ଜଗତପୁର ଅଞ୍ଚଳରେ ଶ୍ରମିକ ରହୁଥିବା କଣ୍ଟେନରରେ ଅଗ୍ନିକାଣ୍ଡ: ଜଳିଗଲା ୪୮କଣ୍ଟେନର


#ଜଗତପୁର(ଏନ୍.ଏମ୍.): ଜଗତପୁର ଅଞ୍ଚଳରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି । କଟକ ବଡ ମେଡ଼ିକାଲରେ ଉନ୍ନତିକରଣ କାର୍ଯ୍ୟରେ ନିୟୋଜିତ ଥିବା ଶ୍ରମିକମାନଙ୍କ ବିଶ୍ରାମ ନିମନ୍ତେ ବ୍ୟବହୃତ କଣ୍ଟେନରରେ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ିନଥିଲେ ମଧ୍ୟ ସର୍ଟ ସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି । କଟକ ମହାନଗର ନିଗମ ଅନ୍ତର୍ଗତ ଜଗତପୁର ନଜରପୁର ମୁଖାର୍ଜୀ କିରୋସିନ ପମ୍ପ ନିକଟରେ ଏଲଆଣ୍ଡଟି ସଂସ୍ଥାର ଶ୍ରମିକମାନେ କଣ୍ଟେନର ପ୍ରସ୍ତୁତ ଶିବିରରେ ରହୁଥିଲେ । ତେବେ ଆଜି ରାତିରେ କୌଣସି କାରଣବଶତଃ ଗୋଟିଏ କଣ୍ଟେନରରେ ଅଗ୍ନିକାଣ୍ଡ ଘଟିବା ସହ ଚାହୁଁ ଚାହୁଁ ନିଆଁ ଅନ୍ୟ କଣ୍ଟେନରକୁ ବ୍ୟାପିଯାଇଥିଲା । ଫଳରେ ସେଠାରେ ଥିବା ୪୮ଟି କଣ୍ଟେନରରେ ଅଗ୍ନିକାଣ୍ଡ ଘଟିଛି । ସେଠାରେ ପ୍ରାୟ ୧ହଜାର ଶ୍ରମିକ ରହୁଥିବାବେଳେ ଏସସିବି ମେଡ଼ିକାଲର ଉନ୍ନତିକରଣ କାର୍ଯ୍ୟରେ ନିୟୋଜିତ ଥିଲେ । କଣ୍ଟେନରରେ ପ୍ରାୟ ୭ଶହ ଶ୍ରମିକ ବିଶ୍ରାମ ନେଉଥିବାବେଳେ ଅନ୍ୟ ଶ୍ରମିକମାନେ ଏସସିବି ସାଇଟରେ କାମ କରୁଥିଲେ । ତେବେ ଅଗ୍ନିକାଣ୍ଡ ଯୋଗୁଁ କଣ୍ଟେନରେ ଥିବା ସମସ୍ତ ଆସବାବପତ୍ର ପୋଡ଼ି ଯାଇଥିଲା । ଖବର ପାଇ ଅଗ୍ନିଶମ ବିଭାଗର ୫ଟି ଦମକଳ ନିଆଁ ଲିଭା କାର୍ଯ୍ୟ ଜାରି ରଖିଛନ୍ତି । ତେବେ ଖବର ଲେଖାହେବା ପର୍ଯ୍ୟନ୍ତ ନିଆଁକୁ ଆୟତ କରାଯାଇ ପାରିନାହିଁ । ଖବର ପାଇ ଜିଲ୍ଲାପାଳ ଡକ୍ଟର ଭବାନୀଶଙ୍କର ଚୟନୀ, ବିଧାୟକ ସୌଭିକ ବିଶ୍ୱାଳ, ସ୍ଥାନୀୟ କର୍ପୋରେଟର ପ୍ରମୁଖ ପହଞ୍ଚି ଘଟଣାର ସ୍ଥିତି ଅନୁଧ୍ୟାନ କରୁଛନ୍ତି । ଆହତ ଲୋକମାନଙ୍କୁ ମେଡ଼ିକାଲ ନେବା ପାଇଁ ସେଠାରେ ୩୦ରୁ ଉର୍ଦ୍ଧ୍ୱ ଆମ୍ବୁଲାନ୍ସ ପହଞ୍ôଚ ଯାଇଥିଲା । ଅଗ୍ନିକାଣ୍ଡ ସମୟରେ ସୌଭାଗ୍ୟ ବଶତଃ କଣ୍ଟେନରରେ ବିଶ୍ରାମ ନେଉଥିବା ଶ୍ରମିକମାନେ ବାହାରକୁ ବାହାରି ଆସିଥିବାରୁ ସେମାନେ ସୁରକ୍ଷିତ ରହିଥିବା ଜଣାପଡ଼ିଛି ।

