଦ୍ୱାହି ଦେଇ ଜଙ୍ଗଲ ଜମି ବୋଲି କୁହାଯାଇଥିଲା । କିନ୍ତୁ ଏହି ଜଙ୍ଗଲ ଜମିକୁ କେନ୍ଦ୍ର ଚଞ୍ଚକତା କରି ଯେଉଁ ଡି ନୋଟିଫିକେସନ ଆଇନ କରିଥିଲେ ଓ ଯାହାର ସାହାରାରେ ଏହାକୁ ରାଜସ୍ୱ ଜମି ଘୋଷଣା କରିଥିଲେ ସେତେବେଳେ ଜଙ୍ଗଲ ଅଧିକାର ଆଇନର ଅନୁ ପାଳନ କରାଯାଇଥିଲା କି ବୋଲି ପ୍ରଶ୍ନ ଉଠିଛି । ତେଣୁ କିଛି କିଛି କମ୍ପାନୀ ଏଜେଣ୍ଟଙ୍କ ସହାୟତା, ଲାଠି, ଗିରଫ ବଳରେ ଜଙ୍ଗଲ ଜମିକୁ ରାଜସ୍ୱ ଜମି ଘୋଷଣା କରିଥିଲେ ଓ ୨୭୦୦ ଏକର ଜମି ପୋସ୍କୋକୁ ବିକ୍ରି କରିଥିଲେ । କିନ୍ତୁ ପୋସ୍କୋ ଯେତେବେଳେ ଜମି ଫେରାଇ ଦେଲା ତାହାକୁ ମୂଳସ୍ଥିତିକୁ ନଆଣି ଆଜି ଜିନ୍ଦଲର ଇସ୍ପାତ କାରଖାନା ନାମରେ ପୁଣି ସେଇ ଜମିକୁ ଦେବା ଦୁର୍ଭାଗ୍ୟ ଜନକ । ଅନ୍ୟପକ୍ଷରେ ସରକାରଙ୍କ ଯୁକ୍ତି, ସେ ଅଞ୍ଚଳର ଲୋକଙ୍କ ବିକାଶ ହେବ, ଲୋକେ କର୍ମ ସଂସ୍ଥାନ ପାଇବେ ମାତ୍ର ପାରାଦ୍ୱୀପ ଠାରେ ବହୁ ଶିଳ୍ପାନୁଷ୍ଠାନ ହୋଇଥିଲେ ମଧ୍ୟ ମୀନ,ପାନ ଓ ଧାନଜୀବୀମାନେ କି ସୁଫଳ ପାଇଛନ୍ତି ସରକାର ତାହାର ଉତ୍ତର ସାଧାରଣରେ ରଖିବାକୁ ଦାବି ହୋଇଛି । ଜିନ୍ଦଲ ଇସ୍ପାତ କାରଖାନା, ସିମେଣ୍ଟ ପ୍ଲାଣ୍ଟ, ଜଟାଧାରୀ ନଦୀ ବନ୍ଦର କରାଯିବା ଫଳରେ ପରିବେଶ ଉପରେ କି ପ୍ରକାର ପ୍ରଭାବ ପଡ଼ିବ ସେ ନେଇ ଜିନ୍ଦଲ ମଞ୍ଜୁର ପାଇ ସାରିଛି କି? ଏହାର ପରିବେଶ ପ୍ରଭାବ ଆକଳନ ହେଇ ସାରିଛି କି? ଜନ ଶୁଣାଣୀ ହେଇ ସାରିଛି କି? ଏହାର ସବିଶେଷ ତଥ୍ୟ ରାଜ୍ୟବାସୀ ଜାଣିବାର ଅଧିକାର ରହିଛି । ତେଣୁ ସରକାର ଏଥିରୁ କ୍ଷାନ୍ତ ରହିବା ସହ ଡିଙ୍କିଆକୁ ଦ୍ୱିତୀୟ କଳିଙ୍ଗ ନଗର ନକରିବାକୁ ମଞ୍ଚ ପକ୍ଷରୁ ରାଜ୍ୟପାଳଙ୍କୁ ନିବେଦନ କରାଯାଇଛି ।

By admin

Leave a Reply

Your email address will not be published. Required fields are marked *