ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ଯୋଗ ଦିବସ


କଟକ(ଏନ୍‌.ଏମ୍‌.): କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମଠାରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ, ମାହାଙ୍ଗା ବିଧାୟକ ଶାରଦା ପ୍ରସାଦ ପ୍ରଧାନ, ବାରବାଟୀ କଟକ ବିଧାୟିକା ସୋଫିଆ ଫିର୍ଦ୍ଦୋଷ, ଜିଲ୍ଲାପାଳ ଅରିନ୍ଦମ ଡାକୁଆ, ଅତିରିକ୍ତ ଜିଲ୍ଲାପାଳ ଶିବ ଟପୋ, ଅଭିନେତା ଶ୍ରୀତମ ଦାସ୍ ପ୍ରମୁଖ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ସକାଳ ୬ଟାରୁ ଛାତ୍ରଛାତ୍ରୀ, କ୍ରୀଡାବିତ୍ ତଥା ବହୁ ଅଧିକାରୀ, କର୍ମଚାରୀ ଓ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଷ୍ଟାଡିୟମରେ ପହଂଚି ପଞ୍ଜିକରଣ କରିଥିଲେ । ସକାଳ ୭ଟାରେ ପ୍ରାର୍ଥନା ସହ ଯୋଗାଭ୍ୟାସ ଆରମ୍ଭ ହୋଇଥିଲା । ପ୍ରାୟ ୪୫ ମିନିଟ୍ ଧରି ଯୋଗାଭ୍ୟାସ ଚାଲିଥିଲା । ବିଧାୟକ, ଜିଲ୍ଲାପାଳ ଓ ଉପସ୍ଥିତ ସମବେତ ଜନତା ଅତି ଆଗ୍ରହର ସହ ଯୋଗାଭ୍ୟାସ କରିଥିଲେ । ଏହାପରେ ଯୋଗର ଉପାଦେୟତା ଓ ଦୈନନ୍ଦିନ ଜୀବନଚର୍ଯ୍ୟାରେ ଯୋଗକୁ ସାମିଲ କରାଇବା ସମ୍ପର୍କରେ ଶପଥ ପାଠ ମଧ୍ୟ କରାଯାଇଥିଲା । ଏହି ଅବସରରେ ଉଦ୍‌ବୋଧନ ଦେଇ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ କହିଥିଲେ ଯେ, ଯୋଗ ଜୀବନରେ ଏକ ମହୌଷଧି ଭଳି କାର୍ଯ୍ୟ କରିଥାଏ । କେବଳ ଗୋଟିଏ ଦିନ ନୁହେଁ ପ୍ରତ୍ୟେକ ଦିନ ଯୋଗାଭ୍ୟାସ କଲେ ଜଣେ ସୁସ୍ଥ ରହିବା ସହ ଏକାଗ୍ରତା ବୃଦ୍ଧି କରିପାରିବ । ମାହାଙ୍ଗା ବିଧାୟକ ଶାରଦା ପ୍ରସାଦ ପ୍ରଧାନ ଯୋଗ ଶରୀର ଓ ମନ ମଧ୍ୟରେ ସନ୍ତୁଳନ ରକ୍ଷା କରିବାରେ ସହାୟକ ହୋଇଥାଏ ବୋଲି ମତ ଦେଇଥିଲେ । କଟକ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଅରିନ୍ଦମ ଡାକୁଆ ସାରା ବିଶ୍ୱରେ ଯୋଗର ଉପାଦେୟତା ଅନୁଭବ ହେଉଥିବାବେଳେ ଆମେ ମଧ୍ୟ ଯୋଗକୁ ନିଜ ଜୀବନରେ ସାମିଲ କରିବାକୁ ଆହ୍ୱାନ ଦେଇଥିଲେ । ଜିଲ୍ଲା କ୍ରୀଡା ଅଧିକାରୀ ରଶ୍ମିରଞ୍ଜନ ସାମନ୍ତରାୟ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଇତିଶ୍ରୀ ନନ୍ଦ ଓ ତାଙ୍କ ସହଯୋଗୀ ପ୍ରଶିକ୍ଷକ ଭାବେ ଯୋଗାଭ୍ୟାସ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଭବାନୀ ଶଙ୍କର ଭୂୟାଁ, ଜିଲ୍ଲା ସଂସ୍କୃତି ଅଧିକାରୀ ନଳିନୀକାନ୍ତ ସାହୁ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ବହୁ ଅଧିକାରୀ ଓ କର୍ମଚାରୀ ଏହି ଯୋଗାଭ୍ୟାସ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ ।

Leave a Reply

Your email address will not be published. Required fields are marked *