ଜାପାନରେ ଓଡ଼ିଶା ମହୋତ୍ସବ

ଜାପାନରେ ଓଡ଼ିଶା ମହୋତ୍ସବ
‘ସହଭାଗିତା ବଳରେ ଓଡ଼ିଶା-ଜାପାନ ସଂପର୍କ ଦୃଢ଼ତର ହେବ’: ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା

News by B.Mishra (BBSR)

#ଭୁବନେଶ୍ୱର(ଏନ୍‌.ଏମ୍‌.): ଓଡ଼ିଆ ଓ ଜାପାନୀମାନଙ୍କ ଜୀବନଧାରାରେ ବ୍ୟାପକ ସାମଞ୍ଜସ୍ୟ ରହିଛି । ଖାଦ୍ୟସଂସ୍କୃତି ସହିତ ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ କର୍ମପ୍ରବଣତା ସମାନ ହୋଇଥିବାବେଳେ ଓଡ଼ିଶା ଓ ଜାପାନ ମଧ୍ୟରେ ସାଂସ୍କୃତିକ ସମ୍ପର୍କ ବିଶେଷ ଉଲ୍ଲେଖଯୋଗ୍ୟ ବୋଲି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମତ ଦେଇଛନ୍ତି । ଜାପାନର ରିଉକୋକୁ ବିଶ୍ୱବିଦ୍ୟାଳୟର କିଓଟୋ ହଲ୍‌ରେ ଓଡ଼ିଶା କଲଚରାଲ୍ ଏକ୍ସଚେଞ୍ଜ ସୋସାଇଟି ଜାପାନ ଆନୁକୂଲ୍ୟରେ ଆୟୋଜିତ ‘ଓଡ଼ିଶା ମହୋତ୍ସବ’ରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ପଣ୍ଡା କହିଲେ ଯେ, ଓଡ଼ିଶାର ଧଉଳି ଠାରେ ୧୯୭୩ ମସିହାରେ ଭାରତ-ନିପନ ବୌଦ୍ଧ ସଂଘ ପକ୍ଷରୁ ସ୍ଥାପିତ ଶାନ୍ତିସ୍ତୂପର ସୁବର୍ଣ୍ଣ ଜୟନ୍ତୀ ସମାରୋହ ନିକଟରେ ପାଳିତ ହୋଇଥିବାବେଳେ ଓଡ଼ିଶାରେ ବୌଦ୍ଧ ପର୍ଯ୍ୟଟନର ବିଶେଷ ଗୁରୁତ୍ୱ ରହିଛି । ଶ୍ରୀ ପଣ୍ଡା କହିଲେ ଯେ, ଓଡ଼ିଶା ଜାପାନ ସମ୍ପର୍କ ଦୃଢ଼ କରିବା ଲକ୍ଷ୍ୟରେ ଓଡ଼ିଆ ଛାତ୍ରଛାତ୍ରୀଙ୍କ ଜାପାନୀ ଭାଷା ଶିକ୍ଷଣ ଓ ଜୈବପ୍ରଯୁକ୍ତି କ୍ଷେତ୍ରରେ ଅଧିକତର ଗବେଷଣା ଏବଂ ଅଧ୍ୟୟନ ପାଇଁ ପ୍ରୟାସ ବିଶେଷ ଭାବରେ ଫଳପ୍ରଦ ସାବ୍ୟସ୍ତ ହେବ । ସହଭାଗିତା ବଳରେ ଓଡ଼ିଶା-ଜାପାନ ସମ୍ପର୍କ ଦୃଢ଼ତର ହେବ ବୋଲି ମନ୍ତ୍ରୀ ଶ୍ରୀ ପଣ୍ଡା ଆଶାପ୍ରକାଶ କରିଥିଲେ । ଓଡ଼ିଶା-ଜାପାନ ସଂସ୍କୃତିକ ପୃଷ୍ଠଭୂମି ଉପରେ ରାଜ୍ୟସଭା ସଦସ୍ୟ ସୁଜିତ କୁମାର, କିଓଟୋ ବିଶ୍ୱବିଦ୍ୟାଳୟର ପୂର୍ବତନ ପ୍ରଫେସର କାଜିନୋବୁ ମିତ୍‌ସୁବା, ଜାପାନସ୍ଥିତ ଭାରତର କନ୍‌ସୁଲେଟ୍ ଜେନେରାଲ ଓସାକା କୋବେ, ଖ୍ୟାତିସମ୍ପନ୍ନ ଚିତ୍ର ନିର୍ଦ୍ଦେଶକ ପଦ୍ମଶ୍ରୀ ନୀଳମାଧବ ପଣ୍ଡା, ବିଧାୟକ ଦେବୀପ୍ରସାଦ ମିଶ୍ର ବକ୍ତବ୍ୟ ରଖି ଜାପାନର ସଂସ୍କୃତିପ୍ରେମୀମାନଙ୍କ ଏପରି ଉଦ୍ୟମ ସାଂସ୍କୃତିକ ଭାବବିନିମୟ ଏବଂ ଅଧ୍ୟୟନକୁ ସୁଦୃଢ଼ କରିବ ବୋଲି ଆଶାବ୍ୟକ୍ତପୂର୍ବକ ଓଡ଼ିଶା ମହୋତ୍ସବ ଆୟୋଜନର ଭୂୟସୀ ପ୍ରଶଂସା କରିଥିଲେ । ମହୋତ୍ସବରେ ଜଳବାୟୁ ପରିବର୍ତ୍ତନ ଆଧାରିତ ନୀଳମାଧବଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘କାଲିର ଅତୀତ’ ପ୍ରଦର୍ଶିତ ହୋଇଥିବାବେଳେ ଓଡ଼ିଶାର ପର୍ଯ୍ୟଟନ ବିଭବ ନେଇ ଏକ ଫଟୋ ପ୍ରଦର୍ଶନୀ ଆୟୋଜନ କରାଯାଇଥିଲା । ଜାପାନୀ ନୃତ୍ୟଶିଳ୍ପୀ ୟୁମିକୋ ହାନାନୋମିଆ ଓ ସୁଶ୍ରୀ ସାଚିକୋ ମୁରାକାମୀଙ୍କ ଶାସ୍ତ୍ରୀୟ ଓଡ଼ିଶୀ ନୃତ୍ୟ ପରିବେଷଣ ମହୋତ୍ସବର ଅନ୍ୟତମ ଆକର୍ଷଣ ଥିଲା । କଳାହାଣ୍ଡିର ମହାବୀର ସାଂସ୍କୃତିକ ଅନୁଷ୍ଠାନର ଶିଳ୍ପୀବୃନ୍ଦ ଘୁମୁରା ଓ ବଜାଶାଲ ଲୋକନୃତ୍ୟ ପରିବେଷଣ କରିଥିଲେ । ଓଡ଼ିଶା କଲଚରାଲ୍ ଏକ୍ସଚେଞ୍ଜ ସୋସାଇଟି ପକ୍ଷରୁ ପରବର୍ତ୍ତୀ ସମୟରେ ଅଧିକ କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ସୋସାଇଟିର କର୍ମକର୍ତ୍ତା ଉଲ୍ଲେଖ କରିଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *