ଜାତୀୟ କୌଶଳ ଯୋଗ୍ୟତା ଆଧାରରେ ଧନ୍ଦାମୂଳକ ଶିକ୍ଷାର ପୁନର୍ବିନ୍ୟାସ

ଜାତୀୟ କୌଶଳ ଯୋଗ୍ୟତା ଆଧାରରେ ଧନ୍ଦାମୂଳକ ଶିକ୍ଷାର ପୁନର୍ବିନ୍ୟାସ
ଆର.ଆଇ.ଇ. ଭୁବନେଶ୍ୱର ଠାରେ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର କନିଷ୍ଠ ଅଧ୍ୟାପକଙ୍କ ପାଞ୍ଚଦିନିଆ ତାଲିମ ଶିବିର ଉଦ୍‌ଘାଟିତ

News by B.Mishra (BBSR)

#ଭୁବନେଶ୍ୱର(ଏନ୍‌.ଏମ୍‌.): ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଦ୍ୱାରା ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ, ଭୁବନେଶ୍ୱର ଠାରେ ଆୟୋଜିତ ସରକାରୀ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କାର୍ଯ୍ୟରତ ରାଜ୍ୟର ୧୯୩ ଜଣ କନିଷ୍ଠ ଅଧ୍ୟାପକଙ୍କ ପାଞ୍ଚଦିନିଆ ତାଲିମ ଶିବିର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଯାଇଛି ।
ଓସେପାର ଷ୍ଟାରସ କାର୍ଯ୍ୟକ୍ରମ ଅନ୍ତର୍ଗତ ଏହି ତାଲିମର ମୂଳ ଉଦ୍ଦେଶ୍ୟ ହେଉଛି ଜାତୀୟ କୌଶଳ ଯୋଗ୍ୟତା ଆଧାରରେ ରାଜ୍ୟରେ ଥିବା ସରକାରୀ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡିକର ପୁନର୍ବିନ୍ୟାସ କରିବା । ଶିବିରକୁ ଉଦ୍‌ଘାଟନ କରି ମନ୍ତ୍ରୀ ଶ୍ରୀ ଦାଶ କହିଲେ ଯେ, ଏହି ଯୁଗାନ୍ତକାରୀ ପ୍ରୟାସରେ କାର୍ଯ୍ୟରତ ଧନ୍ଦାମୂଳକ ଶିକ୍ଷକମାନଙ୍କର ପ୍ରମୁଖ ଭୂମିକା ରହିଛି । ସେମାନଙ୍କର ଦକ୍ଷତା ବିକାଶ ହେଲେ କାର୍ଯ୍ୟକ୍ରମର ସଫଳ ରୂପାୟନ ହୋଇପାରିବ । ଜାତୀୟ ଶିକ୍ଷାନୀତିରେ ତଥା ରାଜ୍ୟ ସରକାର ଧନ୍ଦାମୂଳକ ଶିକ୍ଷା ମାଧ୍ୟମରେ ଯୁବ ଗୋଷ୍ଠୀଙ୍କୁ ଆତ୍ମନିର୍ଭରଶୀଳ ହେବା ପାଇଁ ପ୍ରାଧାନ୍ୟ ଦେଉଛନ୍ତି । ଧନ୍ଦାମୂଳକ ଶିକ୍ଷକମାନେ ନିଜ ନିଜ ଅଞ୍ଚଳର ଚାହିଦା ଅନୁଯାୟୀ ଶିକ୍ଷାଦାନ ପାଇଁ ବିଷୟ ଚୟନ କରି ସରକାରଙ୍କୁ ପ୍ରସ୍ତାବ ଦେବା ପାଇଁ ମନ୍ତ୍ରୀ ଶ୍ରୀ ଦାଶ ପରାମର୍ଶ ଦେଇଥିଲେ । କାର୍ଯ୍ୟକ୍ରମରେ ଯୋଗଦେଇ ବିଭାଗୀୟ ଶାସନ ସଚିବ ଅଶ୍ୱଥି ଏସ. ସମ୍ପ୍ରତି ଧନ୍ଦାମୂଳକ ଶିକ୍ଷାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ଧନ୍ଦାମୂଳକ ଶିକ୍ଷାପ୍ରତି ଛାତ୍ରଛାତ୍ରୀମାନଙ୍କୁ ଆକୃଷ୍ଟ ହେବାଭଳି ବାତାବରଣ ଓ ଶିକ୍ଷାଦାନ ପାଇଁ ନିଜକୁ ପ୍ରସ୍ତୁତି ପାଇଁ ଶିକ୍ଷକମାନଙ୍କୁ ସେ ଆହ୍ୱାନ ଦେଇଥିଲେ । ସେମାନଙ୍କର ବଳିଷ୍ଠ ମତାମତ ଆଗାମୀ ଦିନରେ ତାଲିମ କାର୍ଯ୍ୟକ୍ରମକୁ ଅଧିକ କ୍ରିୟାଶୀଳ କରିପାରିବ ବୋଲି ସେ ମତ ରଖିଥିଲେ । ଆର.ଆଇ.ଇ ର ଅଧ୍ୟକ୍ଷ ପ୍ରଫେସର ପ୍ରକାଶ ଚନ୍ଦ୍ର ଅଗରୱାଲ ଏହି ତାଲିମ ସୁପରିଚାଳନା ପାଇଁ ସମସ୍ତ ସୁବିଧା ଯୋଗାଇବା ସଂଗେ କାର୍ଯ୍ୟକ୍ରମର ସଫଳତା କାମନା କରିଥିଲେ । ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦର ଅଧ୍ୟକ୍ଷ ଅଶ୍ୱିନୀ କୁମାର ମିଶ୍ର ଯୋଗଦେଇ ଧନ୍ଦାମୂଳକ ଶିକ୍ଷା ପୁନର୍ବିନ୍ୟାସ ଅନ୍ତର୍ଗତ ଯୋଜନା ବିଷୟରେ ସୂଚନା ଦେଇଥିଲେ । ପ୍ରାରମ୍ଭରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ରଘୁରାମ ଆର ଆୟାର ଅତିଥିମାନଙ୍କୁ ସ୍ୱାଗତ ଜଣାଇବା ସଂଗେ ସଂଗେ ରାଜ୍ୟରେ ଧନ୍ଦାମୂଳକ ଶିକ୍ଷାର ପୃଷ୍ଠଭୂମି, ପ୍ରସ୍ତାବିତ ରୂପରେଖ ଓ ଭୋପାଳଠାରେ ଏନସିଇଆରଟିର ଏକ ଶାଖା ଭାବେ ଅବସ୍ଥିତ ପଣ୍ଡିତ ସୁନ୍ଦରଲାଲ ଶର୍ମା ଧନ୍ଦାମୂଳକ କେନ୍ଦ୍ରୀୟ ପ୍ରତିଷ୍ଠାନର ତାଲିମଦାତା ମାନଙ୍କ ପ୍ରତ୍ୟକ୍ଷ ମାର୍ଗଦର୍ଶନରେ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ, ଭୁବନେଶ୍ୱର ଠାରେ ଆୟୋଜିତ ଏହି ପାଞ୍ଚଦିନିଆ ତାଲିମରେ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ଉପରେ ସୂଚନା ଦେଇଥିଲେ ।
ଏହି ତାଲିମ ସମୟରେ ବିଭିନ୍ନ ପ୍ରସଙ୍ଗରେ ତାଲିମ ଦେବା ସହ ପ୍ରତ୍ୟହ ପ୍ରତ୍ୟୁଷରୁ ଯୋଗ ଶିକ୍ଷା, ୱାର୍ଲଡ ସ୍କିଲ ସେଣ୍ଟର, ସେଣ୍ଟ୍ରାଲ ଟୁଲ ରୁମ ଓ ତାଲିମ କେନ୍ଦ୍ର, ଚନ୍ଦକା ଆଦି କେତେକ କ୍ଷେତ୍ର ପରିଦର୍ଶନ କରି ପ୍ରତ୍ୟକ୍ଷ ଜ୍ଞାନକୌଶଳ ହାସଲ କରିବାର କାର୍ଯ୍ୟକ୍ରମ ରହିଛି । ସମ୍ପ୍ରତି ରାଜ୍ୟରେ ଥିବା ଧନ୍ଦା ୨୩୧ ଗୋଟି ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗୁଡିକରେ ଛଅ ଗୋଟି ବିଷୟରେ ଯଥା କୃଷି, ସ୍ୱାସ୍ଥ୍ୟ ଓ ପାରାମେଡିକାଲ ସାଇନ୍ସ, ଇଞ୍ଜିନିୟରିଂ ଓ ଟେକ୍ନୋଲୋଜି, ବ୍ୟବସାୟ ଓ ବାଣିଜ୍ୟ, ଗୃହ ବିଜ୍ଞାନ ଓ ହ୍ୟୁମାନୀଟିଜରେ ୧୯ଗୋଟି ଟ୍ରେଡରେ କଳା, ବାଣିଜ୍ୟ ଓ ବିଜ୍ଞାନ ଆଦିରେ ଧନ୍ଦାମୂଳକ ଶିକ୍ଷା ଦିଆଯାଉଛି । ଏହି ବିଷୟଗୁଡ଼ିକରେ ଉନ୍ନତ ଜ୍ଞାନ କୌଶଳ ଓ ନିଯୁକ୍ତି ସୁଯୋଗ ଉପରେ ଧାରଣା ଦିଆଯିବା ସଂଗେ ସଂଗେ ଯୁବପିଢ଼ି କିପରି ଆତ୍ମର୍ନିଭରଶୀଳ ହୋଇ ପାରିବେ ସେ ଦିଗରେ ଗୁରୁତ୍ୱ ଦିଆଯିବ । ପରିଶେଷରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ଉପନିର୍ଦ୍ଦେଶକ ପ୍ରଫେସର ତିଲୋତ୍ତମା ସେନାପତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରଥିଲେ । ଡ.ବିଜୟା କୁମାରୀ ପାତ୍ର ଏହି କାର୍ଯ୍ୟକ୍ରମରେ ମଞ୍ଚ ପରିଚାଳନା କରିଥିବାବେଳେ ଆର.ଆଇ.ଇର ଆସୋସିଏଟ ପ୍ରଫେସର ରଶ୍ମିରେଖା ସେଠୀ ତାଲିମ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ଏହି ଅବସରରେ ତାଲିମଦାତା ପ୍ୟାସିଭି ଭୋପାଳର ପ୍ରଫେସର ବି.ଏସ. ମେହେରୋତ୍ରା, ପ୍ରଫେସର ଅଭିଜିତ ନାୟକ ଓ ଡ. ଜୟଶ୍ରୀ ମହାପାତ୍ରଙ୍କୁ ମଞ୍ଚରେ ପୁଷ୍ପଗୁଚ୍ଛ ଦେଇ ମୁଖ୍ୟ ଅତିଥି ସମ୍ବର୍ଦ୍ଧିତ କରିଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *