ଢିଙ୍କିଆରେ ପୁଲିସ୍ ଆତଙ୍କରାଜ ବନ୍ଦ କରିବା ପାଇଁ ଡିଜିପିଙ୍କୁ ସ୍ମାରକପତ୍ର

ଢିଙ୍କିଆରେ ପୁଲିସ୍ ଆତଙ୍କରାଜ ବନ୍ଦ କରିବା ପାଇଁ ଡିଜିପିଙ୍କୁ ସ୍ମାରକପତ୍ର

ଫଟୋ- ପଦ୍ମଲୋଚନ ମିଶ୍ର

କଟକ(ଏନ୍‌.ଏମ୍‌.): ଜଗସିଂହପୁର ଜିଲ୍ଲାର ଢିଙ୍କିଆରେ ପୁଲିସର ଆତଙ୍କରାଜ ବନ୍ଦ କରିବା ପାଇଁ ଆଜି ଅଞ୍ଚଳବାସୀ ଡିଜିପିଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ସ୍ୱାଧୀନତାର ୭୪ବର୍ଷ ପରେ ମଧ୍ୟ ଅଞ୍ଚଳବାସୀଙ୍କ ମୌଳିକ ଅଧିକାରକୁ ଛଡ଼ାଇ ନିଆଯାଉଥିବା ଅଭିଯୋଗ ହୋଇଛି । ବ୍ରିଟିଶ ସରକାର ଭଳି ପୁଲିସ ଅଗଣତାନ୍ତ୍ରିକ ଭାବେ ଦମନଲୀଳା ଚଳାଇବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ବୋଲି ବିଭିନ୍ନ ନାଗରିକ ଅନୁଷ୍ଠାନ ପକ୍ଷରୁ କୁହାଯାଇଛି ।
ଢିଙ୍କିଆବାସୀଙ୍କୁ ବହୁଜାତୀୟ କମ୍ପାନୀ ପୋସ୍କୋକୁ ସେଠାରୁ ହଟାଇବାକୁ ବହୁ ମୂଲ୍ୟ ଦେବାକୁ ପଡିଛି । ସରକାରଙ୍କ ଚାଷୀ ବିରୋଧୀ ଓ କମ୍ପାନୀପ୍ରୀତି ସ୍ପଷ୍ଟ ରୂପେ ଧରା ପଡିଛି । ଜିଦିଖୋର ସରକାର ସେଠାକାର ଚାଷୀ ଓ ସାଧାରଣ ଲୋକଙ୍କୁ ତଳିତଳାନ୍ତ କରିବା ପାଇଁ ଚାଷୀଙ୍କ ଠାରୁ ପୁଲିସ ବଳ ଲଗାଇ ପୁଣି ଜମି ଛଡାଇ ଜିନ୍ଦଲ କମ୍ପାନୀକୁ ଟେକି ଦେବା ଉଦ୍ୟମ କରୁଛନ୍ତି । ଢିଙ୍କିଆ ଅଞ୍ଚଳବାସୀ ନିଜର ଜୀବନ ଜୀବିକା ଓ ଭିଟାମାଟିର ସୁରକ୍ଷା ପାଇଁ ଆନ୍ଦୋଳନ ଜାରି ରଖିଛନ୍ତି । ସରକାରଙ୍କ ନିର୍ଦ୍ଦେଶରେ ପୁଲିସର ବଳ ପ୍ରୟୋଗ ଚାଲିଛି । ଲୋକଙ୍କ ଉପରେ ଅତ୍ୟନ୍ତ ଅମାନୁଷିକ ଭାବରେ ପୁଲିସ୍ ନିର୍ଯ୍ୟାତନା ବୃଦ୍ଧି ପାଇ ପରିସ୍ଥିତି ଗୁରୁତର ହେଉଥିବା ଅଭିଯୋଗରେ ଦର୍ଶାଯାଇଛି । ସେଠାରେ ଗଣତାନ୍ତ୍ରିକ, ସାମ୍ବିଧାନିକ ଏପରିକି ମାନବିକ ଅଧିକାରକୁ ଖୋଲା ଉଲ୍ଲଙ୍ଘନ କରାଯାଉଛି । ଗଣତାନ୍ତ୍ରିକ ଆନ୍ଦୋଳନକରୀଙ୍କ ଉପରେ ପୁଲିସ ଦମନର ପ୍ରତିବାଦ କରି ବିଭିନ୍ନ ନାଗରିକ ଅନୁଷ୍ଠାନମାନଙ୍କ ପକ୍ଷରୁ ଡିଜିପିଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇ ପୁଲିସ ଏପରି ଅଗଣତାନ୍ତ୍ରିକ କାର୍ଯ୍ୟରୁ ନିବୃତ୍ତ ରହିବାକୁ ଦାବି କରାଯାଇଛି । ଏହି କାର୍ଯ୍ୟକ୍ରମରେ ଚିତ୍ତରଞ୍ଜନ ମହାନ୍ତି, ଡକ୍ଟର ସତ୍ୟ ରାୟ, ପ୍ରଶାନ୍ତ ଦାସ, ଲକ୍ଷ୍ମୀ ମହାନ୍ତି, କ୍ଷୀରୋଦ ରାଉତ, ଖଗେଶ୍ୱର ସେଠୀ, ରବିନାରାୟଣ ମଲ୍ଲିକ, ସୌଭାଗ୍ୟ ସାମଲ, ରୋହନ କୁମାର ମହାନ୍ତି, ଦିପକ୍ କୁମାର ମହାପାତ୍ର, ପ୍ରତାପ ଚନ୍ଦ୍ର ମିଶ୍ର, କବିରାଜ ପ୍ରଧାନ, ଅକ୍ଷୟ ରାଉଳ, ସରୋଜ କୁମାର ସାହୁ, ଅଜରା ଜମାଲ, ପବିତ୍ର ମୋହନ ରାୟ, ଅମୁଲ୍ୟ କୁମାର ରାଉତ, ଅର୍ଜୁନ ରାଉଳ, ଭାଗ୍ୟଧର ଲେଙ୍କା, ଅବଧୁତ ଜେନା ପ୍ରମୁଖ ଉପସ୍ଥିତ ଥିଲେ । ଏଠାରେ ସୂଚନାଯୋଗ୍ୟ ଯେ, ସମ୍ପ୍ରତି ସରକାରମାନେ କର୍ପୋରେଟ ଜଗତକୁ ସମସ୍ତ ଜାତୀୟ ସମ୍ପତ୍ତି ଚାଷ ଜମି, ଖଣି, ପାଣି ଓ ଜଙ୍ଗଲ ବିନା ମୂଲ୍ୟରେ ଟେକି ଦେଉଛନ୍ତି । ସେଇ ଉଦେଶ୍ୟରେ ଢିଙ୍କିଆ ଅଞ୍ଚଳବାସୀଙ୍କୁ ଘେରାବନ୍ଦୀ କରାଯାଇ ଗିରଫଦାରୀ କରାଯିବା ସହ ଲୋକଙ୍କ ଯାତାୟାତକୁ ବନ୍ଦ କରାଯାଇଛି । ବୃଦ୍ଧ, ବୃଦ୍ଧା, ମହିଳା ଏବଂ ଶିଶୁ କେହି ପୁଲିସ୍ ଆକ୍ରୋଶରୁ ବାଦ ପଡୁ ନାହାଁନ୍ତି । ମିଥ୍ୟା ମକଦ୍ଦମା ଦିଆଯାଇ ବିଭିନ୍ନ ନିର୍ଯ୍ୟାତନା ଦିଆଯାଉଛି । ଲୋକଙ୍କ ଜୀବନ ଜୀବିକା ସଂପୂର୍ଣ୍ଣ ଠପ୍ ହୋଇଯାଇଛି । ଏଭଳି ସ୍ଥଳେ ପୁଲିସ ଜୁଲମ ବନ୍ଦ କରିବା ପାଇଁ ଦାବି କରାଯାଇଛି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *