ଚୌଦ୍ୱାର ଇନଡୋର ଷ୍ଟାଡିୟମ ପାଲଟିଛି ଅସମାଜିକଙ୍କ ଆଡାସ୍ଥଳୀ


ଚୌଦ୍ୱାର(ଏନ୍‌.ଏମ୍‌.): କ୍ରୀଡ଼ାର ବିକାଶ ପାଇଁ ନିର୍ମାଣ ହୋଇଥିବା ଷ୍ଟାଡ଼ିୟମ ଏବେ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀ ପାଲଟି ଯାଇଛି। ସରକାର ଯେଉଁ ଉଦ୍ଦେଶ୍ୟ ନେଇ ଏହାକୁ ନିର୍ମାଣ କରିଥିଲେ ତାହା ଏବେ ଦିଗହରା। ତତ୍କାଳିନ ବିଜେଡି ସରକାର ସମୟରେ କ୍ରୀଡାର ବିକାଶ ପାଇଁ ଚୌଦ୍ୱାରରେ ୫ଟି ସଚିବ ଭି.କେ.ପାଣ୍ଡିୟାନଙ୍କ ପ୍ରଚେଷ୍ଟାରେ ଏକ ଇନଡୋର ଷ୍ଟାଡିୟମ ନିର୍ମାଣ କରାଯାଇଥିଲା। ଯାହା ୨୩ ଫ୍ରେବୃୟାରୀ ୨୦୨୪ମସିହାରେ ସାଧାରଣରେ ଲୋକାର୍ପଣ କରଯାଇଥିଲା। ତତ୍କାଳିନ ସରକାର ଉକ୍ତ ଷ୍ଟାଡିୟମରେ ସମସ୍ତ ଅତ୍ୟାଧୁନିକ ଖେଳସାମଗ୍ରୀ ସହିତ ଶୀତତାପ ନିୟନ୍ତ୍ରିତ କୋଠରୀ ନିର୍ମାଣ କରିଥିଲେ। ମାତ୍ର ବିଜେଡି ସରକାର କ୍ଷମତାରୁ ଯିବା ପରେ ନୂତନ ସରକାରଙ୍କ ବୈମାତୃକ ମନୋଭାବ ଯୋଗୁ ଷ୍ଟାଡିୟମ ଆଜି ଅବହେଳିତ ହୋଇ ପଡିଛି। ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଷ୍ଟାଡିୟମ ପରିସର ଜରାଜୀର୍ଣ୍ଣ ଅବସ୍ଥାରେ ରହିବା ସହିତ ସରୀସୃପଙ୍କ ଚରାଭୂଇଁ ପାଲଟି ଯାଇଛି। ସବୁଠାରୁ ଗୁରୁତ୍ୱପୁର୍ଣ୍ଣ କଥା ହେଉଛି କିଛି ଅସମାଜିକ ଯୁବକ ଏହାକୁ ନିଜର ଅକ୍ତିଆରରେ ରଖି ଏଠାରେ ବହୁ ଅନୈତିକ କାର୍ଯ୍ୟ ଚଳାଇବା ଭଳି ସଂଗୀନ ଅଭିଯୋଗ ଉଠିଛି। ଷ୍ଟାଡିୟମ ଭିତରେ ଥିବା ଏସି ରୁମରେ ମଦ ମାଂସର ଆସର ଜମୁଥିବା ଏବେ ଚର୍ଚ୍ଚା। ଏହାର କିଛି ଭିଡ଼ିଓ ଏବେ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି। ଏହାର ରକ୍ଷଣାବେକ୍ଷଣ ଓ ପ୍ରଶିକ୍ଷଣ ନିମନ୍ତେ କର୍ମଚାରୀ ନିଯୁକ୍ତି ହୋଇଥିବାବେଳେ କିଛି ସ୍ଥାନୀୟ ବେକାର ଯୁବକଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଇଥିଲା। ତେବେ ସେମାନଙ୍କୁ ଏବେ ଧମକ ଦିଆଯାଇ ଏସବୁ ଅନୈତିକ କାର୍ଯ୍ୟ ଚାଲୁଥିବା ଶୁଣିବାକୁ ମିଳୁଛି। ପୁନଶ୍ଚ କେତେବେଳେ ଖେଳସାମଗ୍ରୀ କିଣା ପାଇଁ ହେଉ ଅବା ପରିସରରେ ଏସି ଲାଗିବା ପାଇଁ ବିଭିନ୍ନ ବ୍ୟକ୍ତିବିଶେଷଙ୍କୁ ଚାନ୍ଦା ମଧ୍ୟ ମଗାଯାଉଥିବା ଚର୍ଚ୍ଚା ହେଉଛି। ତେବେ ପ୍ରଶାସନ ସମସ୍ତ ଘଟଣାର ଅନୁସନ୍ଧାନ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି। ତେବେ ଏ ନେଇ ଷ୍ଟାଡ଼ିୟମ ଇନଚାର୍ଜ ରାଜେନ୍ଦ୍ର ନାୟକଙ୍କୁ ଯୋଗାଯୋଗ କରିବାରେ ସେ ଭାଇରାଲ ହେଉଥିବା ଫଟୋ ଭିଡ଼ିଓ ବହୁ ଦିନ ତଳର ବୋଲି କହିବା ସହ ସେ ଦାୟିତ୍ୱ ନେବା ଦିନ ଠାରୁ କୌଣସି ଭୋଜିଭାତ ହୋଇ ନଥିବା ସଫେଇ ଦେଇଥିଲେ।

Leave a Reply

Your email address will not be published. Required fields are marked *