ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା: କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦେଲା ଜୁନିୟର ଡାକ୍ତର ସଂଘ
ଧାରଣାରେ ବସିଲେ ଏସସିବି ଜୁନିୟର ଡାକ୍ତର


ଭୁବନେଶ୍ୱର(ଏନ୍‌.ଏମ୍‌.): କୋଲକାତାର ଏକ ମେଡିକାଲ କଲେଜରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଦେଶରେ ଜାରି ଥିବା ଆନ୍ଦୋଳନ କଟକରେ ମଧ୍ୟ ପହଞ୍ଚିଛି। କଟକ ଶ୍ରୀରାମ ଚନ୍ଦ୍ର ଭଂଜ ମେଡିକାଲ କଲେଜ ଓ ହସ୍ପିଟାଲର ଜୁନିୟର ଡାକ୍ତର ସଂଘ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦେଇଛି। କୋଲକାତାରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନିନ୍ଦା କରି ଜୁନିୟର ଡାକ୍ତରମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଜରୁରୀ କାଳୀନ ସେବାକୁ ବାଦ୍ ଦେଲେ ଅନ୍ୟ ସ୍ୱାସ୍ଥ୍ୟସେବା କାର୍ଯ୍ୟରେ ଯୋଗ ନଦେବାକୁ ଡାକ୍ତରମାନେ ନିଷ୍ପତ୍ତି ନେଇଛନ୍ତି। ୭୨ ଘଣ୍ଟା ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦେଇଛି ସଂଘ। ସୂଚନାଯୋଗ୍ୟ, ଗତ ୮ ତାରିଖରେ କୋଲକତାର ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଜଣେ ୩୧ ବର୍ଷୀୟ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା। ଉକ୍ତ ମେଡିକାଲର କ୍ୟାମ୍ପସ୍ରେ ଥିବା ସେମିନାର ହଲ୍ରେ ତାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା। ଏହା ପରଦିନ ସକାଳେ ତାଙ୍କ ମୃତଦେହ ମିଳିଥିଲା। ଏହି ମାମଲାରେ ପୁଲିସ୍ ସିଭିକ ସ୍ୱେଚ୍ଛାସେବୀ ଭାବେ କାମ କରୁଥିବା ସଞ୍ଜୟଙ୍କୁ ଗିରଫ କରିଛି। ପୀଡିତାଙ୍କ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଜଣାପଡ଼ିଛି ଯେ, ମୃତଦେହରୁ ପର୍ଯ୍ୟାପ୍ତ ପରିମାଣର ସେମେନ ମିଳିଥିବାରୁ ତାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଆଶଙ୍କା ପ୍ରକାଶ ପାଇଛି। ପୀଡ଼ିତାଙ୍କୁ ତଣ୍ଟି ଚିପି ହତ୍ୟା କରାଯିବା ପୂର୍ବରୁ ତାଙ୍କୁ ଯୌନ ନିର୍ଯାତନା ଦିଆଯାଇଥିଲା। ତାଙ୍କ ଶରୀରରେ ଏକାଧିକ କ୍ଷତ ଚିହ୍ନ ରହିଛି।

Leave a Reply

Your email address will not be published. Required fields are marked *