ଛୋଟ ପିଲାଙ୍କୁ କଥାଦେଇ କଥା ରଖିଲେ ରାହୁଲ ଗାନ୍ଧୀ


କଟକ(ଏନ୍‌.ଏମ୍‌.): ଗତ ଅପ୍ରେଲ ୨୮ତାରିଖରେ ସାଲେପୁର କୁଳିଆ ଠାରେ ଏକ ନିର୍ବାଚନୀ ପ୍ରଚାର ସାଧାରଣ ସଭାରେ ଯୋଗ ଦେବାକୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆସିଥିବା ବେଳେ ପ୍ରଥମେ ପାଗା ସତ୍ୟଭାମାପୁର ଠାରେ ଥିବା ଓଡ଼ିଆ ଜାତିର ମଉଡମଣି, ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମସ୍ଥାନ ପରିଦର୍ଶନ କରି ମଧୁବାବୁଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏହି ଅବସରରେ ମଧୁବାବୁଙ୍କ ଜନ୍ମସ୍ଥାନ ପ୍ରାଙ୍ଗଣରେ ଥିବା ଶିଶୁ ଆଶ୍ରମର ଅନ୍ତେବାସୀ ପିଲାମାନଙ୍କ ଗହଣରେ କିଛି ମୁହୂର୍ତ୍ତ ବିତେଇଥିଲେ ରାହୁଲ ଗାନ୍ଧୀ । ପିଲାମାନଙ୍କୁ ପଚାରିଥିଲେ ତୁମର କଣ ଦରକାର ପିଲାମାନେ କହିଥିଲେ ଆମେ ପାଠ ପଢିବା ସହିତ କରାଟୀ ଶିଖୁଛୁ, ଆମକୁ କରାଟୀ ଡ୍ରେସ ଦରକାର । ପିଲାଙ୍କ କଥା ଶୁଣି ନିଶ୍ଚୟ କରାଟୀ ଡ୍ରେସ ଦେବେ ବୋଲି କଥା ଦେଇଥିଲେ ରାହୁଲ । ନିର୍ବାଚନ ବ୍ୟସ୍ତତା ମଧ୍ୟରେ ଏହି କଥାକୁ ପ୍ରାୟ ସମସ୍ତେ ଭୁଲି ଯାଇଥିଲେ ହେଁ ଭୁଲି ନଥିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଆଉ ସେ ସମୟରେ ରାହୁଲଜୀଙ୍କ ସ୍ୱାଗତ ଦାୟିତ୍ୱରେ ଥିଲେ ପିସିସିର ସମ୍ପାଦକ ସାନ୍ତାୟନ ମିଶ୍ର । ହଠାତ ରାହୁଲଙ୍କ କାର୍ଯ୍ୟାଳୟରୁ ଫୋନ ଆସିଲା ସାନ୍ତାୟନ ମିଶ୍ରଙ୍କ ପାଖକୁ, କି ପିଲାଙ୍କ ଡ୍ରେସ ପଠେଇ ଦିଆଯାଇଛି ସେଗୁଡିକୁ ପିଲାଙ୍କ ମଧ୍ୟରେ ବଣ୍ଟନ କରିଦିଅ । ଏହି ପରିପ୍ରେକ୍ଷୀରେ ମଧୁବାବୁଙ୍କ ଜନ୍ମସ୍ଥାନ ପ୍ରାଙ୍ଗଣରେ ଥିବା ସଭାଗୃହରେ ଶିଶୁ ଆଶ୍ରମର ପିଲାମାନଙ୍କ ମଧ୍ୟରେ ରାହୁଲ ଗାନ୍ଧୀଙ୍କ ପ୍ରତିନିଧି ଭାବରେ ପିସିସି ସମ୍ପାଦକ ସନ୍ତାୟନ ମିଶ୍ର ଯୋଗଦେଇ ପୋଷାକ ବଣ୍ଟନ ସହ ମିଷ୍ଟାନ୍ନ ବଣ୍ଟନ କରିଥିଲେ । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଶିଶୁ ଆଶ୍ରମର ସମ୍ପାଦକ ସଂଧ୍ୟାରାଣୀ ମଲ୍ଲିକ, କାର୍ଯ୍ୟକର୍ତ୍ତା ଶୁଭଶ୍ରୀ ସଂଗୀତା ବଳ, କରାଟେ ଶିକ୍ଷକ ମହମ୍ମଦ ରହେମ୍ମତଙ୍କ ସମେତ କଟକ ଜିଲ୍ଲା କଂଗ୍ରେସ ଉପସଭାପତି ମନୋଜ ବିଶ୍ୱାଳ, କଂଗ୍ରେସ ମୁଖପାତ୍ର ମାନସ ପରିଡା, ଫେଲୁ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଛୋଟିଆ କଥା ଟିଏ ହେଲେ ମଧ୍ୟ କଥାଦେଇ କଥା ରଖିଥିବାରୁ ଉପହାର ପାଇ ପିଲାମାନେ ଉତ୍ସାହିତ ହେବାସହ ରାହୁଲ ଗାନ୍ଧୀଙ୍କୁ ଧନ୍ୟବାଦ ଜଣାଇଥିଲେ ।

Leave a Reply

Your email address will not be published. Required fields are marked *