ଟାଙ୍ଗୀ-ଚୌଦ୍ୱାର ବୈଦିକ ବ୍ରାହ୍ମଣ ସମିତିର ସାଧାରଣ ବୈଠକ

ଟାଙ୍ଗୀ-ଚୌଦ୍ୱାର ବୈଦିକ ବ୍ରାହ୍ମଣ ସମିତିର ସାଧାରଣ ବୈଠକ
ଗରିବ ପରିବାରକୁ ସହାୟତା ପ୍ରଦାନ କରିବା ଉପରେ ଗୁରୁତ୍ୱ

News by Smrutiranjan Tripathy (Choudwar)

#ଚୌଦ୍ୱାର(ଏନ୍‌.ଏମ୍‌.): ଟାଙ୍ଗୀ-ଚୌଦ୍ୱାର ବୈଦିକ ବ୍ରାହ୍ମଣ ସମିତିର ସାଧାରଣ ବୈଠକ ସ୍ଥାନୀୟ ମଦନମୋହନ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ସମିତି ଉପଦେଷ୍ଟା କୈଳାଶ ଚନ୍ଦ୍ର ପଣ୍ଡାଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ପାଦକ ଦିଲ୍ଲୀପ କୁମାର ତ୍ରିପାଠୀ ସ୍ୱାଗତ ଭାଷଣ ଦେଇଥିଲେ । ଏହି ଅବସରରେ ସମିତିର ବହୁବିଧ ଉନ୍ନତି ନେଇ ଆଲୋଚନା କରାଯାଇଥିଲା । ବିଶେଷ କରି ସମାଜରେ ବସବାସ କରୁଥିବା ଗରିବ ବ୍ରାହ୍ମଣ ପରିବାର ଆର୍ଥିକ ବିକାଶ ତଥା ସେମାନଙ୍କ ପିଲା ପାଠପଢ଼ିବା, ବିବାହ, ବ୍ରତ ଆଦି ସାମାଜିକ କାର୍ଯ୍ୟକ୍ରମ କିଭଳି ସୂଚାରୂଭାବେ ସମ୍ପାଦିତ ହୋଇପାରିବ ସେ ନେଇ ସମିତିର ସମସ୍ତ ସଦସ୍ୟ ସହଯୋଗ କରିବେ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି । କେବଳ ସେତିକି ନୁହେଁ ମେଧାବୀ ବ୍ରାହ୍ମଣ ପିଲା ବେଦ ତଥା କର୍ମକାଣ୍ଡ ସମ୍ପର୍କରେ କିଭଳି ଉଚ୍ଚଶିକ୍ଷା ଲାଭ କରିବେ ସେ ନେଇ ସମିତି ଆବଶ୍ୟକସ୍ଥଳେ ଆର୍ଥିକ ପ୍ରୋତ୍ସାହନ ଯୋଗାଇଦିଆଯିବା ଉପରେ ଆଲୋଚନା ହୋଇଛି । ପୁନଶ୍ଚ ସମାଜରେ ବ୍ରାହ୍ମଣମାନଙ୍କ ସାମାଜିକ ଦାୟିତ୍ୱବୋଧ, ସଂସ୍କାର ଓ ବିକାଶ ଉପରେ ମଧ୍ୟ ଗୁରୁତ୍ୱାରୋପ କରାଯାଇଥିଲା । ତେବେ ସମିତି ପକ୍ଷରୁ ମୁକ୍ତ ବୈଦିକ କର୍ମଣୀୟ ବିଦ୍ୟାଳୟ ଖୋଲାଯିବା ଉପରେ ମଧ୍ୟ ଆଲୋଚନା କରାଯାଇଥିଲା । ତେବେ ସମସ୍ତ ବିଷୟକୁ ପୂର୍ଣ୍ଣାଙ୍ଗ ଆଲୋଚନା କରାଯାଇ କ୍ରମଶଃ ସେଗୁଡ଼ିକର ସଫଳ ରୂପାୟନ ନିମନ୍ତେ ସମସ୍ତେ ସହଯୋଗ କରିବେ ବୋଲି ନିଷ୍ପତ୍ତି ନେଇଥିଲେ । ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ନିରଞ୍ଜନ ହୋତାଙ୍କ ନେତୃତ୍ୱରେ ସ୍ଥାନୀୟ ଟାଙ୍ଗୀ କୋଟସାହି ମନ୍ଦିର ଠାରୁ ଏକ ସଂକୀର୍ତ୍ତନ ଶୋଭାଯାତ୍ରା ଅଞ୍ଚଳ ପରିକ୍ରମା କରିବା ପରେ ଉପଦେଷ୍ଟ ଶ୍ରୀ ପଣ୍ଡା କାର୍ଯ୍ୟକ୍ରମକୁ ପ୍ରଦୀପ ପ୍ରଜ୍ଜ୍ୱଳନ ସ୍ୱରୂପ ଉଦ୍‌ଘାଟନ କରିଥିଲେ । ଉପସ୍ଥିତ ସମସ୍ତ ବ୍ରାହ୍ମଣଙ୍କ ଦ୍ୱାରା ସମୂହ ବେଦପାଠ କରାଯାଇଥିଲା । କୋଷାଧ୍ୟକ୍ଷ ସୁଶିଲ କୁମାର ଶତପଥୀ ଚଳିତ ବର୍ଷର ସମସ୍ତ ଆୟବ୍ୟୟର ହିସାବ ରଖିଥିଲେ । ଏହି ଅବସରରେ ସମିତି ପକ୍ଷରୁ ଏକ ସ୍ଥାୟୀ କମିଟି ଗଠନ କରାଯାଇଛି । ସ୍ଥାୟୀ କମିଟି ସଭାପତି ଭାବେ ପଣ୍ଡିତ ବିଭୁଦେନ୍ଦୁ ଷଡ଼ଙ୍ଗୀ, କାର୍ଯ୍ୟକାରୀ ସଭାପତି ନିରଞ୍ଜନ ହୋତା, ଉପସଭାପତି ବ୍ରଜବନ୍ଧୁ କର, ସମ୍ପାଦକ ଦିଲ୍ଲୀପ କୁମାର ତ୍ରିପାଠୀ, ସହ ସମ୍ପାଦକ ପବିତ୍ରମୋହନ ଷଢ଼ଙ୍ଗୀ, କୋଷାଧ୍ୟକ୍ଷ ସୁଶିଲ କୁମାର ଶତପଥୀ ପ୍ରମୁଖ ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଛନ୍ତି । ଏହି କାର୍ଯ୍ୟକ୍ରମରେ ସମିତିର ଅନ୍ତର୍ଯ୍ୟାମୀ ଦାଶ, ସନ୍ତୋଷ ଦାଶ, ସୁନିଲ ତ୍ରିପାଠୀ, ସ୍ମୃତିରଞ୍ଜନ ତ୍ରିପାଠୀ, ସନ୍ତୋଷ କୁମାର ଷଢ଼ଙ୍ଗୀ, ପ୍ରମୋଦ କୁମାର ପଣ୍ଡା, ମାନସ ରଞ୍ଜନ ପଣ୍ଡା, ବୈଦନାଥ ମିଶ୍ର, ପ୍ରଭାକର ପଣ୍ଡା, ଓମପ୍ରକାଶ ଷଢ଼ଙ୍ଗୀ, ମନୋରଞ୍ଜନ ଷଢ଼ଙ୍ଗୀ, ରାକେଶ ମିଶ୍ର, ରଞ୍ଜନ ପଣ୍ଡା ପ୍ରମୁଖ ଉପସ୍ଥିତଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *