ଚୌଦ୍ୱାର ପୌରପାଳିକାର ବିଭିନ୍ନ ଦୁର୍ନୀତି ସମ୍ପର୍କରେ ତଦନ୍ତ ପାଇଁ ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

ଚୌଦ୍ୱାର ପୌରପାଳିକାର ବିଭିନ୍ନ ଦୁର୍ନୀତି ସମ୍ପର୍କରେ ତଦନ୍ତ ପାଇଁ ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

News by Smruti Ranjan Tripathy (Choudwar)

#ଚୌଦ୍ୱାର(ଏନ୍‌.ଏମ୍‌.): ଚୌଦ୍ୱାର ପୌରପାଳିକାରେ ହୋଇଥିବା ଅହେତୁକ ଦୁର୍ନୀତି ବିରୁଦ୍ଧରେ ଚୌଦ୍ୱାର ସ୍ୱାଭିମାନ ମଞ୍ଚ ପକ୍ଷରୁ ଚୌଦ୍ୱାର ପୌରପାଳିକା କାର୍ଯ୍ୟାଳୟ ସମ୍ମୁଖରେ ଏକ ପ୍ରତିବାଦ ସଭା ଆୟୋଜିତ ହୋଇଯାଇଛି । ମଞ୍ଚର ଆବାହକ ଦୀପକ ମଙ୍ଗରାଜଙ୍କ ପୌରହିତ୍ୟରେ ଆୟୋଜିତ ଏହି ପ୍ରତିବାଦ ସଭାରେ ଅଞ୍ଚଳର ସାମ୍ବାଦିକ, ସୂଚନା ଅଧିକାରୀ କର୍ମୀ, ଛାତ୍ର ଓ ଯୁବନେତା,ସମାଜସେବୀ, ବିଭିନ୍ନ ସାହିର ମୁରବୀ,ବିଭିନ୍ନ ସଙ୍ଗଠନର ଆବାହକ, ପୌରପାଳିକାର ପୂର୍ବତନ ଅଧକ୍ଷ ତଥା ଅଞ୍ଚଳର ବିଶିଷ୍ଟ ବୁଦ୍ଧିଜୀବୀ ଓ ରାଜନେତା ମାନେ ଦଳଗତ ନିର୍ବିଶେଷରେ ଏକାଠି ହୋଇ ପୌରପାଳିକାରେ ବିଭିନ୍ନ ବିଭାଗରେ ବର୍ଷ ବର୍ଷ ଧରି ହୋଇ ଆସୁଥିବା ମହାଦୁର୍ନୀତି ବିରୁଦ୍ଧରେ ନିଜର ସ୍ୱରକୁ ତୀବ୍ର କରିଥିଲେ । ଅଞ୍ଚଳରେ ହୋଇଥିବା ପ୍ରତ୍ୟେକ ଜନହିତକର କାର୍ଯ୍ୟରେ ମାତ୍ରାଧିକ ବିଲ କରି ରାଜକୋଷରୁ ଲକ୍ଷ ଲକ୍ଷ ଟଙ୍କା ଲୁଣ୍ଠନ ହେଇ ଚାଲିଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ପ୍ରତ୍ୟେକ ବିଭାଗରେ ଲକ୍ଷ ଲକ୍ଷ ଟଙ୍କାର ହେରଫେର ହେବା ସହିତ କୌଣସି କାର୍ଯ୍ୟର ସଠିକ ଦସ୍ତୋ୍ୱଜ ଉପଲବ୍ଧ ନାହିଁ । ଗାଈମାନଙ୍କ ନିମନ୍ତେ ଚୋକଡ କିଣା, କୁକୁରମାନଙ୍କ ପାଇଁ ବିସ୍କୁଟ ଓ ପାଉଁରୁଟି କିଣା, ବିଜୁ ଯୁବ ବାହିନୀ ମାନଙ୍କୁ ଖେଳ ସାମଗ୍ରୀ ବଣ୍ଟନ, ନିମ୍ନ ମାନର ରାସ୍ତା ନିର୍ମାଣ କରି ପୁନଃ ମରାମତି, ଗୋଟିଏ କାର୍ଯ୍ୟକୁ ଦୁଇ ଥର ବିଲ କରି ରାଜକୋଷରୁ ହରିଲୁଟ କରିବା, ଆବାସ ଯୋଜନାରେ ଦୁର୍ନୀତି, ଜାଗା ମିଶନ ଯୋଜନାରେ କେଳେଙ୍କାରୀ, ଡିଜେଲ ଚୋରି, କର ଆଦାୟରେ ଦୁର୍ନୀତି ପରି ଅନେକ ମହାଦୁର୍ନୀତି ଚୌଦ୍ୱାର ପୌରପାଳିକା କାର୍ଯ୍ୟାଳୟରେ ବର୍ଷ ବର୍ଷ ଧରି ହୋଇ ଆସୁଛି । ପୌରପାଳିକାର ପୂର୍ବତନ ଅଧକ୍ଷ କୈଳାସ ଚନ୍ଦ୍ର ବେହେରାଙ୍କ କହିବା ଅନୁଯାୟୀ ଅତୀତରେ ପାଖାପାଖି ୧୨ ବର୍ଷ ଧରି ପୌରପାଳିକାରେ ଅଡିଟ କାର୍ଯ୍ୟ ମଧ୍ୟ କରାଯାଇ ନଥିଲା । ଚୌଦ୍ୱାର ପୌରପାଳିକା କାର୍ଯ୍ୟାଳୟରେ ଏପରି ଅହେତୁକ ଦୁର୍ନୀତି ଓ ଅନିୟମିତତା ପୂର୍ବତନ ବିଧାୟକ ମହୋଦୟଙ୍କ ଛତ୍ରଛାୟା ତଳେ ଦୀର୍ଘ ବର୍ଷ ଧରି ଚାଲିଆସୁଛି ବୋଲି ଉପସ୍ଥିତ ସମସ୍ତ ବୁଦ୍ଧିଜୀବୀମାନେ ନିଜର ଅଭିଭାଷଣରେ ପ୍ରକାଶ କରିଥିଲେ । ପ୍ରବାଦ ପୁରୁଷ ବିଜୁବାବୁଙ୍କର ସ୍ୱପ୍ନର ଶିଳ୍ପ ନଗରୀ ଚୌଦ୍ୱାର ଆଜି ଶ୍ରୀହୀନ ହେବା ସହିତ ଦୁର୍ନୀତିର ଗନ୍ତାଘର ପାଲଟି ଯାଇଛି ବୋଲି ଉପସ୍ଥିତ ବକ୍ତା ମାନେ ମନ୍ତବ୍ୟ ପ୍ପ୍ରଦାନ କରିଥିଲେ । ଲୋକାୟୁକ୍ତଙ୍କ ଛାଟ ବାରମ୍ବାର ପୌରପାଳିକା ଉପରେ ବାଜୁଥିଲେ ମଧ୍ୟ ଚୌଦ୍ୱାର ଅଞ୍ଚଳବାସୀଙ୍କ ତରଫରୁ ମହାମହିମ ରାଜ୍ୟପାଳ ମହୋଦୟଙ୍କ ଉଦ୍ଦେଶ୍ୟରେ ପୌରପାଳିକାର ନିର୍ବାହୀ ଅଧିକାରୀ ସଞ୍ଜୀବ କୁମାର ରାଉତ ମହୋଦୟଙ୍କୁ ଦୀର୍ଘ ବର୍ଷ ଧରି ହୋଇଆସୁଥିବା ଦୁର୍ନୀତି ଗୁଡିକ ବିରୁଦ୍ଧରେ ନିରପେକ୍ଷ ତଦନ୍ତ କରିବା ନିମନ୍ତେ ୧୦ଦଫା ଦାବିର ଏକ ସ୍ମାରକପତ୍ର ମଞ୍ଚ ପକ୍ଷରୁ ପ୍ରଦାନ କରାଯାଇଥିଲା । କାର୍ଯ୍ୟାଳୟରେ ହୋଇଥିବା ଅହେତୁକ ଦୁର୍ନୀତି ବିରୁଦ୍ଧରେ ଉଚିତ ପଦକ୍ଷେପ ଓ ନିରପେକ୍ଷ ତଦନ୍ତ କରା ନଗଲେ ଭବିଷ୍ୟତରେ ଏହି ଆନ୍ଦୋଳନ ତୀବ୍ର ରୂପ ଧାରଣ କରିବ ବୋଲି ମଞ୍ଚ ପକ୍ଷରୁ ସୂଚନା ମଧ୍ୟ ଦିଆ ଯାଇଥିଲା । ଏହି ପ୍ରତିବାଦ ସଭାରେ ଅଜିତ କୁମାର ସ୍ୱାଇଁ, ମନୋରଞ୍ଜନ ସାହୁ, ସ୍ମୃତି ମିନାର ବେହେରା, ମାନସ ଘଡେଇ, ଅକ୍ଷୟ ଭୂୟାଁ, ଆଇନଜୀବୀ ଶୁଭେନ୍ଦୁ ମହାନ୍ତି, ଜ୍ୟୋତିରଞ୍ଜନ ରାୟ, ମାନସ ପରିଡା, ମୋନାଲିଶା ଦାସ, ହରିହର ପରିଡା, ବର୍ଷାରାଣୀ ପଲେଇ, ଭୀମସେନ ବିଶ୍ୱାଳ, ରମେଶ ଚନ୍ଦ୍ର ଶରଣ, ଅଶୋକ କୁମାର ବାରିକ, ମହେନ୍ଦ୍ର ମହାନ୍ତି, ସୁବାଷ ଚନ୍ଦ୍ର ଦଳାଇ, ପ୍ରଶାନ୍ତ ହୋତା, ବୈରାଗୀ ଚରଣ ପ୍ରଧାନ, ଜୟ ସିଂ, ରମେଶ ନାୟକ, ଅଜୟ ବେହେରା, ଅଭିମନ୍ୟୁ ଦାସ, ଗଣେଶ ରାଉତ, ସୁକାନ୍ତ ସାହାଣୀ, ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ମନ୍ତବ୍ୟ ପ୍ରଦାନ କରିଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *