ଜେଲ ସଂସ୍କାର ମାମଲାରେ ପ୍ରିଜନ୍ ଡିଜିଙ୍କ ହାଜିରା:୨୩ରେ ପ୍ରକାଶ ପାଇବ ରାୟ

ଜେଲ ସଂସ୍କାର ମାମଲାରେ ପ୍ରିଜନ୍ ଡିଜିଙ୍କ ହାଜିରା:୨୩ରେ ପ୍ରକାଶ ପାଇବ ରାୟ


କଟକ(ଏନ୍‌.ଏମ୍‌.): କରୋନା ସମୟରେ ରାଜ୍ୟର ବିଭିନ୍ନ ଜେଲ୍ ଭିତରେ ବିଚାରଧୀନ କଏଦୀ ମୃତ୍ୟୁ, ସଜା ଭୋଗୁଥିବା କଏଦୀଙ୍କ ଭିଡ଼ ପ୍ରସଙ୍ଗରେ ପ୍ରିଜନ୍ ଡି.ଜି. ସନ୍ତୋଷ ଉପାଧ୍ୟାୟ ହାଇକୋର୍ଟରେ ହାଜର ହୋଇ ତଥ୍ୟ ପ୍ରଦାନ କରିଛନ୍ତି । ହାଇକୋର୍ଟର ମୁଖ୍ୟ ବିଚାରପତି ଡ. ଏସ. ମୁରଲୀଧର ଓ ବିଚାରପତି ଏ.କେ ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠରେ ସାଢେ ୪ଘଣ୍ଟା ଧରି ଏହି ମାମଲାର ଶୁଣାଣି ହୋଇଥିଲା । ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠରେ ମାମଲାର ପୂର୍ଣ୍ଣାଙ୍ଗ ଶୁଣାଣି ହୋଇଥିବାବେଳେ ଆସନ୍ତା ୨୩ ତାରିଖରେ ଏହାର ରାୟ ପ୍ରକାଶ ପାଇବ ବୋଲି ଅଦାଲତ ଆଦେଶ ଦେଇଛନ୍ତି । ମାମଲାର ଶୁଣାଣିବେଳେ ୨୦୨୧ ଅକ୍ଟୋବର ୩୧ ତାରିଖ ମଧ୍ୟରେ ବିଭିନ୍ନ ଜେଲ୍‌ରେ ଥିବା ବିଚାରଧିନ କଏଦୀଙ୍କ ସମ୍ପର୍କରେ ତଥ୍ୟ ଉପସ୍ଥାପନା କରାଯାଇଥିଲା । ସୁପ୍ରିମ୍‌କୋର୍ଟଙ୍କ ମାମଲା ଆଧାରରେ ପ୍ରିଜନ୍ ଡି.ଜି .ରାଜ୍ୟର ବିଭିନ୍ନ ଜେଲ୍‌ରେ ବିଚାରଧିନ ବନ୍ଦୀଙ୍କ ସମ୍ପର୍କରେ ତଥ୍ୟକୁ ୱେବ୍ ସାଇଟ୍‌ରେ ଅପ୍‌ଲୋଡ୍ କରିଛନ୍ତି । ତଦନୁଯାୟୀ ରାଜ୍ୟରେ ୨ଟି ସ୍ୱତନ୍ତ୍ର ଜେଲ୍ ରହିଛି ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ଦର୍ଶାଯାଇଥିଲା । ମହିଳା ବନ୍ଦୀଙ୍କ ନିମନ୍ତେ ନାରୀ ବନ୍ଦୀ ନିକେତନ ଓ ଖୋର୍ଦ୍ଧା ନିକଟରେ ବିଜୁ ପଟ୍ଟନାୟକ ଓପନ୍ ଏୟାର ଜେଲ୍ ରହିଛି । ସେହିପରି ରାଜ୍ୟର ବିଭିନ୍ନ ଜେଲ୍‌ରେ ବିଚାରଧିନ ବନ୍ଦୀଙ୍କ ସଂଖ୍ୟା ଅଧିକ ରହିଛି । ଜେଲ୍‌ରେ ଥିବା କ୍ଷମତା ଠାରୁ ଅଧିକ ବିଚାରଧିନ ବନ୍ଦୀ ରହୁଛନ୍ତି । ବାଲିଗୁଡାରେ ସଂଖ୍ୟା ଠାରୁ ୨ ଶହ ଅଧିକ କଏଦୀ ରହୁଥିବାବେଳେ ଯାଜପୁରରେ ନିର୍ଦ୍ଧାରିତ ସଂଖ୍ୟାଠାରୁ ୨ ଶହ କଏଦୀ ଅଧିକ ରହୁଛନ୍ତି । ମାଲକାନଗିରୀ ଜେଲ୍‌ରେ ୩୧୪ ବିଚାରଧିନ ବନ୍ଦୀଙ୍କ ପାଇଁ ବ୍ୟବସ୍ଥା ଥିବାବେଳେ ୮୧୮ ଜଣ ବନ୍ଦୀ ରହୁଛନ୍ତି । ଅନ୍ୟପକ୍ଷରେ ଭଦ୍ରକ ଜେଲ୍‌ରେ ୧୬୬ ଜଣଙ୍କ ପାଇଁ ବ୍ୟବସ୍ଥା ଥିବାବେଳେ ସେଠାରେ ୪୫୬ ଜଣ କଏଦୀ ରହୁଛନ୍ତି । ରାଜ୍ୟର ମାଲକାନଗିରୀ, ଅନୁଗୁଳ, ଫୁଲବାଣୀ ଆଦି ଜିଲ୍ଲାରେ ବେଆଇନ ଗଞ୍ଜେଇ ଚାଲାଣ ମାମଲା ଆଶାତୀତ ଭାବେ ବୃଦ୍ଧି ପାଇଥିବାବେଳେ ଉପକୂଳବର୍ତ୍ତୀ ଅଞ୍ଚଳରେ ନାବାଳିକା ବଳତ୍କାର, ଗଣ ବଳତ୍କାର ମାମଲା ବୃଦ୍ଧି କାରଣରୁ ଜେଲ୍‌ରେ କଏଦୀଙ୍କ ସଂଖ୍ୟା ବୃଦ୍ଧି ପାଇଛି ବୋଲି ଶ୍ରୀ ଉପଧ୍ୟାୟ ଦର୍ଶାଇଥିଲେ । ଡିଜିଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ ଭଦ୍ରକ ଜେଲ୍‌ରୁ ଭିଡ କମାଇବା ପାଇଁ ୧ଶହ କଏଦୀଙ୍କୁ ବାରିପଦା ଜେଲ୍‌କୁ ସ୍ଥାନାନ୍ତର କରାଯିବ । ଇତି ମଧ୍ୟରେ ବାରିପଦା ଜେଲ୍‌ରେ କିଛି ୱାର୍ଡକୁ ମଧ୍ୟ ମରାମତି କରାଯାଇଛି । ଆମିକସ୍‌କ୍ୟୁରୀ ବରିଷ୍ଠ ଆଇନଜୀବୀ ଗୌତମ ମିଶ୍ର ଜେଲରେ ଭିଡ ଏଡାଇବା, ଭିତ୍ତଭୂମି ଆଦି ପ୍ରସଙ୍ଗରେ ଯୁକ୍ତି ରଖିଥିଲେ । ସୂଚନାଥାଉକି ରାଜ୍ୟର ବିଭିନ୍ନ ଜେଲ୍ ଭିତରେ ବିଚାରଧୀନ କଏଦୀଙ୍କ ମୃତ୍ୟୁ ଓ ସଜା ଭୋଗୁଥିବା କଏଦୀଙ୍କ ଭିଡ଼ ପ୍ରସଙ୍ଗରେ ଆବେଦନକାରୀ କୃଷ୍ଣପ୍ରସାଦ ସାହୁଙ୍କ ପକ୍ଷରୁ ରୁଜୁ ଆବେଦନର ଶୁଣାଣି କରି ହାଇକୋର୍ଟ ଆଇଜି ପ୍ରିଜନ୍‌ଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ଆଦେଶ ଦେଇଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *