ଚୌଦ୍ୱାରରେ ଟସରସୁତା ଉତ୍ପାଦନ କାରଖାନା ଉଦ୍‌ଘାଟିତ

ଚୌଦ୍ୱାରରେ ଟସରସୁତା ଉତ୍ପାଦନ କାରଖାନା ଉଦ୍‌ଘାଟିତ


ଚୌଦ୍ୱାର(ଏନ୍‌.ଏମ୍‌.): ଚୌଦ୍ୱାର ଅଞ୍ଚଳ କଜଳକଣାସ୍ଥିତ ଇଡ଼କୋର ଗୋପାଳପୁର ଶିଳ୍ପାଞ୍ଚଳରେ ଏକଦା ଛୋଟବଡ଼ ହୋଇ ବହୁ ଶିଳ୍ପ ଗଢ଼ି ଉଠିଥିବାବେଳେ ପରବର୍ତ୍ତି ସମୟରେ ସମସ୍ତ ଶିଳ୍ପ ବନ୍ଦ ହୋଇ ଏହା ଶିଳ୍ପଶୂନ୍ୟ ହୋଇ ଯାଇଥିଲା । ଦୀର୍ଘ ଦିନ ପରେ ଉକ୍ତ ସ୍ଥାନରେ ଏକ ଟସର ସୂତା ଉତ୍ପାଦନ କେନ୍ଦ୍ର ଆରମ୍ଭ କରାଯାଇଥିବାରୁ ସମଗ୍ର ଚୌଦ୍ୱାର ଅଞ୍ଚଳରେ ଆନନ୍ଦ ପ୍ରକାଶ ପାଇଛି । ଏଥିସହିତ ଏହି କାରଖାନା ଚାଲୁ ହେବା ଫଳରେ ଗୋପାଳପୁର ଅଞ୍ଚଳରେ ଶିଳ୍ପ ପୁନରୁଦ୍ଧାରର ପ୍ରକ୍ରିୟା ଅରମ୍ଭ ହେଲାବୋଲି ଚର୍ଚ୍ଚା ହେଉଛି ।
ସୂଚନା ଯୋଗ୍ୟଯେ, ଗତ ଏକ ବର୍ଷ ତଳେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ କୁମାର ଷଢ଼ଙ୍ଗୀ ବନ୍ଦ ପଡ଼ିଥିବା ଉକ୍ତ କାରଖାନାକୁ ବୁଲି ଦେଖିବା ସହିତ ଏହାର ପୁନରୁଦ୍ଧାର ପାଇଁ କେନ୍ଦ୍ରୀୟସ୍ତରରେ ପଦକ୍ଷେପ ନେଇ ପ୍ରସ୍ତାବିତ ଟସର ସୁତା ପ୍ରସ୍ତୁତି କାରଖାନାର ଶିଳାନ୍ୟାସ କରିଥିଲେ । ଗୋପାଳପୁର ଶିଳ୍ପାଞ୍ଚଳରେ ୧୯୯୯ ମସିହା ମହାବାତ୍ୟା ଠାରୁ ବନ୍ଦ ପଡ଼ିଥିବା ଖଦି ଓ ଗ୍ରାମଦ୍ୟୋଗର ୬ ଏକର ପରିମିତ ଜମି ଉପରେ ଥିବା କାରଖାନାର ଭିତ୍ତି ଭୂମି ଊପରେ ପ୍ରତିଷ୍ଠିତ ଏହି କାରଖାନାକୁ କେନ୍ଦ୍ର ଖଦିବୋର୍ଡ଼ ଅଧ୍ୟକ୍ଷ ଭିନୟ କୁମାର ସାକ୍‌ସେନା ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି । ଏହି କାରଖାନା ସ୍ଥାନୀୟ ମହିଳାମାନଙ୍କୁ ନିଯୁକ୍ତି ସୁଯୋଗ ଦେବା ସହିତ ଆର୍ଥିକ ସ୍ୱାବଲମ୍ବି କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିବ ବୋଲି ଉଦ୍‌ଘାଟନ ଅବସରରେ ଶ୍ରୀ ସାକସେନା ପ୍ରକାଶ କରିଥିଲେ । ଓଡ଼ିଶାର ରେଶମ ଲୁଗାର ଚାହିଦା ସାରା ବିଶ୍ୱରେ ରହିଥିବାରୁ ଏହି ନୂତନ କାରଖାନାର ଉତ୍ପାଦ ରାଜ୍ୟ ତଥା ରାଜ୍ୟ ବାହାରର ରେଶମ ଲୁଗା ତିଆରି କାରଖାନାଗୁଡ଼ିକୁ ସୁତା ଯୋଗାଇବାରେ ସହାୟକ ହେବ ବୋଲି ସେ ମତବ୍ୟକ୍ତ କରିଥିଲେ । ପୂର୍ବାଞ୍ଚଳ ଖଦି ଓ ଗ୍ରାମଦ୍ୟୋଗ କମିଶନ୍‌ର ଯୁଗ୍ମ ମୁଖ୍ୟ ପରିଚାଳନା ଅଧିକାରୀ ୱାଇ.କେ. ବନ୍‌ପାଟିକର ଓ ସଂଜୟ ସିଂ ପ୍ରମୁଖ ଏଥିରେ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ କରାଖାନା ଭିତରେ ଆୟୋଜିତ ଏକ ରେଶମ ଲୁଗା ପ୍ରଦର୍ଶନୀକୁ ଖଦିବେର୍ଡ଼ ଅଧ୍ୟକ୍ଷ ଶ୍ରୀ ସାକ୍‌ସେନା ବୁଲି ଦେଖିଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *