ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କଲେ ଆଦିବାସୀ ସେଙ୍ଗଲ ଅଭିଯାନ

ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କଲେ ଆଦିବାସୀ ସେଙ୍ଗଲ ଅଭିଯାନ


କଟକ(ଏନ୍‌.ଏମ୍‌.): ଭାରତ ଭଳି ଗୋଟିଏ ଧର୍ମନିରପେକ୍ଷ ରାଷ୍ଟ୍ରରେ ଜୋର ଜବରଦସ୍ତ ଧର୍ମବିଧି ତଥା ପୂଜା ପଦ୍ଧତି ଲଦି ଦିଆଯାଉଥିବା ଅଭିଯୋଗରେ ଆଦିବାସୀ ସେଙ୍ଗଲ ଅଭିଯାନ ପକ୍ଷରୁ ପ୍ରତିବାଦ କରାଯାଇଛି । ଝାଡ଼ଖଣ୍ଡରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ଆରଏସଏସ ଏବଂ ଲୁଗୁବୁର ଘାଣ୍ଟାବାଳି କମିଟିର ଧର୍ମକୁ ନେଇ ଜୋର ଜବରଦସ୍ତ କରିବା ଘଟଣାକୁ ନିନ୍ଦା କରାଯିବା ସହ ଅଭିଯାନର କଟକ ଶାଖା ପକ୍ଷରୁ ସ୍ଥାନୀୟ ସେକ୍ଟର ୧୩ସ୍ଥିତ ବାଲ୍ମିକୀନଗର ଆଦିବାସୀ ବସ୍ତିରେ ସେମାନଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିଲା ।
ଅଭିଯୋଗ ଅନୁଯାୟୀ, ପ୍ରକୃତିର ଅମୃତ ସନ୍ତାନଭାବେ ଆଦିବାସୀ ମାନେ କାହିଁ କେଉଁ ଆବହମାନ କାଳରୁ ବଣ ଜଙ୍ଗଲରେ ରହି କୌଣସି ମୂର୍ତ୍ତି ପୂଜା ନକରି କେବଳ ପ୍ରକୃତିକୁ ନିଜର ଈଶ୍ୱର ଭାବେ ମାନି ପୂଜା କରନ୍ତି । ଏଠି ସାରା ସାନ୍ତାଳୀ ସମାଜ ନିଜକୁ ସାର୍ଣ୍ଣା ଧର୍ମର ଅନୁଗାମୀ ବୋଲି ବିଶ୍ୱାସ କରୁଥିବାବେଳେ ଗତ ନଭେମ୍ବର ମାସ ପୂର୍ଣ୍ଣିମା ତିଥିରେ ସାନ୍ତାଳ ଆଦିବାସୀମାନଙ୍କର ସାର୍ଣ୍ଣା ଧର୍ମର ଧରମ ଗାଳ (ପ୍ରମୁଖ ପୀଠ) ଝାରଖଣ୍ଡ ରାଜ୍ୟର ବୋକାରୁରେ ଥିବା ଲୁଗୁବୁରୁ ଘାଣ୍ଟାବାଳି ଗାଳକୁର ଲୁଗୁବୁରୁ ଘାଣ୍ଟାବାଳି କମିଟି କାର୍ଯ୍ୟକର୍ତ୍ତାମାନେ ମୁଖ୍ୟତଃ ଆରଏସଏସ ସହିତ ସମ୍ପୃକ୍ତ ରହି ସାର୍ଣ୍ଣା ଧର୍ମ ପରମ୍ପରା ଅନୁଯାୟୀ ହେଉଥିବା ପୂଜା ପଦ୍ଧତିକୁ ଅବମାନନା କରି ସନାତନ ପୂଜା ପଦ୍ଧତି ଅନୁସାରେ ସେଠାରେ ଦୈନଦିନ ପୂଜା କରିବାରୁ ତାହା ସାନ୍ତାଳି ମାନଙ୍କ ପରମ୍ପରାର ଘୋର ଅପମାନ ହେଉଥିବା ସେଙ୍ଗଲ ଅଭିଯାନ ପକ୍ଷରୁ ଅଭିଯୋଗ ହୋଇଛି । ତେବେ ଏହାକୁ ବନ୍ଦ କରିବା ପାଇଁ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ବାରମ୍ବାର ଅଭିଯୋଗ ହୋଇଥିଲେ ମଧ୍ୟ ସେ କର୍ଣ୍ଣପାତ ନକରିବାରୁ ଆଦିବାସୀଙ୍କ ମନରେ ନୈରାଶ୍ୟ ଭାବ ଆଣିବା ସହ ଅସନ୍ତୋଷ ତିବ୍ରତର ହେବାରେ ଲାଗିଛି । ଏହାର ପ୍ରତିବାଦରେ ଅଭିଯାନ ତରଫରୁ ଏଥିପାଇଁ ସର୍ବ ଭାରତୀୟସ୍ତରରେ ବିରୋଧ କାର୍ଯ୍ୟକ୍ରମ ସେଙ୍ଗଲ ଅଭିଯାନ ପକ୍ଷରୁ ସଲଖାନ ମୁର୍ମୁଙ୍କ ନେତୃତ୍ୱରେ ଆରମ୍ଭ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଆଦିବାସୀ ସେଙ୍ଗଲ ଅଭିଯାନ କଟକ ଶାଖା ତରଫରୁ ପ୍ରତିବାଦ କରାଯିବା ସହ ପୁତ୍ତଳିକା ଦାହ କରାଯାଇ ଥିଲା । ଏଥିରେ ଆଦିବାସୀ ସେଙ୍ଗଲ ଅଭିଯାନର କଟକ ସଭାପତି ସିଂଗ୍ରାୟୀ ହେମ୍ବ୍ରମ, ଉପ ସଭାପତି ରବୀନ୍ଦ୍ର ନାଥ ସରେନ, ମାଝୀ ହାଲାମ ଉତ୍ତମ ହାଁସଦା, ସମ୍ପାଦକ ମେଘରାୟ ହେମ୍ବ୍ରମ, ଦୁର୍ଗା ମୁର୍ମୁ, ଜାନକୀ ସୋରେନ ପ୍ରମୁଖ ନେତୃତ୍ୱ ନେଇଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *